ଅଭିପ୍ସା ବରାଳ
କୋଭିଡ୍ ମହାମାରୀ ସମୟରେ ବରିଷ୍ଠ ନାଗରିକଙ୍କୁ ହାତପାହାନ୍ତାରେ ବିଭିନ୍ନ ପ୍ରକାରର ସେବା ଯୋଗାଉଥିବା ‘ସେନ୍ସିକେୟାର’ ଷ୍ଟାର୍ଟଅପ୍ କମ୍ପାନିର ପ୍ରତିଷ୍ଠାତା ପ୍ଲାବନ ମହାପାତ୍ରଙ୍କ ସହିତ ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାର।
କୋଭିଡ୍ ମହାମାରୀ ସମୟରେ ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି ବରିଷ୍ଠ ନାଗରିକ। ତେଣୁ ଏହି ସମୟରେ ସେମାନଙ୍କୁ ବିଭିନ୍ନ ପ୍ରକାରର ସେବା ଯୋଗାଇ ଦେବା ପାଇଁ ‘ସେନ୍ସିକେୟାର’ ଷ୍ଟାର୍ଟଅପ୍ କମ୍ପାନି ଆଗକୁ ଆସିଛି। ଏହି ଷ୍ଟାର୍ଟଅପ୍ର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଓଡ଼ିଶାଲାଇଭ୍କୁ ସାକ୍ଷାତକାର ଦେଇ କହିଛନ୍ତି ଏହାର ପ୍ରତିଷ୍ଠାତା ପ୍ଲାବନ ମହାପାତ୍ର।
ପୂର୍ବରୁ ତାଙ୍କର ଆଉ ଦୁଇଟି ଷ୍ଟାର୍ଟଅପ୍ ‘ସ୍ୱର୍ଗଦ୍ୱାର’ ଓ ‘ଶୁଭ୍ୟୋଗ’ ବିଭିନ୍ନ ସହରରେ ଲୋକମାନଙ୍କୁ ସେବା ଯୋଗାଇ ଆସୁଛି।
‘ସେନ୍ସିକେୟାର’ ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ କାହିଁକି ଭାବିଲେ?
ମୁଁ ବାହାରେ ରହୁଥିବାରୁ ମୋର ବାପା ମା’ ଲକ୍ଡାଉନ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। କେବଳ ଏମାନେ ନୁହଁନ୍ତି, ତାଙ୍କପରି ଅନେକ ବୟସ୍କ ବ୍ୟକ୍ତିମାନେ ମଧ୍ୟ ସମସ୍ୟାରେ ପଡ଼ିଥିଲେ। ବିଶେଷକରି ଯେଉଁମାନଙ୍କ ପିଲାମାନେ ସହର ବାହାରେ କିମ୍ବା ଦୂରରେ ରହୁଛନ୍ତି। ତେଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ମୁଁ ୩୦୦ଲୋକଙ୍କୁ ନେଇ ଏକ ସର୍ଭେ କଲି। ସେଥିରୁ ମତେ ସକରାତ୍ମକ ମତାମତ ମିଳିବା ପରେ, ମୁଁ ବରିଷ୍ଠ ନାଗରିକମାନଙ୍କ ପାଇଁ ଏହି ଷ୍ଟାର୍ଟଅପ୍ ଆରମ୍ଭ କଲି।
ଏହି ‘ସେନ୍ସିକେୟାର’ ଅଧୀନରେ କ’ଣ କ’ଣ ସେବା ଯୋଗାଉଛନ୍ତି?
‘ସେନ୍ସିକେୟାର’ ଅଧୀନରେ ଆମେ ଡୋର୍ ଟୁ ଡୋର୍ ସେବା ଯୋଗାଇଥାଉ । ଏଥିରେ ଗ୍ରୋସରି ଠାରୁ ଆରମ୍ଭ କରି ପନିପରିବା, ଫଳ, ଅଣ୍ଡା, ମାଛ, ମାଂସ, ଟେଲିମେଡିସିନ, ପାଥୋଲୋଜିକାଲ ଟେଷ୍ଟ, ବିଜୁଳି ବିଲ୍ ଇତ୍ୟାଦି ସମସ୍ତ ସେବା ରହିଛି । ଏଥିସହ ଟ୍ୟାକ୍ସି ସେବା, ଆମ୍ବୁଲାନ୍ସ, ଆଟେଣ୍ଡାଣ୍ଟ ସେବା ମଧ୍ୟ ବରିଷ୍ଠ ନାଗରିକଙ୍କୁ ଯୋଗାଇ ଦିଆଯାଇଥାଏ।ଏହି ଷ୍ଟାର୍ଟଅପ୍ର ମୂଳ ଲକ୍ଷ୍ୟ କ’ଣ ରହିଛି?
