ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତକୁ ମିଳିଛି ନିଜର ନୂଆ ସଂସଦ ଭବନ। ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନୂଆ ସଂସଦ ଭବନକୁ ଲୋକାର୍ପିତ କରିଛନ୍ତି।  ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ନୂଆ ଭବନର ଉଦଘାଟନ କରଯାଇଥିଲା।

ରବିବାର ସକାଳେ ତାମିଲନାଡ଼ୁର ଆଦିନମ ମଠ ଓ କର୍ଣ୍ଣାଟକର ଶୃଙ୍ଗେରୀ ମଠରୁ ଆସିଥିବା ସାଧୁସନ୍ଥଙ୍କ ଦ୍ୱାରା ଏଠାରେ ପୂଜାପାଠ ଓ ହୋମଯଜ୍ଞ କରଯାଇଥିଲା। ଏହାପରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ (ରାଜଦଣ୍ଡ) ପ୍ରଦାନ କରିଥିଲେ। ଏହାକୁ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନର ଲୋକସଭା କକ୍ଷରେ ଥିବା ବାଚସ୍ପତିଙ୍କ ଆସନ ପାଖରେ ସ୍ଥାପନ କରିଥିଲେ। ଉଦଘାଟନୀ ଅବସରରେ ଏଠାରେ ସର୍ବଧର୍ମ ପ୍ରାର୍ଥନା ସଭା କରାଯାଇଥିଲା।

“ଏହି ନୂଆ ସଂସଦ ଭବନ କେବଳ ଏକ କୋଠା ନୁହେଁ, ଏହା ହେଉଛି ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାର ପ୍ରତୀକ। ଏହା ସାରା ବିଶ୍ଵକୁ ନୂଆ ଭାରତର ପ୍ରତିବଦ୍ଧତାର ବର୍ତ୍ତା ଦେଉଛି। ମାତ୍ର ଅଢ଼େଇ ବର୍ଷ ମଧ୍ୟରେ ନିର୍ମିତ ଏହି ଭବନ ଆତ୍ମନିର୍ଭର ଭାରତର ସାକ୍ଷୀ ରହିବ। ଏହା ଆମ ଗଣତନ୍ତ୍ର ଓ ସମ୍ବିଧାନକୁ ଆହୁରି ମଜବୁତ କରିବ। ଭାରତର ଇତିହାସରେ ମେ’ ୨୮ର ଏହି ଦିନ ଚିରସ୍ମରଣୀୟ ହୋଇ ରହିବ”, କହିଛନ୍ତି ନରେନ୍ଦ୍ର ମୋଦୀ।

ଏହି ଉଦଘଟନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନକଢ଼ ପଠାଇଥିବା ଶୁଭେଚ୍ଛା ବର୍ତ୍ତାକୁ ରାଜ୍ୟସଭା ଉପାଧ୍ୟକ୍ଷ  ହରିବଂଶ ନାରାୟଣ ସିଂହ ପଢ଼ିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ସଂସଦ ଭବନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା କିଛି ଶ୍ରମିକଙ୍କୁ ସମ୍ମାନିତ କରିଥିଲେ।

ଏହି ନୂଆ ସଂସଦ ଭବନ ମୋଟ ୬୪ ହଜାର ୫୦୦ ବର୍ଗ ମିଟର ଅଞ୍ଚଳରେ ନିର୍ମିତ। ଏଥିରେ ଲୋକସଭାରେ ୮୮୮ ଜଣ ଏବଂ ରାଜ୍ୟସଭାରେ ୩୮୪ ଜଣ ସଦସ୍ୟଙ୍କ ପାଇଁ ବସିବାର ବ୍ୟବସ୍ଥା ରହିଛି। ଅନେକ ଅତ୍ୟାଧୁନିକ ସୁବିଧା ଏହି ସଂସଦ ଭବନରେ ରହିଛି। ୨୦୨୦ ମସିହା ଡିସେମ୍ବର ମାସରେ ଏହି ସଂସଦ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ କରଯାଇଥିଲା।

ନୂଆ ସଂସଦ ଭବନର ଉଦଘାଟନୀ କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ପ୍ରମୁଖ ଯୋଗ ଦେଇଥିଲେ। ଏହାଛଡ଼ା ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଏବଂ ଅନେକ ସାଂସଦ ଏଠାରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ସମେତ ୨୦ଟି ବିରୋଧୀ ଦଳ ବର୍ଜନ କରିଥିଲାବେଳେ ବିଜେଡି ଓ ୱାଇଏସଆର୍ କଂଗ୍ରେସ ସମେତ ଅନ୍ୟ ୨୫ଟି ଦଳର ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Tags: #NewParliamentBuilding #Inaguaration #PrimeMinister #NewDelhi #India

 

Comment