ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି, ମଙ୍ଗଳବାରଠାରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ ଚଳିତ ବର୍ଷ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ। ବିଶେଷ କରି ଏହା ପରୀକ୍ଷା କେନ୍ଦ୍ରଗୁଡ଼ିକରେ କପି ରୋକିବାରେ ସହାୟକ ହେବ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ ପ୍ରାୟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ। ଏଥିପାଇଁ ବୋର୍ଡ ପକ୍ଷରୁ ୩ ହଜାର ୪୭ ଟି ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ଦୁର୍ଗମ ଅଞ୍ଚଳରେ ୨୧ଟି ପୋଲିସ ଷ୍ଟେସନକୁ ନୋଡାଲ ସେଣ୍ଟର କରାଯାଇଛି।

ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରଗୁଡ଼ିକ ସହ ନୋଡାଲ ସେଣ୍ଟରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ବ୍ୟବହାର କରାଯିବ। ବୋର୍ଡ ମୁଖ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମରୁ ଏହା ଉପରେ ନଜର ରଖାଯିବ। ଏଥିସହ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଇଭ ଷ୍ଟ୍ରିମିଂ ଓ୍ଵେବକାଷ୍ଟ ଲାଗି ବ୍ୟବସ୍ଥା କରାଯାଇଛି।

ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ୭ଟା ୩୦ରେ ପରୀକ୍ଷା କେନ୍ଦ୍ରକୁ ଆସିବାକୁ ନିର୍ଦେଶ ଦିଆଯାଇଛି। ସକାଳ ୮ଟା ୧୫ ମିନିଟ ପରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ।

ଏଥର ସମସ୍ତ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟବେକ୍ଷକ ନିଯୁକ୍ତ ରହିବେ। ସେମାନେ ପ୍ରଶ୍ନପତ୍ର ଆସିବାଠାରୁ ପରୀକ୍ଷା ଉତ୍ତର ଖାତା ଆସିବା ପର୍ଯ୍ୟନ୍ତ ଏହାର ତଦାରଖ କରିବେ। ବିଇଓ, ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ଏହାର ଦାୟିତ୍ଵ ରହିବ। ସେଣ୍ଟର ସୁପରିଟେଣ୍ଟେଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ନିର୍ଦେଶ ରହିଛି।

ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖ ଶେଷ ହେବ।

Tags: #Education #MatricExam #MatricExam2024 #Odisha

LEAVE A REPLY

Please enter your comment!
Please enter your name here