ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୨୮ ତାରିଖ ସକାଳେ ଭୀଷଣ ରୂପ ନେଇ ବାତ୍ୟା ‘ମୋନ୍ଥା’ ଉପକୂଳ ଆଡ଼କୁ ଗତି କରିବା ସହ ସନ୍ଧ୍ୟା କିମ୍ବା ରାତିରେ କାକିନାଡ଼ା ପାଖାପାଖି ମଛଲିପଟନମ୍ ଏବଂ କଳିଙ୍ଗପଟନମ୍ ମଧ୍ୟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରାଯାଇଛି।

ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଏଥିରେ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ।

ବିଶେଷକରି ଅଧିକ ପ୍ରଭାବିତ ଆଶଙ୍କା ଥିବା ୮ଟି ଜିଲ୍ଲା ଉପରେ ସତର୍କ ନଜର ରଖାଯାଇଛି। ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

Tags: #CyclonicStorm #Montha #OdishaAlert #MonthaUpdates

Comment