ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଜୁନ ପୁରସ୍କାର ପ୍ରାପ୍ତ କିମ୍ବଦନ୍ତି ବ୍ୟାଡମିଣ୍ଟନ ତାରକା ନନ୍ଦୁ ନାଟେକରଙ୍କର ବୁଧବାର ସକାଳେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ୧୯୫୬ ମସିହାରେ ମାଲେସିଆର ‘ସେଲାଙ୍ଗର୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌’ ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରି ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ତାରକାଭାବେ ଦେଶ ପାଇଁ ଗୌରବ ଆଣିଥିଲେ। ଏଥିସହ ସେ ତାଙ୍କ କ୍ରୀଡ଼ା କ୍ୟାରିୟର ଭିତରେ ୧୦୦ରୁ ଊର୍ଦ୍ଧ୍ଵ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିଥିଲେ।

୧୯୫୦ଦଶକରେ ନାଟେକର ସମ୍ମାନଜନକ ‘ଅଲ ଇଂଲଣ୍ଡ ଓପେନ’ର କ୍ଵାର୍ଟରଫାଇନାଲରେ ପହଞ୍ଚିଥିଲେ। ଏଥିସହ ପ୍ରାୟ ତିନି ଦଶନ୍ଧି ପରେ ଡବଲ୍‌ସ୍‌ କ୍ୟାଟାଗୋରି ପ୍ରତିଯୋଗିତାରେ ‘ଭେଟେରିଆନ୍‌ ଇଭେଣ୍ଟସ୍‌’ରେ ବିଜୟ ଲାଭ କରିଥିଲେ।ବ୍ୟାଡମିଣ୍ଟନ ଖେଳରେ ଭଲ ପ୍ରଦର୍ଶନ ପାଇଁ ନାଟେକରଙ୍କୁ ‘ସ୍ପୋର୍ଟସ୍‌ ଗାଲେଣ୍ଟ୍ରି ଅନର୍ସ’, ୧୯୬୧ରେ ‘ଅର୍ଜୁନ ପୁରସ୍କାର’ରେ ପ୍ରଦାନ କରାଯାଇଥିଲା। ୧୯୬୫ ମସିହାରେ ଜାମାଇକାରେ ଅନୁଷ୍ଠିତ ‘କମନୱେଲଥ୍‌ ଗେମ୍ସ’ରେ ଭାରତର ପ୍ରତିନିଧିତ୍ଵ କରିବାକୁ ତାଙ୍କୁ ଦାୟିତ୍ଵ ମଧ୍ୟ ଦିଆଯାଇଥିଲା।

ନାଟେକରଙ୍କ ପୁତ୍ର ଗୌରବ ମଧ୍ୟ ଜଣେ ଭଲ ଟେନିସ ତାରକା। ୧୯୯୪ରେ ହିରୋସିମା ଏସିଆନ୍‌ ଗେମ୍ସରେ ସେ ଭାରତ ପକ୍ଷରୁ ଖେଳି ସ୍ଵର୍ଣ୍ଣପଦକ ହାସଲ କରିଥିଲେ।

ନନ୍ଦୁ ନାଟେକରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, “ଭାରତର ସ୍ପୋର୍ଟସ୍ ଇତିହାସରେ ତାଙ୍କର ଏକ ସ୍ଵତନ୍ତ୍ର ସ୍ଥାନ ରହିଛି। ୧୯୫୬ମସିହାରେ ଅନ୍ତର୍ଜାତୀୟ ସ୍ତରରେ ଟାଇଟଲ ହାସଲ କରିବାରେ ସେ ଥିଲେ ପ୍ରଥମ ଭାରତୀୟ। ସେ ଜଣେ ଦକ୍ଷ ବ୍ୟାଡମିଣ୍ଟନ ତାରକା ସହ ଭଲ ମେଣ୍ଟର ମଧ୍ୟ ଥିଲେ। ତାଙ୍କ ସଫଳତା ଅନ୍ୟ ଖେଳାଳୀମାନଙ୍କ ପାଇଁ ପ୍ରେରଣା ପାଲଟିଥିଲା।”

ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ ତାଙ୍କୁ “ଭାରତୀୟ ବ୍ୟାଡମିଣ୍ଟନର ଜନକ’ ବୋଲି କୁହାଯାଉଥିଲା। ତାଙ୍କ ମୃତ୍ୟୁରେ ବ୍ୟାଡମିଣ୍ଟନ ଆସୋସିଏସନ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଶିଷ୍ଟ କ୍ରୀଡ଼ାବିତ୍ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

Comment