ଯେଉଁମାନଙ୍କ ବୟସ ୬୦ବର୍ଷ କିମ୍ବା ତା’ଠୁ ଅଧିକ ସେମାନଙ୍କୁ ଏହି ସେବା ଯୋଗାଇ ଦିଆଯାଉଛି। ଓଡିଶାର ତିନୋଟି ପ୍ରମୁଖ ସହର ଭୁବନେଶ୍ୱର, କଟକ ଓ ରାଉରକେଲାରେ ଏହି ସେବା ମିଳୁଛି।
‘ସେନ୍ସିକେୟାର’ରେ ଜଣେ କେମିତି ନିଜର ନାମ ପଞ୍ଜୀକରଣ କରିବ କିମ୍ବା ଏହି ସେବା ପାଇପାରିବ?
କୌଣସି ବୟସ୍କ ବ୍ୟକ୍ତି କିମ୍ବା ସେମାନଙ୍କ ପିଲାମାନେ କାର୍ଡରେ ଦିଆଯାଇଥିବା ନମ୍ବର ୮୮୯୫୦୭୭୭୪୬ (ଭୁବନେଶ୍ୱର ଏବଂ କଟକ), ୮୮୯୫୮୦୫୧୮୨ (ରାଉରକେଲା)ରେ କଲ୍ କିମ୍ବା ମେସେଜ କରିବେ । ନଚେତ୍ www.sencicare.in ୱେବସାଇଟ୍ରେ ଯାଇ ନାମ ପଞ୍ଜୀକରଣ କରିପାରିବେ । ଏହାପରେ ସେନ୍ସି କେୟାରର ସଦସ୍ୟ ବୟସ୍କ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବେ । ତାଙ୍କଠାରୁ ସେମାନଙ୍କର ସମସ୍ତ ତଥ୍ୟ ସଂଗ୍ରହ କରି ଏକ ମେମ୍ବରସିପ୍ ଏନରୋଲମେଣ୍ଟ ଫର୍ମ ପୂରଣ କରାଯିବ ।
ଓଡ଼ିଶା ଏବଂ ଓଡ଼ିଶା ବାହାରେ କେଉଁ କେଉଁ ରାଜ୍ୟରେ ଏହି ସୁବିଧା ଉପଲବ୍ଧ?
ଓଡ଼ିଶାର ଭୁବନେଶ୍ୱର, କଟକ ଓ ରାଉରକେଲାରେ ଏହି ସେବା ଉପଲବ୍ଧ। ଆଗକୁ ଏହା ପୁରୀ, ବ୍ରହ୍ମପୁର, ବାଲେଶ୍ୱର ଏବଂ ସମ୍ବଲପୁରରେ ଯୋଗାଇ ଦେବାର ଯୋଜନା ରହିଛି। ଓଡ଼ିଶାରେ ‘ସେନ୍ସିକେୟାର’ର ଅଭିଜ୍ଞତାକୁ ଆଧାର କରି ଏହାକୁ ଜାତୀୟ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ।ଆପଣଙ୍କର ଏହି ଷ୍ଟାର୍ଟଅପ୍ ଅନ୍ୟ ଷ୍ଟାର୍ଟଅପ୍ ଠାରୁ କିପରି ଭିନ୍ନ?
