ଓଡ଼ିଶାଲାଇଭ୍ ବ୍ୟୁରୋ

ଅନଲାଇନରେ କ୍ଲାସ୍ କରିବା ପାଇଁ ପାଖରେ ସ୍ମାର୍ଟ ଫୋନଟିଏ ନଥିଲା। ଏଥିପାଇଁ ପିଲାଟିକୁ ଫୋନ୍ ଚୋରି କରିବାକୁ ପଡ଼ିଲା। ଚୋରି କରି ପୋଲିସ ହାବୁଡ଼ରେ ମଧ୍ୟ ପଡ଼ିଲେ। କିନ୍ତୁ ଦଣ୍ଡ ବଦଳରେ ପୋଲିସ ଇନ୍ସପେକ୍ଟର ଦେଲେ ଫୋନ୍ ଉପହାର। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଚେନ୍ନାଇ ସହରରୁ।

କରୋନା ସଂକ୍ରମଣ ଯୋଗୁଁ ଦେଶରେ ପ୍ରାୟ ସବୁ ସ୍ଥାନରେ ଅନଲାଇନ ମାଧ୍ୟମରେ ପାଠପଢ଼ା ହେଉଛି। କିନ୍ତୁ ଗରିବ ଶ୍ରେଣୀର ପିଲାମାନେ ଏହି ବ୍ୟବସ୍ଥାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।

ଚେନ୍ନାଇର ଏକ ୧୩ ବର୍ଷର ଗରିବ ବାଳକ ପାଖରେ ଅନଲାଇନ କ୍ଲାସ କରିବା ପାଇଁ ସ୍ମାର୍ଟଫୋନ୍ ନଥିଲା। କାରଣ ପିଲାଟିର ବାପା ଗୋଟିଏ ବିସ୍କୁଟ ଦୋକାନରେ କାମ କରନ୍ତି। ମାଆ ମଧ୍ୟ ଅନ୍ୟ ଲୋକଙ୍କ ଘରେ କାମବାଲି ଭାବରେ କାମ କରନ୍ତି। ଏଣୁ ସେମାନଙ୍କର ଆର୍ଥିକ ଅବସ୍ଥା ଏତେ ସ୍ଵଚ୍ଛଳ ନଥିଲା। ଏଥିପାଇଁ ପୁଅର ପାଠପଢ଼ା ପାଇଁ ସ୍ମାର୍ଟଫୋନଟିଏ ମଧ୍ୟ ସେମାନେ କିଣିପାରି ନଥିଲେ।

ପିଲାଟି ଚେନ୍ନାଇ ମହାନଗର ନିଗମ ଦ୍ଵାରା ପରିଚାଳିତ ଏକ ସରକାରୀ ସ୍କୁଲରେ ପାଠ ପଢ଼େ। କରୋନା ପାଇଁ ସ୍କୁଲ ବନ୍ଦ ରହିଛି। ଅନଲାଇନରେ କ୍ଲାସ ହେଉଛି। ମାତ୍ର ଫୋନଟିଏ ନଥିବାରୁ ସେ ପାଠ ପଢ଼ିପାରୁ ନଥିଲା। କ୍ଲାସ ସମୟରେ ତାକୁ ବାହାରେ ବୁଲୁଥିବାର ଦେଖି ପଡ଼ୋଶୀର ଦୁଇଜଣ ବ୍ୟକ୍ତି ତାକୁ ବିକଳ୍ପ ବାଟ ଦେଖାଇ ଫୋନଟିଏ ଚୋରେଇ ଆଣିବାକୁ କହିଥିଲେ।ପରେ ତିନିଜଣ ମିଶି ଚେନ୍ନାଇର ଥିରୁଭୋଟିୟୁର ଅଞ୍ଚଳର ଜଣେ ଟ୍ରକ ଡ୍ରାଇଭରଙ୍କ ଫୋନ୍ ଚୋରି କରିଥିଲେ। ମାତ୍ର ସ୍ଥାନୀୟ ଲୋକେ ସେହି ବାଳକ ସମେତ ଆଉଜଣେ ବ୍ୟକ୍ତିକୁ କାବୁ କରି ପୋଲିସ ଜିମା ଦେଇଦେଲେ।

ଥିରୁଭୋଟିୟୁର କ୍ରାଇମ ଇନ୍ସପେକ୍ଟର ଏ ସଂପର୍କରେ ଜାଣିବା ପରେ ପିଲାଟି ପ୍ରତି ତାଙ୍କର ଦୟା ଆସିଲା। ପିଲାଟିକୁ ଦଣ୍ଡିତ କଲେ ତାର ଭବିଷ୍ୟତ ନଷ୍ଟ ହୋଇପାରେ। ତେଣୁ ସେ ତାକୁ ଦଣ୍ଡିତ କଲେନାହିଁ। ହେଲେ ପ୍ରତି ବଦଳରେ ନିଜ ଝିଅ ପାଇଁ ସ୍ମାର୍ଟଫୋନ୍ କିଣିବକୁ ରଖିଥିବା ଟଙ୍କାରେ ସ୍ମାର୍ଟଫୋନଟିଏ କିଣି ଉପହାରେ ଦେଲେ।

LEAVE A REPLY

Please enter your comment!
Please enter your name here