ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗାଁର ଝିଅ କୁସ୍ତି ଖେଳିବାକୁ ନେଇ ଏକଦା ବିନେଶ ଫୋଗଟ ଓ ତାଙ୍କ ପରିବାର ରକ୍ଷଣଶୀଳ ସମାଜରୁ କେବଳ ବିରୋଧର ସମ୍ମୁଖୀନ ହୋଇ ନ ଥଲେ, ଏମିତିକି ଗାଁରୁ ମଧ୍ୟ ସେମାନଙ୍କୁ ବିଦା କରି ଦିଆଯାଇଥିଲା। ସେହି ବିନେଶ ଆଜି ଦେଶର ଶ୍ରେଷ୍ଠ ମହିଳା ରେସଲର ପାଲଟିଛନ୍ତି। କୁସ୍ତି ପାଇଁ ଯାହାଙ୍କୁ ଗାଁରୁ ବିଦା ହେବାକୁ ପଡ଼ିଥିଲା, ଆଜି ଭାରତ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ତାଙ୍କ ନାମ ସୁପାରିସ୍ କରିଛି।

vinesh phogat

କୁସ୍ତି ହେଉଛି ସେହି ଖେଳ, ଯାହା ଭାରତର ରକ୍ତରେ ରହିଛି। ମସ୍ତିରେ ମସ୍ତିରେ ପିଲାଦିନେ ଆମେ ଅନେକଥର କୁସ୍ତି ଖେଳିଥିବା। କିନ୍ତୁ ଏହି କୁସ୍ତି ଖେଳ ଗୋଟିଏ ପରିବାରକୁ ସାରା ଦେଶରେ ପରିଚିତ କରେଇପାରିଛି। ସେହି ପରିବାର ହେଲା ହରିୟାଣାର ଫୋଗଟ ପରିବାର। ସମାଜରେ କୁସ୍ତିକୁ ଏକଦା ପୁରୁଷଙ୍କ ଖେଳ କୁହାଯାଉଥିଲା। କିନ୍ତୁ କିଏ ଜାଣିଥିଲା, ଦେଶର ଜଣେ ଝିଅ ଏହି କୁସ୍ତି ଖେଳରେ ହିଁ ପୁରୁଷଙ୍କୁ ପଛରେ ପକାଇ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ପରିଚିତ କରେଇେବ। ତାହା ହିଁ ପ୍ରମାଣ କରି ଦେଖାଇଛନ୍ତି ରେସଲର୍ ବିନେଶ ଫୋଗଟ।

vinesh phogat

କୁସ୍ତି ମଇଦାନରେ ପୁରୁଷଙ୍କ ସହ ଲଢୁଥିଲେ ବିନେଶ

ବିନେଶଙ୍କ ଜନ୍ମ ୧୯୯୪ ମସିହା ଅଗଷ୍ଟ ୨୫ରେ ହରିୟାଣାର ବଲାଲି ଗ୍ରାମରେ ହୋଇଥିଲା। ମାତ୍ର ୯ ବର୍ଷ ବୟସରେ ସେ ନିଜ ବାପାଙ୍କୁ ହରାଇଥିଲେ। ଏହାପରେ ଦାଦା ମହାବୀର ସିଂହ ଫୋଗଟ ତାଙ୍କର ଲାଳନପାଳନ କରିଥିଲେ। ମହାବୀରଙ୍କ ଝିଅ ଗୀତା ଫୋଗଟ ଓ ବବିତା ଫୋଗଟ ମଧ୍ୟ ଭାରତର ନାମକରା କୁସ୍ତି ଖେଳାଳି। ବିନେଶଙ୍କ ବୟସ ବଢ଼ିବା ସହ ସେ କୁସ୍ତି ଖେଳରେ ଭର୍ତ୍ତି ହୋଇଥିଲେ। ପୁରୁଷମାନଙ୍କ ସହ ସବୁବେଳେ ତାଙ୍କୁ କୁସ୍ତିରେ ମୁକାବିଲା କରିବାକୁ ପଡୁଥିଲା। କାରଣ ଗାଁରେ ଆଉ କେହି ଝିଅ କୁସ୍ତି ଖେଳୁ ନ ଥିଲେ। ତଥାପି ବିନେଶ ସାହସ କି ଧୈର୍ଯ୍ୟ ହରାଇ ନ ଥିଲେ କି କୁସ୍ତି ମଇଦାନରୁ ପଛକୁ ହଟି ନ ଥିଲେ।

