ସିନେମା, ଥିଏଟର ଯିବା ବଦଳରେ ଲୋକେ ଏବେ ମନୋରଞ୍ଜନ ପାଇଁ ସୋସିଆଲ୍ ମିଡ଼ିଆକୁ ବାଛି ନେଇଛନ୍ତି। ସୋସିଆଲ ମିଡିଆର ବହୁଳ ବ୍ୟବହାର ସତ୍ୱେ ଲୋକେ ‘ଧନୁଯାତ୍ରା’କୁ ଭୁଲି ନାହାନ୍ତି।

ପ୍ରତିବର୍ଷ ଯୋଡ଼ି ହେଉଛନ୍ତି ଲକ୍ଷ ଲକ୍ଷ ଦର୍ଶକ

୧୧ ଦିନ ଧରି ଚାଲେ ବରଗଡ଼ ଧନୁଯାତ୍ରା। କଂସ ଓ କୃଷ୍ଣଙ୍କ କଥାବସ୍ତୁକୁ ନେଇ ଚାଲେ ନାଟକ। ଏହି ନାଟକରେ ବହୁ କଳାକାର ଅଭିନୟ କରନ୍ତି। ଆଧୁନିକତାର ଛାପ ବାଜିଥିଲେ ମଧ୍ୟ ଧନୁଯାତ୍ରା ତାର ଆଦର ହରାଇନି। ଏହି ନାଟକ ଦେଖିବା ପାଇଁ ପ୍ରତିବର୍ଷ ରାଜ୍ୟ ତଥା ବାହାରୁ ଦର୍ଶକମାନେ ବରଗଡ଼କୁ ଧାଇଁ ଆସନ୍ତି। ଧନୁଯାତ୍ରା ନାଟକରେ ନିଜକୁ ହଜାଇ ଦିଅନ୍ତି। ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଧନୁଯାତ୍ରା ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ସହ ଯୋଡ଼ି ହୋଇ ରହିଛି।

ବରଗଡ଼ ଧନୁଯାତ୍ରା ନାଟ୍ୟକଳା-ନାଟ୍ୟକଳାକାର-ନାଟ୍ୟପ୍ରେମୀଙ୍କୁ ନେଇ ଏକ ତ୍ରିବେଣୀ ସଙ୍ଗମ ସୃଷ୍ଟି କରିପାରିଛି କହିଲେ ଭୁଲ୍‌ ହେବ ନାହିଁ। ଚଳିତବର୍ଷ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଥିବା କଳାକାର କହିଛନ୍ତି ଯେ, “ଟଙ୍କା ପାଇଁ ନୁହେଁ, ବରଂ ବିଶ୍ବପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ସେ ଗର୍ବିତ। ଧନୁଯାତ୍ରା ଜଣେ ଅଭିନେତାକୁ କେତେ ପ୍ରାପ୍ୟ ଦେଉଛି ତାହା ଏକ ଭିନ୍ନ ପ୍ରସଙ୍ଗ। ହେଲେ ଏଠାରେ ଯେଉଁ ସମ୍ମାନ ମିଳେ ତାହା ଜଣେ କଳାକାର ପାଇଁ ଗୌରବର ବିଷୟ।” ଏହି ସମ୍ମାନ ପାଇବା ପାଇଁ ଧନୁଯାତ୍ରାରେ କଳାକାରଙ୍କ ଭିଡ଼ ଜମେ।

ସଂସ୍କୃତି-ପରମ୍ପରାକୁ ବଞ୍ଚାଇ ରଖିଛି ଧନୁଯାତ୍ରା

ପୌରାଣିକ ବିଷୟବସ୍ତୁକୁ ନେଇ ବିଭିନ୍ନ ଟିଭି ଚ୍ୟାନେଲରେ “ରିଆଲିଟି ସୋ”ର ଆୟୋଜନ କରାଯାଇଥାଏ। ଦେଖିବାକୁ ମିଳେ ଯେ, ଅନେକ ପ୍ରତିଯୋଗୀ ପୌରାଣିକ ପ୍ରସଙ୍ଗ ଆଧାରିତ ପ୍ରଶ୍ନରେ ପ୍ରାୟ ନୀରବ ରୁହନ୍ତି। ଆଧୁନିକତା ସମଗ୍ର ପୃଥିବୀକୁ ଏମିତି କବ୍‌ଜା କରି ନେଉଛି ଯେ, ପୁରାଣ, ଇତିହାସ, ପରମ୍ପରା ଓ ସଂସ୍କୃତି ଅଣନିଶ୍ୱାସୀ ହୋଇ ଉଠୁଛନ୍ତି। ଏହା ନିଶ୍ଚିହ୍ନ ହେବାକୁ ବସିଥିବା ବେଳେ ବରଗଡ଼ ଧନୁଯାତ୍ରା ଏହାକୁ ବଞ୍ଚାଇ ରଖିଛି। ସତୁରି ବର୍ଷ ଧରି ଏକ ପୌରାଣିକ ନାଟ୍ୟଧାରାର କଳେବର ବୃଦ୍ଧି ପାଇ ଚାଲିଛି। ଏହା ପୃଥିବୀର ନାଟକ ଇତିହାସରେ ଏକ ବିରଳ ଘଟଣା ପରି ମନେହୁଏ।

