ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ପୋଲିସ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ୍ଵାଇବି ଖୁରାନିଆ।
ପୋଲିସ ମୁଖ୍ୟାଳୟଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ଉପନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ ଡିଜିପି। ନିର୍ବାଚନ ଆଚରଣ ବିଧିର କଡ଼ାକଡ଼ି ପାଳନ, ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥା ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।
ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ, ବେଆଇନ ଟଙ୍କା କାରବାର ବନ୍ଦ କରିବା ସହ ବେଆଇନ ଅସ୍ତ୍ରଶସ୍ତ୍ର ଓ ମଦ ଜବତ କରିବା ଏବଂ ୱାରେଣ୍ଟ ଲାଗିଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବାକୁ ଗୁରୁତ୍ୱ ଦେଇଥିଲେ।
ଅତିରିକ୍ତ ଡିଜିପି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ମୋବାଇଲ ପେଟ୍ରୋଲିଙ୍ଗ ଏବଂ ଫ୍ଲାଇଙ୍ଗ୍ ସ୍କ୍ୱାଡ କାର୍ଯ୍ୟକୁ ବଢ଼ାଇବା ଏବଂ ନିର୍ବାଚନମଣ୍ଡଳୀର ବିଭିନ୍ନ ପ୍ରବେଶ ପଥରେ ନାକା ପୋଷ୍ଟ ସ୍ଥାପନ କରି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିବା ଓ ଗଦିମାନଙ୍କରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ନେଇ ଗୁରୁତ୍ୱ ଦେଇଥିଲେ।
ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ କୋଚେ ଉପନିର୍ବାଚନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ତଥ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଡିଆଇଜିପି ଓ ଏସପିଙ୍କୁ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ।
ଉପନିର୍ବାଚନ ସମୟରେ ସମ୍ଭାବ୍ୟ ମାଓବାଦୀ କାର୍ଯ୍ୟକଳାପକୁ ଏଡାଇବା ପାଇଁ ଏଡିଜିପି (ଏଏନଓ) ସଞ୍ଜୀବ ପଣ୍ଡା ଜିଲ୍ଲାର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ କମ୍ବିଂ ଅପରେସନ ଓ ମାଓବାଦୀ ବିରୋଧୀ ଅଭିଯାନକୁ ଜୋରଦାର କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିପାଇଁ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତ କରାଯାଇଥିବା କହିଛନ୍ତି।
ନୂଆପଡ଼ା ବିଧାନସଭା ଉନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ୧୪ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ, ୫ ପ୍ଲାଟୁନ୍ ରାଜ୍ୟ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ ତଥା ଅତିରିକ୍ତ ପୋଲିସ ରିଜର୍ଭ, ୩୫ଟି ମୋବାଇଲ୍ ପାଟ୍ରୋଲିଂ ପାର୍ଟି, ୧୮ଟି ଫ୍ଲାଇଙ୍ଗ ସ୍କ୍ୱାଡ୍, ୧୮ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ୍ ସହିତ ଜିଲ୍ଲା ପୋଲିସ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହେବେ।
Tags: #NuapadaAssemblyByElection #DGP #PoliceSecurityArrangement #SecurityReview #Odisha

