BGU

ଆମିର ଖାନ୍‌ଙ୍କ ‘ଦଙ୍ଗଲ’ ମୁଭିରେ ଥିଲା ତାଙ୍କ ପରିବାରର କାହାଣୀ

ଝିଅମାନଙ୍କୁ କୁସ୍ତି ଖେଳ ଶିଖାଉଥିବାରୁ ବିନେଶଙ୍କ ଦାଦା ମହାବୀରଙ୍କୁ ଗାଁରୁ ପ୍ରବଳ ବିରୋଧ ହେଉଥିଲା। ଦିନକୁ ଦିନ ତାହା ଅସହ୍ୟ ଓ ଉଗ୍ର ହେଲା। ଶେଷରେ ବିନେଶଙ୍କ ପରିବାରକୁ ଗାଁରୁ ବିଦା କରିଦିଆଗଲା। କିନ୍ତୁ ମହାବୀର ସବୁ ବିରୋଧର ସାମ୍ନା କରି ନିଜ ୩ ଝିଅଙ୍କୁ କୁସ୍ତି ତାଲିମ ଦେଇ ଚାଲିଲେ। ଝିଅ ଗୀତା ଓ ବବିତା ଏହି ଖେଳରେ ହିଁ କେବଳ ଗାଁ ପାଇଁ ଗୌରବ ଆଣି ନ ଥିଲେ, ବରଂ ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ଗୌରବାନ୍ୱିତ କରିଥିଲେ। ୨୦୧୦ରେ ଗୀତାଙ୍କୁ କମନୱେଲ୍‌ଥ ଗେମ୍‌ରେ ସ୍ୱର୍ଣ୍ଣ ପଦକ ମିଳିଥିଲା। ଏହା ପରେ ଫୋଗଟ୍ ପରିବାର ଆଉ ପଛକୁ ଫେରି ଚାହିଁ ନାହାନ୍ତି। ୟେ ହେଉଛି ସେହି ଫୋଗଟ୍ ପରିବାର, ଯାହାଙ୍କ ସଂଘର୍ଷର କାହାଣୀ ପ୍ରସିଦ୍ଧ ଅଭିନେତା ଆମିର ଖାନଙ୍କ ବଲିଉଡ଼ ଫିଲ୍ମ ‘ଦଙ୍ଗଲ’ରେ ଆପଣ ଦେଖିସାରିଛନ୍ତି।

vinesh phogat fight

୨୦୧୪ ଟର୍ଣ୍ଣିଂ ପଏଣ୍ଟ ଥିଲା

ପ୍ରଥମେ ପ୍ରଥମେ କୁସ୍ତିରେ ରୁଚି ରଖୁ ନ ଥିବା ବିନେଶ କିନ୍ତୁ ପରେ ସେଥିରେ  ସୁନା ପରି ଚମିକଲେ। ୨୦୧୩ ଏସୀୟ କୁସ୍ତି ଚାମ୍ପିୟନଶିପ୍‌ ଓ ରାଜ୍ୟଗୋଷ୍ଠୀ କୁସ୍ତି ଚାମ୍ପିୟନଶିପ୍‌ର ୫୧ କେଜି ବର୍ଗରେ ତାଙ୍କୁ ବ୍ରୋଞ୍ଜ ଓ ରୌପ୍ୟ ପଦକ ମିଳିଥିଲା। ୨୦୧୪ରେ ବିନେଶଙ୍କ ପ୍ରତିଭା ଚମକିଲା। ସେଥର ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୯ ବର୍ଷୀୟ ବିନେଶ ୪୮ କେଜି ବର୍ଗର ଫ୍ରିଷ୍ଟାଇଲ ରେସଲିଂରେ ସ୍ୱର୍ଣ୍ଣ ପଦକ ଜିତିଲେ। ଏହାପରେ ଇଞ୍ଚିୟୋନ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ଓ ଏସୀୟ ରେସଲିଂ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ମିଳିଲା।

ଅଲିମ୍ପିକରୁ ବାଦ୍ ପଡ଼ିବାରୁ ଘାରିଥିଲା ନିରାଶା

ଜୀବନର ପ୍ରଥମ ଅଲିମ୍ପିକ ମନୋନୟନ ମୁକାବିଲାରେ ତାଙ୍କ ଓଜନ ୪୦୦ ଗ୍ରାମ ଅଧିକ ଥିବାରୁ ତାଙ୍କ ଚୟନ ଖାରଜ ହୋଇଥିଲା। ଏହା ତାଙ୍କ ପାଇଁ ବଡ଼ କଷ୍ଟଦାୟକ ଥିଲା ଓ ସେ ସମ୍ପୂର୍ଣ୍ଣ ନିରାଶ ହୋଇଯାଇଥିଲେ। କିନ୍ତୁ ଏହାପରେ ସେ ସଫଳ ପ୍ରତ୍ୟାବର୍ତ୍ତନ କରି ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ମନୋନୀତ ହେଲେ। ସେଥିରେ ସେ ପ୍ରଥମ ମହିଳା ରେସଲର ଭାବେ ଚୟନ ହୋଇଥିଲେ। ପରେ ତାଙ୍କ ଭଉଣୀ ବବିତା କୁମାରୀ ଓ ସାକ୍ଷୀ ମଲିକଙ୍କ ମନୋନୟନ ହୋଇଥିଲା। ସେଥର ଦଳ କ୍ୱଆର୍ଟର ଫାଇନାଲ ପର୍ଯ୍ୟନ୍ତ ଯାଇପାରିଥଲା। ୨୦୧୮ ଏସିଆନ ଗେମ୍‌ସରେ ସେ ଭାରତର ପ୍ରଥମ ମହିଳା ରେସ୍‌ଲର ଭାବେ ସ୍ୱର୍ଣ୍ଣ ପଦକ ଜିତିଲେ।

Comment