ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ବର ମାସରେ ହେବାକୁ ଥିବା ହକି ୱାର୍ଲ୍‌ଡ ଲିଗ୍ ଫାଇନାଲ୍ ପାଇଁ ଶୁକ୍ରବାର ଦିନ ଅନ୍‌ଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି। ଟିକେଟ୍ ମୂଲ୍ୟ ୫୦ଟଙ୍କାରୁ ୨୫୦ ଟଙ୍କା ଯାଏ ଧାର୍ଯ୍ୟ କରାଯାଇଛି। www.ticketgenie.inରେ ହକିପ୍ରେମୀମାନେ ଟିକେଟ୍ କ୍ରୟ କରିପାରିବେ। ଏହି ମ୍ୟାଚରେ ବିଶ୍ୱର ପ୍ରମୁଖ ଦେଶର ଖେଳାଳିମାନେ ଅଂଶଗ୍ରହଣ କରିବେ।
କଳିଙ୍ଗ ଷ୍ଟାଡିୟମରେ ଆଗାମୀ ଦିନରେ ହେବାକୁ ଯାଉଛି ଦୁଇଟି ଅନ୍ତର୍ଜାତୀୟ ହକି ଇଭେଣ୍ଟ। ଡିସେମ୍ବର ୧ରୁ ୧୦ ଯାଏ ଚାଲିବ ହକି ୱାର୍ଲ୍ଡ ଲିଗ୍ ଫାଇନାଲ୍ ଓ ୨୦୧୮ରେ ହେବ ହକି ବିଶ୍ୱକପ୍। ଶୁକ୍ରବାର ଦିନ ଇଣ୍ଟରନ୍ୟାସନାଲ୍ ହକି ଫେଡେରେସନର ସଭାପତି ନରିନ୍ଦର ବାତ୍ରା ଓ ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ୍ କଳିଙ୍ଗ ଷ୍ଟାଡିୟମ ବୁଲି ଦେଖିଛନ୍ତି। ଇଭେଣ୍ଟ ପୂର୍ବରୁ ଷ୍ଟାଡିୟମକୁ ଆହୁରି ସରସ ସୁନ୍ଦର କରିବା ପାଇଁ କ୍ରୀଡ଼ା ସଚିବ ବିଶାଲ ଦେବ ଓ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ୍ କ୍ରିଷ୍ଣାଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି।
ଆଗାମୀ ଇଭେଣ୍ଟ ପାଇଁ ରାଜ୍ୟ ସରକାର ୧୫ କୋଟି ଟଙ୍କା ଖର୍ଚ୍ଚ କରିବେ। ଯେଉଁଥିରେ ଷ୍ଟାଡିୟମର ଦର୍ଶକ ଗ୍ୟାଲେରୀ ଉନ୍ନତିକରଣ ସହ ସିଟ୍‌ ସଂଖ୍ୟାକୁ ବୃଦ୍ଧି କରାଯିବ। ଷ୍ଟାଡିୟମରେ ଆଗାମୀ ଦିନରେ କିପରି ଖେଳାଳିଙ୍କ ପାଇଁ ପ୍ରାକ୍ଟିସ୍ ଗ୍ରାଉଣ୍ଡ ନିର୍ମାଣ କରାଯିବ ସେ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି।
ହକି ଫେଡେରେସନର ସଭାପତି ନରିନ୍ଦର ବାତ୍ରା କହିଛନ୍ତି ଯେ, କଳିଙ୍ଗ ଷ୍ଟାଡ଼ିୟମ ଏକ ଉନ୍ନତ ଧରଣର ଷ୍ଟାଡ଼ିୟମ। ଓଡ଼ିଶା ସରକାରଙ୍କର ଏହି ଷ୍ଟାଡ଼ିୟମ ପ୍ରସ୍ତୁତିରେ ଆମେ ଖୁସି। କେବଳ ପ୍ରୋଟୋକଲ ଅନୁଯାୟୀ ମ୍ୟାଚ୍ ପୂର୍ବରୁ ଷ୍ଟାଡ଼ିୟମରେ ନୂଆ  ଟର୍ଫ ବିଛାଯିବ। ଯାହାକି ହକି ଖେଳାଳିଙ୍କୁ ସୁହାଇବ।
ଆମେ ଚାହୁଁଛୁ କଳିଙ୍ଗ ଷ୍ଟାଡ଼ିୟମରେ ସବୁବେଳେ ଇଣ୍ଟର ନ୍ୟାସନାଲ୍ ମ୍ୟାଚ୍ ଖେଳାଯାଉ। ଆଗାମୀ ଦିନରେ ରାଜ୍ୟ ସରକାର ଦର୍ଶକଙ୍କ ପାଇଁ ସିଟ୍ ସଂଖ୍ୟା ୯୦୦୦ରୁ ୧୫,୦୦୦କୁ ବୃଦ୍ଧି କରିବେ ବୋଲି କ୍ରୀଡ଼ା ସଚିବ ବିଶାଲ ଦେବ କହିଛନ୍ତି ।

Tags: Bhubaneswar News, Breaking News, Hockey, Indian Sports, Kalinga Stadium, Latest News, Odisha Breaking News, Odisha News, Odisha Stories, Odisha Top Stories, Sports, Top Stories, World Hockey Championship

Comment