ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ମୁହାଁ ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରୁ ଲୋକଙ୍କୁ ରକ୍ଷା କରିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଜିଲ୍ଲାର ୮ଟି ବ୍ଲକ, ଗୋଟିଏ ମୁନ୍‌ସିପାଲିଟି ଓ ୩ ଗୋଟି ଏନ୍ଏସି ଅଞ୍ଚଳର ଲୋକଙ୍କୁ ଏନେଇ ସର୍ତକ କରାଯାଇଛି। ବାତ୍ୟା ସମୟରେ ଲୋକେ ନିରାପଦରେ ରହିବା ପାଇଁ ୫୬୧ ଆଶ୍ରୟସ୍ଥଳର ବ୍ୟବସ୍ଥା ହୋଇଛି। ସେଥିରେ ୩୦ ହଜାର ୯ ଶହ ୩୨ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯିବା ପାଇଁ ପଦକ୍ଷେପ ଗ୍ରହଣ ହୋଇଛି। ଆବଶ୍ୟକ ଔଷଧ ପତ୍ର, ସୁଖିଲା ଓ ରନ୍ଧା ଖାଦ୍ୟ, ପାନୀୟ ଜଳ ଏବଂ ଆଲୋକ ବ୍ୟବସ୍ଥା କରାଯାଇ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସାମୁଦ୍ରିକ ବାତ୍ୟା ‘ଫନି’ ମୁକାବିଲା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ସମସ୍ତ ଦିଗରୁ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ଡକ୍ଟର ଏନ୍ ତିରୁମାଲା ନାୟକ ପ୍ରକାଶ କରିଛନ୍ତି। ମେ ୩ ତାରିଖ ସକାଳେ ଏହା ସ୍ଥଳ ଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୭୦ କିଲୋମିଟରରୁ ୧୮୦ କିଲୋମିଟର ରହିବା ପୂର୍ବନୁମାନ ରହିଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିରେ ନୟାଗଡ଼ ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ହୋଇଥିବା ଜିଲ୍ଲାପାଳ ଡ. ନାୟକ ସୂଚନା ଦେଇଛନ୍ତି। ଜିଲ୍ଲାର ବାତ୍ୟାପ୍ରବଣ ଓଡ଼ଗାଁ ଓ ରଣପୁର ବ୍ଲକରେ ବାତ୍ୟା ପ୍ରଭାବର ଅଧିକ ସମ୍ଭାବନା ରହିଛି। ସଂପୃକ୍ତ ଅଞ୍ଚଳ ସମେତ ଜିଲ୍ଲାର ଅନ୍ୟ ସମସ୍ତ ବ୍ଳକର ମୋଟ ୩୦ ହଜାର ୯ ଶହ ୩୨ ଜଣ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ବ୍ୟବସ୍ଥା ହୋଇଛି।

‘ଫନି’ ମୁକାବିଲା ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିବାକୁ ପ୍ରତି ବ୍ଲକରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟୀତ୍ୱରେ ରଖାଯାଇଛି। ରଣପୁର ଏବଂ ଓଡ଼ଗାଁ ବ୍ଲକରେ ଆପଦକାଳୀନ ସ୍ଥିତିରେ ଲୋକଙ୍କୁ ଉଦ୍ଧାର ଓ ସହଯୋଗ କାର୍ଯ୍ୟ କରିବାକୁ ଓଡ୍ରାଫ, ଓ ଏନ୍‌ଡିଆର୍‌ଏଫ୍‌ ଦଳ ପହଞ୍ଚିଛି। ଅଧିକ ସହାୟତା ଓ ସୂଚନା ପାଇଁ ଜିଲ୍ଲା ସଦରମହକୁମାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଟୋଲ ଫ୍ରି ନମ୍ବର ୦୬୭୫୩୧୦୭୩ କିମ୍ବା ୦୬୭୫୩-୨୫୨୯୭୮କୁ ଲୋକେ ଫୋନ କରି ପାରିବେ।

ସେହିପରି ପ୍ରତି ବ୍ଲକ ସଦରମହକୁମାରେ ୨୪ଘଣ୍ଟିଆ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। ଗଛ ପଡ଼ି ରାସ୍ତା ଘାଟ ଅବରୋଧ ହେଲେ ତୁରନ୍ତ ସଫା କରିବା କାମାରେ ଦମକଳ ବାହିନୀ ମୁତୟନ ହୋଇଛି। ଜିଲ୍ଲାର ୧୩ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ସମେତ ମୋଟ ୫୬୧ଟି ବାତ୍ୟା ଆଶ୍ରୟସ୍ଥଳୀରେ ପାନୀୟ ଜଳ, ଜରୁରୀ ଔଷଧ, ସୁଖିଲା ଓ ରନ୍ଧା ଖାଦ୍ୟ ସହ ଆଲୋକର ବ୍ୟବସ୍ଥା ହୋଇଛି।

ବାତ୍ୟା ସହାୟତା କାର୍ଯ୍ୟରେ ସରକାରୀ କର୍ମଚାରୀ, ଲୋକପ୍ରତିନିଧି, ଆଶାକର୍ମୀ, ସ୍ୱଚ୍ଛାସେବୀ ନିୟୋଜିତ ରହିଛନ୍ତି। ‘ଫନି’ ପ୍ରଭାବରୁ ଗୁରୁବାର ଅପରାହ୍ନରୁ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଶୁକ୍ରବାର ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ଆଶଙ୍କାରେ ୫ଟି ପାୱାର ବୋଟ ମହଜୁଦ କରାଯାଇଛି। ବାତ୍ୟା ସମୟରେ ଖାଦ୍ୟ ସାମଗ୍ରୀ ଦରବୃଦ୍ଧି ଓ କୃତିମ ଅଭାବସୃଷ୍ଟିକାରୀ ବ୍ୟବସାୟୀଙ୍କ ଉପରେ ନଜର ରଖିବାକୁ ଟାସ୍କଫୋର୍ସ ଗଠନ କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ଡ. ଏନ୍ ତିରୁମାଲା ନାୟକ ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରୁଥିବା ବେଳେ ବାତ୍ୟା ସମୟରେ ଲୋକେ ଭୟଭିତ ନ ହୋଇ ସାବଧାନତାର ସହ ନିରାପଦ ସ୍ଥାନରେ ରହିବାକୁ ଅନୁରୋଧ କରିଛନ୍ତି।

Comment