ସ୍ଥାନୀୟ ଦର୍ଶକଙ୍କ ମହଲରେ ସୀମିତ ରହିନି ଧନୁଯାତ୍ରା

ବରଗଡ଼ ଧନୁଯାତ୍ରାର ପ୍ରଚାର ପ୍ରସାର କରାଯାଉଥିବାରୁ ରାଜ୍ୟ ବାହାରୁ ଏବଂ ବିଦେଶାରୁ ବହୁ ଦର୍ଶକ ଏଠାକୁ ଆସିଥାନ୍ତି। “ମିଡିଆ” ହିଁ ବରଗଡ଼ ଧନୁଯାତ୍ରାର ପ୍ରଚାର ପ୍ରସାରରେ ଏକ ବିଶେଷ ଭୂମିକା ଗ୍ରହଣ କରିଛି। ଇଲେକ୍ଟ୍ରୋନିକ୍ ମିଡ଼ିଆ ଏବଂ ବର୍ତ୍ତମାନର ଡିଜିଟାଲ ମିଡିଆ ଧନୁଯାତ୍ରାର ପ୍ରଚାର ପ୍ରସାର କରୁଥିବାରୁ ବରଗଡ଼ ଧନୁଯାତ୍ରା ପ୍ରସିଦ୍ଧି ଲାଭ କରିଛି। ସେଥିପାଇଁ ଏହି ଯାତ୍ରା ସ୍ଥାନୀୟ ଦର୍ଶକଙ୍କ ମହଲରେ ସୀମିତ ନ ରହି ଦେଶର କୋଣ, ଅନୁକୋଣରୁ ଏବଂ ବିଦେଶରୁ ଅନେକ ଦର୍ଶକଙ୍କୁ ଟାଣି ଆଣୁଛି ବରଗଡ଼ ସହରକୁ ଧନୁଯାତ୍ରା ଦେଖିବା ପାଇଁ।

୭୦ ବର୍ଷ ଧରି ବଞ୍ଚି ରହିଛି ପରମ୍ପରା

ଧନୁଯାତ୍ରାକୁ ନେଇ ବିରାଟ ଉତ୍ସବର ଆୟୋଜନ କରିବା ପାଇଁ ଯେଉଁମାନେ ପ୍ରଥମେ ପରିକଳ୍ପନା କରିଥିଲେ ସେମାନେ ଜଣେ ଜଣେ ଥିଲେ କିମ୍ବଦନ୍ତୀ ପୁରୁଷ। ଅନ୍ୟପକ୍ଷରେ ସେମାନଙ୍କର ଦାୟାଦ ସାଜି ଯେଉଁମାନେ ବରଗଡ଼ ଧନୁଯାତ୍ରାକୁ ସତୁରି ବର୍ଷ ବୟସରେ ପହଞ୍ଚାଇ ପାରିଛନ୍ତି, ସେମାନଙ୍କୁ ଧନ୍ୟବାଦ ଦେବାପାଇଁ ଶବ୍ଦ ନାହିଁ। ଆୟୋଜକ, ନାଟ୍ୟକଳାକାର ଏବଂ ନାଟ୍ୟପ୍ରେମୀମାନଙ୍କ ଭିତରେ ରହିଥିବା ଭଲ ବୁଝାମଣା ହିଁ ଧନୁଯାତ୍ରାର ସଫଳତାକୁ ଦୋହରାଇ ଚାଲିଛି।

ବାସ୍ତବରେ ପୃଥିବୀର କୌଣସି ଅଞ୍ଚଳରେ ଏମିତି ଆୟୋଜନ ଦେଖାଯାଏ ନାହିଁ। ଯଦି ବି କାଁ ଭାଁ କେଉଁଠି ଦେଖିବାକୁ ମିଳେ ତାର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନ ଉଠିଥାଏ। ଯେଉଁ ଶତାବ୍ଦୀରେ ମଙ୍ଗଳ ଗ୍ରହରେ ଘର କରିବାକୁ ଲୋକେ ସ୍ୱପ୍ନ ଦେଖୁଛନ୍ତି, ସେତିକିବେଳେ ପୌରାଣିକ ବିଷୟବସ୍ତୁ, ପୌରାଣିକ ଚରିତ୍ର ଏବଂ ପୌରାଣିକ ନାଟକକୁ ଲୋକେ ଭଲ ପାଇବା ଧନୁଯାତ୍ରାକୁ ସଫଳ କରିଛି। ଏହା ପ୍ରତ୍ୟେକ ଭାରତୀୟ ଓ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ।

 

 

 

LEAVE A REPLY

Please enter your comment!
Please enter your name here