ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ବାଂଲାଦେଶର ପ୍ରଥମ ଟି-୨୦ ପ୍ରଦୂଷଣ କାରଣରେ ଆଶଙ୍କାରେ ରହିଥିଲା। ହେଲେ ଏହା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯାଇଥିଲା। ତେବେ ବର୍ତ୍ତମାନ ଦ୍ଵିତୀୟ ଟି-୨୦କୁ ବିପଦ ରହିଛି। ଗୁଜୁରାଟର ରାଜକୋଟରେ ହେବାକୁ ଥିବା ଏହି ଟି-୨୦କୁ ବାତ୍ୟା ‘ମହା’ର ଭୟ ରହିଛି।
ଆରବ ସାଗରରେ ସୃଷ୍ଟ ବାତ୍ୟା ‘ମହା’ ନଭେମ୍ଵର ୬ ତାରିଖରେ ଗୁଜୁରାଟ ଉପକୂଳରେ ମାଡ଼ ହେବ। ତେବେ ୭ ତାରିଖରେ ହେବାକୁ ଥିବା ଭାରତ ବାଂଲାଦେଶ ଦ୍ଵିତୀୟ ଟି-୨୦ ଏହା ଦ୍ଵାରା ପ୍ରଭାବିତ ହୋଇପାରେ।
ଯଦି ଏହି ଘୂର୍ଣ୍ଣିଝଡ଼ ଯୋଗୁଁ ଦ୍ଵିତୀୟ ଟି-୨୦ ବାତିଲ ହୋଇଯାଏ ତେବେ ଏହା ଭାରତ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ରହିବ। କାରଣ ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜ ପ୍ରଥମ ମ୍ୟାଚକୁ ବାଂଲାଦେଶ ଜିତି ୧-୦ରେ ଆଗୁଆ ରହିଛି। ଯଦି ମ୍ୟାଚ ବାତିଲ ହୁଏ ତେବେ ଭାରତ ସିରିଜ ଜିତିବା ସ୍ଵପ୍ନ ଧୂଳିସାତ ହୋଇଯିବ।
ପ୍ରଥମ ଟି-୨୦ରେ ବାଂଲାଦେଶ ଭାରତକୁ ୭ ଓ୍ଵିକେଟରେ ପରାସ୍ତ କରିଛି। ଭାରତ ପକ୍ଷରୁ ସମସ୍ତ ବ୍ୟାଟ୍ସମ୍ୟାନ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ଭାରତ ଦ୍ଵିତୀୟ ଟି-୨୦ରେ ଏହି ଭୁଲ୍ ସୁଧାରିବାକୁ ଚେଷ୍ଟା କରିବ। ହେଲେ ‘ମହା’ ଭାରତ ପ୍ରତି ବିପଦ ସାଜି ପାରେ।