ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଝଡ଼ ‘ଫନି’କୁ ନେଇ ପଢ଼ନ୍ତୁ ବର୍ତ୍ତମାନର ଟିକିନିଖି ଖବର।

ସକାଳ ୮.୩୦ରେ ପୁରୀରେ ଲ୍ୟାଣ୍ଡଫଲ୍‌ କରିବ ‘ଫନି’ – ଏସ୍‌ଆର୍‌ସି

ଅତି ଭୟଙ୍କର ରୁପ ନେଇ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଫନି’। ବର୍ତ୍ତମାନ ପୁରୀଠାରୁ ମାତ୍ର ୨୧୫ କିଲୋମିଟର ଦୂରରେ ରହିଛି ‘ଫନି’, ଯାହାକି ଘଣ୍ଟାପ୍ରତି ୨୩ କିଲୋମିଟର ବେଗରେ ଓଡ଼ିଶା ଉପକୂଳକୁ ଗତି କରୁଛି।

ଟ୍ୱିନସିଟିରେ ବହିବ ୧୦୦ କିଲୋମିଟର ବେଗରେ ପବନ

ସାମୁଦ୍ରିକ ଝଡ଼ ‘ଫନି’ ଭୟଙ୍କର ଗତିରେ ପୁରୀ ଅଭିମୁଖେ ମାଡ଼ି ଆସୁଛି। ପୁରୀ ସହର ପାଖରେ ଫନି ଲ୍ୟାଣ୍ଡଫଲ୍ କରିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ କରିବା ବେଳେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପବନର ବେଗ ଘଣ୍ଟାକୁ ୧୭୦ରୁ ୧୮୦ କିଲୋମିଟର ରହିବ।

ବାତ୍ୟା ‘ଫନି’ ପାଇଁ କ’ଣ ହୋଇଛି ପ୍ରସ୍ତୁତି?

ପୁରୀଠାରୁ ୨୩୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଫନି’। ବାତ୍ୟା ଯେତିକି ନିକଟତର ହେଉଛି ଲୋକଙ୍କ ମନରେ ସେତିକି ଭୟ ସୃଷ୍ଟି ହେଉଛି। ବାତ୍ୟା ଫନିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପୂରା ସଜାଗ ହୋଇ ରହିଛନ୍ତି।

‘ଫନି’ ମୁକାବିଲା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ସଜାଗ – ୫୬୧ ଆଶ୍ରୟସ୍ଥଳର ବ୍ୟବସ୍ଥା

ଓଡ଼ିଶା ମୁହାଁ ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରୁ ଲୋକଙ୍କୁ ରକ୍ଷା କରିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଜିଲ୍ଲାର ୮ଟି ବ୍ଲକ, ଗୋଟିଏ ମୁନ୍‌ସିପାଲିଟି ଓ ୩ ଗୋଟି ଏନ୍ଏସି ଅଞ୍ଚଳର ଲୋକଙ୍କୁ ଏନେଇ ସର୍ତକ କରାଯାଇଛି। ବାତ୍ୟା ସମୟରେ ଲୋକେ ନିରାପଦରେ ରହିବା ପାଇଁ ୫୬୧ ଆଶ୍ରୟସ୍ଥଳର ବ୍ୟବସ୍ଥା ହୋଇଛି। ସେଥିରେ ୩୦ ହଜାର ୯ ଶହ ୩୨ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯିବା ପାଇଁ ପଦକ୍ଷେପ ଗ୍ରହଣ ହୋଇଛି। ଆବଶ୍ୟକ ଔଷଧ ପତ୍ର, ସୁଖିଲା ଓ ରନ୍ଧା ଖାଦ୍ୟ, ପାନୀୟ ଜଳ ଏବଂ ଆଲୋକ ବ୍ୟବସ୍ଥା କରାଯାଇ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

‘ଫନି’ ପ୍ରଭାବରେ ରାଜ୍ୟରେ ବର୍ଷା

ଭୟଙ୍କର ରୁପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫାନି’। ବାତ୍ୟା ‘ଫାନି’ର ପ୍ରଭାବରେ ଏବେଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାରେ ଲାଗିଲାଣି। ଝିପିଝିପି ବର୍ଷା ସାଙ୍ଗକୁ ପବନ ମଧ୍ୟ ବହିବାରେ ଲାଗିଛି। ତେବେ ଗରୁବାର ମଧ୍ୟରାତ୍ରୀରୁ ଅନେକ ବର୍ଷା ବର୍ଷା ଆରମ୍ଭ ହୋଇଯିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

