ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଖୁବ୍‍ ଶୀଘ୍ର ସାଇନାଙ୍କ ବାୟୋପିକରେ ନଜର ଆସୁଛନ୍ତି ଶ୍ରଦ୍ଧା କପୁର ଏଥିପାଇଁ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି

୧୮ତମ ଏସିଆନ ଗେମ୍‌ସ୍‌ରେ ବ୍ରୋଞ୍ଜ ପଦକ ଜିତି ଚର୍ଚ୍ଚାରେ ଅଛନ୍ତି ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ। ଏହି ଜିତିବାକୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ଶୁଭ କାମନା ଜଣାଇଥିଲେ ଅନେକ ରାଜନେତା ଓ ବଲିଉଡ ଅଭିନେତାମାନେ। ସେମାନଙ୍କ ମଧ୍ୟରେ ଏକ ଅଭିନବ ଢଙ୍ଗରେ ଶୁଭ କାମନା ଜଣାଇଥିଲେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର।

ଶ୍ରଦ୍ଧା ଖୁବ୍‍ ଶୀଘ୍ର ସାଇନାଙ୍କ ବାୟୋପିକରେ ନଜର ଆସିବାକୁ ଯାଉଛନ୍ତି। ଏଥିପାଇଁ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। ଏହି ଭୂମିକାକୁ ଜୀବନ୍ତ କରିବା ପାଇଁ ନିଜର ଦିନଚର୍ଯ୍ୟାରେ ମଧ୍ୟ ଅନେକ ପରିବର୍ତ୍ତନ ଆଣିଛନ୍ତି ଶ୍ରଦ୍ଧା। ସକାଳ ୫ଟାରୁ ଉଠି ୱାର୍କ ଆଉଟ୍‍ ଆରମ୍ଭ କରୁଛନ୍ତି ଶ୍ରଦ୍ଧା।

ସାଇନାଙ୍କ ବାୟୋପିକର ସୁଟିଂ ଆଗାମୀ ସେପ୍ଟେମ୍ବର ମାସରୁ ଆରମ୍ଭ ହେବାକୁ ଯାଉଛି। ଶ୍ରଦ୍ଧାଙ୍କ ମତରେ ଜଣେ ରିଅଲ ଲାଇଫ୍‍ ହିରୋଙ୍କ ଭୂମିକା ନିଭାଇବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ। ଅଭିନୟକୁ ଜୀବନ୍ତ କରିପାରିଲେ ହିଁ ତାହା ଦର୍ଶକଙ୍କ ମନକୁ ଛୁଇଁପାରେ। ସାଇନାଙ୍କ ଭୂମିକା ପରଦାରେ ନିଭାଇବା ତାଙ୍କ ପାଇଁ ଏତେ ସହଜ ନୁହେଁ। ଏଥିପାଇଁ ତାଙ୍କୁ ପ୍ରତିଦିନ ପ୍ରଶିକ୍ଷଣ ମଧ୍ୟ ନେବାକୁ ପଡ଼ୁଛି।

ଏବେ ନାୟିକା ଶ୍ରଦ୍ଧା କପୁର ନିଜ ହରର୍‍ କମେଡି ମୁଭି ‘ସ୍ତ୍ରୀ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ସିନେମା ଅଗଷ୍ଟ ୩୧ରେ ରିଲିଜ୍‍ ହେବାକୁ ଯାଉଛି।  ଦିନେଶ ବିଜନଙ୍କ ପ୍ରଯୋଜିତ ‘ସ୍ତ୍ରୀ’ ସିନେମାର କାହାଣୀ ଜଣେ ଟେଲର ଓ ତାଙ୍କ ପତ୍ନୀଙ୍କ ସମ୍ପର୍କକୁ ନେଇ ତିଆରି ହୋ‍ଇଛି। ଏହି ଫିଲ୍ମରେ ରାଜ କୁମାର ଟେଲର୍ ଅବତାରରେ ଓ ଶ୍ରଦ୍ଧା କପୁର ଭୂତୁଣୀ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି।

ଏହାଛଡ଼ା ଶ୍ରଦ୍ଧା ‘ବତି ଗୁଲ୍‌ ମିଟର ଚାଲୁ’ ସିନେମାରେ ମଧ୍ୟ ନଜର ଆସୁଛନ୍ତି। ଏହି ଚଳଚ୍ଚିତ୍ର ଆଗାମୀ ସେପ୍ଟେମ୍ବର ୧୪ ତାରିଖରେ ରିଲିଜ୍‌ ହେଉଛି। ଏଥିରେ ଶ୍ରଦ୍ଧାଙ୍କ ସହିତ ଶାହିଦ୍‌ କପୁର, ୟାମୀ ଗୌତମ୍‌ ମଧ୍ୟ ପରଦାରେ ମୁଖ୍ୟ ଭୂମିକା ନିଭାଉଛନ୍ତି।

Comment