ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨ ହଜାର ୮୧୮ଟି ପରୀକ୍ଷା କେନ୍ଦ୍ର
  • ୩୦୨ଟି ନୋଡାଲ ସେଣ୍ଟର
  • ପରୀକ୍ଷା ଦେବେ ୫ ଲକ୍ଷ ୯୦ ହଜାର ୩୩୦ ଛାତ୍ରଛାତ୍ରୀ

ଫେବ୍ରୁଆରି ୨୩ରୁ ମାଟ୍ରିକ ପରୀକ୍ଷା। ରାଜ୍ୟର ୨ ହଜାର ୮୧୮ଟି କେନ୍ଦ୍ରରେ ହେବ ପରୀକ୍ଷା। ପ୍ରଶ୍ନପତ୍ର ରଖିବା ପାଇଁ ୩୦୨ଟି ନୋଡାଲ ସେଣ୍ଟର କରାଯାଇଛି। ୫ ଲକ୍ଷ ୯୦ ହଜାର ୩୩୦ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାରୁ ବୋର୍ଡ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ପରୀକ୍ଷାକୁ କପି ମୁକ୍ତ କରିବା ପାଇଁ ବୋର୍ଡ ପକ୍ଷରୁ ତ୍ରି ସ୍ତରୀୟ ସ୍କ୍ୱାଡ୍ ଗଠନ କରାଯାଇଛି।

ବୋର୍ଡ ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍ କହିଛନ୍ତି, “ପରୀକ୍ଷାରେ କପି ରୋକିବା ପାଇଁ ତ୍ରି ସ୍ତରୀୟ ସ୍କ୍ୱାଡ୍ ଗଠନ କରାଯାଇଛି। ପ୍ରଥମ ସ୍କ୍ୱାଡ୍ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ବେଳେ ଦ୍ୱିତୀୟଟି ବୋର୍ଡ ସ୍ତରରେ ଗଠନ କରାଯାଇଛି। ତୃତୀୟ ସ୍କ୍ୱାଡ୍ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ନେଇ ଗଠନ କରାଯାଇଛି।”

ଏହାସହ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଗସ୍ତ କରିବେ ବୋଲି ବେଗମ୍ ସୂଚନା ଦେଇଛନ୍ତି।

ମାଟ୍ରିକ ପ୍ରସ୍ତୁତିକୁ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁବାର ଭିଡିଓ  କନଫରେନ୍ସିଂ ଜରିଆରେ ୩୦ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି।

“କପି ରୋକିବା ପାଇଁ ଏବଂ ପରୀକ୍ଷା ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା କେନ୍ଦ୍ର ଏବଂ ଖାତା ମୂଲ୍ୟାୟନ କେନ୍ଦ୍ର ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ କୁହାଯାଇଛି”, କହିଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ୀ।

LEAVE A REPLY

Please enter your comment!
Please enter your name here