‘ଫନି’ ପାଇଁ ଆଜି ମଧ୍ୟରାତ୍ରୀରୁ ୨୪ ଘଣ୍ଟିଆ ବିମାନ ସେବା ବାତିଲ

ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଫନି’। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟି ରଖି ଆଗାମୀ ୨୪ ଘଣ୍ଟା ଯାଏଁ ରାଜ୍ୟରେ କୌଣସି ବିମାନ ଚଳାଚଳ ହେବ ନାହିଁ। ଆଜି ମଧ୍ୟରାତ୍ରୀରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସମସ୍ତ ବିମାନସେବା ବାତିଲ ହୋଇଛି। ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କିଛି ସମୟ ପୂର୍ବରୁ ଏୟାରପୋର୍ଟକୁ ଆସୁଥିବା ଏବଂ ଯାଉଥିବା ସମସ୍ତ ଇଣ୍ଡିଗୋ ବିମାନଗୁଡ଼ିକୁ ବାତିଲ କରାଯାଇଥିଲା।

ବାତ୍ୟା ‘ଫନି’କୁ ନେଇ ପୂବତଟ ରେଲୱେ ଯାତ୍ରୀଙ୍କ ଲାଗି ଜାରି କରିଛି  ହେଲ୍ପଲାଇନ ନମ୍ବର। ଯାତ୍ରୀଙ୍କ ସୁରକ୍ଷା ଲାଗି ପୂର୍ବତନ ରେଲୱେ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପ୍ରତିଷ୍ଟେସନ ଲାଗି ତିନୋଟି ହେଲ୍ପ ଲାଇନନମ୍ବର ଜାରି କରାଯାଇଛି।

ବର୍ଷାକୁ ଦୃଷ୍ଟିରେ ରଖି ୧୭ଜିଲ୍ଲା ପାଇଁ ଜାରିହେଲା ରେଡ୍ ୱାର୍ଣ୍ଣିଂ

ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ରାଜ୍ୟରେ ଅନେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇସାରିଛି। କିଛିଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିବା ବେଳେ କିଛିସ୍ଥାନରେ ଝିପିଝିପି ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲା ଲାଗି ରେଡ ଆଲର୍ଟ ଜାରି କରିଛନ୍ତି।

ଆଉ ୪ଟ୍ରେନ ବାତିଲ, କିଛି ଟ୍ରେନର ବଦଳିଲା ରୁଟ୍

ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇସାରିଛି ‘ଫନି’। ଏହା ଏବେ ପୁରୀଠୁ ୩୬୦ କିମି ଦୂରରେ ଅଛି। ସେହିପରି ପାଣିପାଗ ବିଭାଗର ସଦ୍ୟତମ ସୂଚନାନୁସାରେ ଏହା ଆସନ୍ତାକାଲି ସକାଳ ୧୦ରୁ ୧୨ଟା ମଧ୍ୟରେ ପୁରୀ ପାଖାପାଖି ଲ୍ୟାଣ୍ଡଫଲ କରିପାରେ। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଲୱେ ଅଧିକ ଟ୍ରେନକୁ ବାତିଲ କରିଦେଇଛି।

‘ଫନି’ ପାଇଁ +୨ ଖାତା ମୂଲ୍ୟାୟନ ବନ୍ଦ

ଓଡ଼ିଶା ଆଡ଼କୁ ମାଡ଼ି ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି +୨ ଖାତା ମୂଲ୍ୟାୟନ ବନ୍ଦ କରାଯାଇଛି। ବାତ୍ୟାରେ ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡ଼ିକରେ +୨ ଖାତା ମୂଲ୍ୟାୟନ ବନ୍ଦ କରାଯାଇଥିବା ବେଳେ ପ୍ରଭାବିତ ହେବାକୁ ନ ଥିବା ଜିଲ୍ଲାରେ ମୂଲ୍ୟାୟନ ପୂର୍ବପରି ଚାଲିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ-ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ଦାଶ ସୂଚନା ଦେଇଛନ୍ତି।

ମୟୂରଭଞ୍ଜରେ ପହଞ୍ଚିଲେ ଏନଡିଆରଏଫ୍ ଟିମ୍

ବାତ୍ୟା ଫନି ପାଇଁ ମୟୂରଭଞ୍ଜ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ ଏବଂ ଏନଡିଆରଏଫ୍ ଟିମ୍ ପହଞ୍ଚିଛନ୍ତି। ଫନି ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ଯେଉଁ ଅଞ୍ଚଳ ପ୍ରଭାବିତ ହେବ ସେଠି ଏନଡିଆରଏଫ୍ ଏବଂ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବେ।

‘ଫନି’ ପାଇଁ ବଢ଼ିଲା ଆଳୁ ଟମାଟୋ ଦର

ଅତି ଭୟଙ୍କର ରୁପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଫନି’। ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟବାସୀ। ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ବଜାରରେ ପରିବା ଦର ବଢ଼ିବାରେ ଲାଗିଛି।

Comment