ବରିଷ୍ଠ ନାଗରିକଙ୍କ ପାଇଁ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ କମ୍ପାନି କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ଘର ତିଆରି ଉପରେ ଧ୍ୟାନ ଦେଇଥାନ୍ତି। କିନ୍ତୁ ଆମ ଷ୍ଟାର୍ଟଅପ୍ ବରିଷ୍ଠ ବ୍ୟକ୍ତିମାନଙ୍କ ଶାରୀରିକ, ମାନସିକ, ଆଧ୍ୟାତ୍ମିକ ଚିନ୍ତାଧାରାକୁ ବୁଝି, ସମସ୍ତ ଦିଗରେ ସେବା ଯୋଗାଇଥାଏ। ଜଣେ ବୟସ୍କ ବ୍ୟକ୍ତିଙ୍କ ସୁରକ୍ଷା, ସମ୍ମାନ ଓ ସମାନତା ଆମର ଦାୟିତ୍ୱ।
ମହାମାରୀ ସମୟରେ ଏହି ସେବା ଆରମ୍ଭ କରିବାକୁ କାହିଁକି ଭାବିଲେ?
ଭୁବନେଶ୍ୱରରେ ମୋ ବୃଦ୍ଧ ବାପା ମା’ ରୁହନ୍ତି। ମୁଁ ତାଙ୍କଠାରୁ ବହୁତ ଦୂରରେ ରୁହେ । ଏଥିପାଇଁ ମୁଁ ସବୁବେଳେ ସେମାନଙ୍କୁ ନେଇ ଚିନ୍ତିତ ମଧ୍ୟ। ଏଥିସହ ଯେଉଁମାନେ ବୟସର ଅପରାହ୍ଣରେ ପହଞ୍ଚିଛନ୍ତି, ସେମାନଙ୍କ ପାଇଁ କିଛି କରିବାକୁ ମୁଁ ଚିନ୍ତା କରୁଥିଲି। ମୋର ସେହିସବୁ ଚିନ୍ତାଧାରାକୁ ବାସ୍ତବରେ ପରିଣତ କଲା କରୋନା। ଶେଷରେ ମୁଁ ଆଗ ପଛ କିଛି ନଭାବି ‘ସେନ୍ସିକେୟାର’ ସର୍ଭିସ୍ ଆରମ୍ଭ କଲି।
କିଭଳି ଆପଣ ଏହାର ବିଶ୍ୱସନୀୟତା ବଜାୟ ରଖିଛନ୍ତି?
ସମୟ ଅତିକ୍ରମ ହେବା ସହିତ ଧିରେଧିରେ ବିଶ୍ୱାସ ଆସିଥାଏ। ଯେହେତୁ ଆମେ ଗ୍ରାହକମାନଙ୍କୁ ନିରନ୍ତର ଓ ସନ୍ତୋଷଜନକ ସେବା ଯୋଗାଇ ଆସୁଛୁ, ତେଣୁ ସେମାନେ ଆମ ଉପରେ ବିଶ୍ୱାସ ରଖିଛନ୍ତି। ଆମେ ଆମ ସ୍ତରରେ ଭଲ ସେବା ଯୋଗାଇ ଦେବାକୁ ଚେଷ୍ଟା ଚଳାଇଛୁ। ଯଦି କୌଣସି ଭୁଲ୍ ରହିଯାଇଥାଏ, ତେବେ ଆମେ ତାକୁ ଖୁବ୍ଶୀଘ୍ର ସୁଧାରି ଦେବୁ।ଏହି ଷ୍ଟାର୍ଟଅପ୍ ଅଧୀନରେ ଆପଣ କିପରି ରୋଜଗାର ସୃଷ୍ଟି କରିବାକୁ ଯୋଜନା କରୁଛନ୍ତି?
‘ସେନ୍ସିକେୟାର’ ହେଉଛି ଏକ ଏଗ୍ରିଗେଟ୍ ବ୍ୟବସାୟ ମଡେଲ। ସ୍ଥାନୀୟ ସେବା ପ୍ରଦାନକାରୀଙ୍କ ସହିତ ମିଶି, ଆମେ ଏହି ସେବା ଯୋଗାଉଛୁ। ସେମାନଙ୍କୁ ଆମେ ଭେଣ୍ଡର ପାର୍ଟନର କହିଥାଉ। ଆମ କର୍ମଚାରୀମାନେ ବ୍ୟବସାୟର ବିସ୍ତାର ଓ ଗ୍ରାହକଙ୍କୁ ସନ୍ତୋଷଜନକ ସେବା ଇତ୍ୟାଦି ଯୋଗାଇ ଦେବା କ୍ଷେତ୍ରରେ କାମ କରିଥାନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ, ଆମର ଭେଣ୍ଡର ପାର୍ଟନର ସ୍ତରରେ ଏବଂ ନିଜସ୍ୱ ସାଙ୍ଗଠନିକ ସ୍ତରରେ ରୋଜଗାର କରିବା ପାଇଁ ପର୍ଯ୍ୟାପ୍ତ ପରିସର ରହିଛି।
‘ସେନ୍ସିକେୟାର’ ସର୍ଭିସ ହେଉଛି ଆପଣଙ୍କର ତୃତୀୟ ଷ୍ଟାର୍ଟଅପ୍, ଅନ୍ୟ ଦୁଇ ଷ୍ଟାର୍ଟଅପ୍ ସମ୍ପର୍କରେ କିଛି କହିବେ?
