ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିରେ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର।
ଅଧିକ ପ୍ରଭାବିତ ଆଶଙ୍କା ଥିବା ୮ଟି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର। ଏହି ଜିଲ୍ଲାଗୁଡ଼ିକର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ତଥା ବେସରକାରୀ ବିଦ୍ୟାଳୟଗୁଡ଼ିକ ଅକ୍ଟୋବର ୨୮ରୁ ୩୦ ତାରିଖ ଯାଏଁ ବନ୍ଦ ରହିବ।
ତେବେ ଜିଲ୍ଲା ପ୍ରଶାସନ ଆବଶ୍ୟକ ସ୍ଥଳେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ କର୍ମଚାରୀମାନଙ୍କୁ ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜିତ କରିବେ। ଏଥିସହ ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତ ରହିବା ନିମନ୍ତେ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର।
Tags: #CyclonicStorm #Montha #OdishaAlert #MonthaUpdates


















