ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅନନ୍ତ ଓଝାଙ୍କ କେତେକ ଯାତ୍ରାନାଟକରେ ସାମ୍ପ୍ରଦାୟିକ ସଦ୍ଭାବନାର ବାର୍ତ୍ତା ଦିଆଯାଇଛି ଆସନ୍ତୁ ନଜର ପକାଇବା ଏଭଳି କେତୋଟି ଚର୍ଚ୍ଚିତ ଯାତ୍ରା ନାଟକ ଉପରେ

ଆମ ଦେଶ ହେଉଛି ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏହି ଦେଶରେ ହିନ୍ଦୁ, ମୁସଲମାନ୍‌, ଖ୍ରୀଷ୍ଟିଆନ୍‌, ଶିଖ୍‌ ଏଭଳି ଭିନ୍ନ ଭିନ୍ନ ଧର୍ମର ଲୋକେ ବସବାସ କରନ୍ତି। ସେହିସବୁ ଧର୍ମର ଲୋକଙ୍କ ଭିତରେ ଥିବା ସମ୍ପର୍କକୁ ନେଇ କେତୋଟି ଯାତ୍ରା ନାଟକ ରଚିତ ହୋଇଛି। ତେବେ ଯଲିଉଡରେ ମୁଖ୍ୟତଃ ହିନ୍ଦୁ-ମୁସଲମାନ୍ ଧର୍ମର ସାମ୍ପ୍ରଦାୟିକତାକୁ ବିଶେଷ ଗୁରୁତ୍ୱ ଦିଆଯାଇ ନାଟକ ପରିବେଷିତ ହୋଇଛି।

ନବେ ଦଶକରେ ମଞ୍ଚସ୍ଥ ହୋଇଥିବା ଏକ ଲୋକପ୍ରିୟ ଯାତ୍ରା ନାଟକ ହେଲା ‘ଡିମିର ଫୁଲ’। ଅନନ୍ତ ଓଝା ଏହାର ନାଟ୍ୟକାର ଓ ଦେବୀ ରଥ ନିର୍ଦ୍ଦେଶନା ଦେଇଥିଲେ। ତାରପୁର ଅପେରା ପକ୍ଷରୁ ଏହା ପରିବେଷିତ ହୋଇଥିଲା। ହିନ୍ଦୁ-ମୁସଲମାନ ଧର୍ମର ମିଳନର ବାର୍ତ୍ତା ଥିଲା ଏହି ନାଟକରେ।

ସେହି ନବେ ଦଶକରେ ସାମ୍ପ୍ରଦାୟିକ ସଦ୍‌ଭାବନା ପ୍ରସଙ୍ଗ ଉପରେ ଆଧାରିତ ଏକ ନାଟକ ଓଡ଼ିଶା ଅପେରା ପକ୍ଷରୁ ମଞ୍ଚସ୍ଥ ହୋଇଥିଲା। ଏହାର ଶୀର୍ଷକ ଥିଲା ‘ମାଆ ଡାକୁଛି ଆ’। ସୁଧାଂଶୁ ନାୟକଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ମନୋଜ ପଟ୍ଟନାୟକ। ଏହି ନାଟକ ଜରିଆରେ ଓଡ଼ିଆ ଅପେରା ରାଜ୍ୟରେ ଚହଳ ପକାଇଥିଲା।

ଜଗନ୍ନାଥଙ୍କ ପରମଭକ୍ତ ସାଲବେଗଙ୍କ ଉପରେ ଆଧାରିତ ଥିଲା ଏକ ଯାତ୍ରାନାଟକ, ଯାହାର ଶୀର୍ଷକ ହେଲା ‘ମା ମୋ ବ୍ରାହ୍ମଣୀ ସତ’। ଏହାର ନାଟ୍ୟକାର ଓ ନିର୍ଦ୍ଦେଶକ ଥିଲେ ସୁରେନ୍ଦ୍ର ମହାନ୍ତି। ଅଶି ଦଶକରେ ମଞ୍ଚସ୍ଥ ଏହି ନାଟକକୁ କୁହାଯାଇପାରେ ସାମ୍ପ୍ରଦାୟିକ ସଦଭାବନାର ବାର୍ତ୍ତାବହନ କରିଥିବା ପ୍ରଥମ ଯାତ୍ରା ନାଟକ।

ତୁଳସୀ ଗଣନାଟ୍ୟର ସାମ୍ପ୍ରଦାୟିକ ସଦଭାବନା ଉପରେ ଆଧାରିତ ନାଟକ ହେଲା ‘ତୋ କାନି ତଳେ ଜୀବନ ଯାଉ’। ରାଜଶ୍ରୀ ଗଣନାଟ୍ୟର ‘ବୋଉଲୋ ବାର ହାତ ଖଣ୍ଡା ବୁଲୁଛି’ର କାହାଣୀରେ ବି ସାମ୍ପ୍ରଦାୟିକ ସଦ୍‌ଭାବନା ଥିଲା ମୁଖ୍ୟ ପ୍ରସଙ୍ଗ। ଏହାର ନାଟ୍ୟକାର ହେଲେ ଅନନ୍ତ ଓଝା। ଠିକ୍ ସେହିପରି ଶିବାନୀ ଗଣନାଟ୍ୟର ‘ହରେ କୃଷ୍ଣ ହରେ ରାମ’ ଓ ଅପେରା ଶ୍ରୀ ଜଗନ୍ନାଥର ‘ଯୁଗେ ଯୁଗେ ଜଗନ୍ନାଥ’ ମଧ୍ୟ ସାମ୍ପ୍ରଦାୟିକ ସଦ୍‌ଭାବନାର ବାର୍ତ୍ତା ବହନ କରିଥିବା ଯୁଗାନ୍ତକାରୀ ଯାତ୍ରା ନାଟକ।

Comment