ଓଡ଼ିଶାଲାଇଭ୍ ବ୍ୟୁରୋ

‘ରାଜୀବ ଗାନ୍ଧୀ ଖେଳରତ୍ନ’ ପୁରସ୍କାରର ନାମ ପରିବର୍ତ୍ତନ କରାଯାଇଛି। ଏଣିକ ଏହି ପୁରସ୍କାରର ନାମ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ’ ହୋଇଛି। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ମୋଦୀ ଟୁଇଟରେ ଲେଖିଛନ୍ତି, “ମେଜର ଧ୍ୟାନଚାନ୍ଦ ହେଉଛନ୍ତି ଜଣେ ବିଶିଷ୍ଠ କ୍ରୀଡ଼ାବିତ୍, ଯିଏକି ଦେଶ ପାଇଁ ଅନେକ ସମ୍ମାନ ଓ ଗୌରବ ଆଣିଛନ୍ତି। ତେଣୁ ତାଙ୍କ ନାମ ଅନୁସାରେ ଏହି କ୍ରୀଡ଼ା ସମ୍ମାନ ନାମିତ ହେବା ଯଥାର୍ଥ।”

ସେ ଆଉ ମଧ୍ୟ କହିଛନ୍ତି, “ମେଜର ଧ୍ୟାନଚାନ୍ଦଙ୍କ ନାଁରେ ଖେଳ ରତ୍ନ ପୁରସ୍କାରକୁ ନାମିତ କରିବା ପାଇଁ ସମଗ୍ର ଦେଶରୁ ପ୍ରସ୍ତାବ ଆସୁଥିଲା। ତେଣୁ ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଜଣାଇ ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପୁରସ୍କାରର ନାମ ପରିବର୍ତ୍ତନ କରି ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ’ ପୁରସ୍କାର ନାମରେ ନାମିତ କରାଯାଇଛି।”ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମାନୁସାରେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’ ନାମିତ ହୋଇଥିଲା। କିନ୍ତୁ ଗୁରୁବାର ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ତାରକାମାନଙ୍କର ଭଲ ପ୍ରଦର୍ଶନ ପାଇଁ ବର୍ତ୍ତମାନ ଏହି ନାମରେ ପରିବର୍ତ୍ତନ କରାଯାଇଥିବା ମୋଦୀ କହିଛନ୍ତି। ଏଥିସହ ସେ ଆଉ ମଧ୍ୟ କହିଛନ୍ତି, ଖାଲି ପୁରୁଷ ଟିମ୍ ନୁହେଁ ମହିଳା ହକି ଟିମ୍ ମଧ୍ୟ ଭଲ ପ୍ରଦର୍ଶନ କରିଛି। ଦଳର ଏଭଳି ସଙ୍ଘର୍ଷପୂର୍ଣ୍ଣ ପ୍ରଦର୍ଶନ ଆଗାମୀ ପିଢ଼ି ପାଇଁ ପ୍ରେରଣା ହେବ।

Comment