ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନ ଜାଲୋର ଜିଲ୍ଲାର ଯୋଗେଶ ଯୋଶୀ ନିଜକୁ ଜଣେ ସଫଳ ଚାଷୀ ରୂପେ ଏବେ ପୁରା ଦେଶରେ ପ୍ରତିଷ୍ଠିତ କରିପାରିଛନ୍ତି। ଘରଲୋକଙ୍କ ବାରଣ ସତ୍ତ୍ଵେ ଚାକିରି ପାଇଁ ମନ ନବଳାଇ ଦିନେ ଚାଷକାମ ପାଇଁ ଆଗେଇ ଆସିଥିଲେ ଯୋଗେଶ। ପ୍ରଥମେ ପ୍ରଥମେ ବହୁ କ୍ଷତିକୁ ସାମ୍ନା କରି ମଧ୍ୟ ସେ କେବେ ଭାଙ୍ଗି ପଡ଼ିନଥିଲେ। ନୂଆ ନୂଆ କୌଶଳ ଆପଣାଇ କୃଷିକାର୍ଯ୍ୟ ଜାରି ରଖିଲେ। ଏପରି ୧୦ ବର୍ଷର ଦିନରାତି ସଂଘର୍ଷ, ଆଜି ତାଙ୍କୁ ସଫଳତାର ଶୀର୍ଷକୁ ନେଇପାରିଛି। କୃଷିକାର୍ଯ୍ୟରୁ ବର୍ତ୍ତମାନ ସେ ବର୍ଷକୁ ପ୍ରାୟ ୫୦ କୋଟିରୁ ଅଧିକ ବ୍ୟବସାୟ କରୁଛନ୍ତି।

ଯୋଗେଶଙ୍କ ଘର ଲୋକ ଚାହୁଁ ନଥିଲେ କି ସେ ଚାଷକାର୍ଯ୍ୟ କରନ୍ତୁ। ପାଠ ପଢ଼ି ସରକାରୀ ଚାକିରି କରିବା ପାଇଁ ସେମାନଙ୍କ ଇଚ୍ଛା ଥିଲା। ତେଣୁ ଏଗ୍ରିକଲ୍‌ଚର ଇଞ୍ଜିନିୟରିଂରେ ସ୍ନାତକ ହାସଲ ପରେ ଏହି କ୍ଷେତ୍ରରେ ଚାକିରି ଖଣ୍ଡେ କରିବାକୁ ପରିବାର ଲୋକେ ତାଙ୍କୁ କହୁଥିଲେ। କିନ୍ତୁ ଯୋଗେଶ ଥିଲେ ନଛୋଡ଼ବନ୍ଧା। ଥରେ ମନସ୍ଥ କରିଦେଲେ ଚାଷ କାର୍ଯ୍ୟ କରିବେ, ତେଣୁ ଏହି ଦିଗରେ ହିଁ ଆଗକୁ ବଢ଼ି ଚାଲିଲେ। ୭ ଜଣ ଚାଷୀଙ୍କ ସହ ମିଶି ୧୦ ବର୍ଷ ତଳେ ଜିରା, ଧନିଆ ଏବଂ ମେଥି ଚାଷ ଆରମ୍ଭ କରିଥିଲେ ଯୋଗେଶ। ଆଜି ତାଙ୍କ ସହ ଯୋଡ଼ି ହୋଇଛନ୍ତି ୩,୦୦୦ରୁ ଅଧିକ ଚାଷୀ। ଏବେ ୪ ହଜାର ଏକର ଜମିରେ ସେ ଚାଷକାର୍ଯ୍ୟ କରୁଛନ୍ତି।ଯୋଗେଶ ସ୍ନାତକ ପରେ ଅର୍ଗାନିକ ଫାର୍ମିଂରେ ଡିପ୍ଲୋମା କଲେ। ଏହା ପରେ ୨୦୦୯ରେ ଚାଷ କାର୍ଯ୍ୟ ଆରମ୍ଭ କଲେ। ଚାଷକାର୍ଯ୍ୟକୁ ନେଇ ସେତେବେଳେ ତାଙ୍କର ସେଭଳି ବ୍ୟାପକ ଧାରଣା ନ ଥିଲା। ତେଣୁ କେଉଁ ଚାଷ କଲେ ତାଙ୍କୁ ଭଲ ଆୟ ମିଳିବ ସେ ବିଷୟରେ ସେ କିଛି ଭାବି ପାରୁନଥିଲେ। ଅନେକ ଗବେଷଣା ପରେ ସେ ଚିନ୍ତାକଲେ ଜିରା ଚାଷ କରିବାକୁ। କାହିଁକି ନା ଜିରା ହେଉଛି ଏକ ସବୁଦିନିଆ ବେପାର ହୋଇପାରୁଥିବା ଫସଲ। ବର୍ଷ ତମାମ ଏହାର ଚାହିଦା ରହିଥାଏ।

ତେଣୁ ପ୍ରଥମେ ସେ ଏକ ଏକର ଜମିରେ ଜିରା ଚାଷ ଆରମ୍ଭ କଲେ। ପ୍ରଥମେ ପ୍ରଥମେ ବଡ଼ ମାତ୍ରାରେ କ୍ଷତି ହେଲା। ଏହାସତ୍ତ୍ଵେ ବି ସେ ମନୋବଳ ଆଦୌ ହରାଇଲେ ନାହିଁ। କୃଷି ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରି ତାଲିମ ନେଲେ। ଏହାପରେ ସେ ପୁଣି ଜିରା ଚାଷ କଲେ ଏବଂ ଏଥର ଲାଭ ହାସଲ କଲେ। ଧିରେ ଧିରେ ଚାଷ ଜମି ଆକାରକୁ ବଢ଼ାଇ ଚାଲିଲେ ଯୋଗେଶ। ଏଥିସହିତ ଅନ୍ୟ ଫସଲ ବି କଲେ।

ବ୍ୟବସାୟ ପାଇଁ ଧିରେ ଧିରେ ଡିଜିଟାଲ ମାଧ୍ୟମକୁ ଆପଣେଇଲେ ଯୋଗେଶ। ଅନ୍‌ଲାଇନ୍‌ ମାର୍କେଟିଂକୁ ବ୍ୟବହାର କରି କାରବାର କଲେ। ଏହି ଜରିଆରେ ଅନେକ କମ୍ପାନି ସହ ସମ୍ପର୍କ ସ୍ଥାପନ କଲେ। କଣ୍ଟ୍ରାକ୍ଟ ଫାର୍ମିଂ ପାଇଁ ହାଇଦ୍ରାବାଦର ଏକ କମ୍ପାନି ସହ ସହଯୋଗିତା ବି କଲେ। ଏହାବାଦ୍ ଏକ ଜାପାନ କମ୍ପାନି ସହ ଅନୁବନ୍ଧିତ ହେଲେ। ଉକ୍ତ କମ୍ପାନି ପାଇଁ ଜିରା ଲଗାଇଲେ ଏବଂ କମ୍ପାନିକୁ ତାହା ଯୋଗାଇଲେ। ଧିରେ ଧିରେ ବ୍ୟବସାୟ ବୃଦ୍ଧିପାଇ ବର୍ତ୍ତମାନ ବାର୍ଷିକ କୋଟି କୋଟି ଟଙ୍କା ଏହି ଚାଷକାମରୁ ଲାଭ କରିପାରୁଛନ୍ତି। ତାଙ୍କ ଜିରା ବ୍ୟବସାୟ ଏବେ ଆମେରିକା ପର୍ଯ୍ୟନ୍ତ ପହଞ୍ଚି ପାରିଥିବା ଯୋଗେଶ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here