ମୋର ସମସ୍ତ ଷ୍ଟାର୍ଟଅପ୍ର ଲକ୍ଷ୍ୟ ହେଉଛି, ଅସୁବିଧାମୁକ୍ତ ସେବା ପ୍ରଦାନ କରିବା ଏବଂ ସମାଜର କିଛି ନିର୍ଦ୍ଧିଷ୍ଟ ସମସ୍ୟାର ସମାଧାନ କରିବା। ୨୦୧୭ ମସିହାରେ ମୁଁ ‘ସ୍ୱର୍ଗଦ୍ୱାର’ ନାମକ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲି। ଆମେ ଏପର୍ଯ୍ୟନ୍ତ ପ୍ରାୟ ୨ ହଜାରରୁ ଅଧିକ ପରିବାରକୁ ଏହି ସେବା ଯୋଗାଇ ପାରିଛୁ। ଅନ୍ୟଏକ ଷ୍ଟାର୍ଟଅପ୍ ହେଉଛି ମୋର ‘ଶୁଭ୍ୟୋଗ’। ଏହି ଅଧୀନରେ ଆମେ ପୂଜା ସାମଗ୍ରୀ ଏବଂ ରୀତିନୀତିର ଆୟୋଜନ କରିଥାଉ। ବର୍ତ୍ତମାନ ସମୟରେ ଉଭୟ ସେବା ଭୁବନେଶ୍ୱର, ବାଙ୍ଗାଲୋର ଏବଂ ପୁନେରେ ଉପଲବ୍ଧ।
ଆସନ୍ତା ତିନିବର୍ଷରେ ଆପଣଙ୍କ ଷ୍ଟାର୍ଟଅପ୍କୁ କେଉଁ ସ୍ଥାନରେ ଦେଖିବାକୁ ଚାହିଁବେ?
ତିନି ବର୍ଷ ନୁହେଁ, ଏହାକୁ ମୁଁ ୫ବର୍ଷ ପାଇଁ ଲକ୍ଷ୍ୟ ରଖିଛି। ମୋ ପାଖରେ ଥିବା ସାଧନ, ଭିତ୍ତିଭୂମି ଓ ମାନବ ସମ୍ଭଳକୁ ସୁବିନିଯୋଗ କରି ବିବିଧ କ୍ଷେତ୍ରରେ ସଫଳତା ହାସଲ କରିବାକୁ ଚାହୁଁଛି। ଫଳରେ ମୋର ବ୍ରାଣ୍ଡ ଦେଶର ଛୋଟଠାରୁ ଆରମ୍ଭ କରି ବଡ଼ ବଡ଼ ମହାନଗର ପର୍ଯ୍ୟନ୍ତ ପହଞ୍ଚି ପାରିବ।
ଆପଣ ଆମେରିକାରେ ରହନ୍ତି କିନ୍ତୁ ଆପଣଙ୍କର ସମସ୍ତ ଷ୍ଟାର୍ଟଅପ୍ ଚିନ୍ତାଧାରା ଭାରତ ଏବଂ ଓଡ଼ିଶାରେ କାହିଁକି?
ଭାରତ ହେଉଛି ମୋର ଜନ୍ମଭୂମି। ନିଜ ଜନ୍ମଭୂମି ପାଇଁ କିଛି କରିବାର ଏହା ହେଉଛି ପ୍ରକୃତ ସମୟ। ମୋର ସହ ପ୍ରତିଷ୍ଠାତା ହେଉଛନ୍ତି ଦେବାଶିଷ ଦାଶ। ଯିଏକି ମୋର ୩ଟି ଯାକ ବ୍ରାଣ୍ଡର ପରିଚାଳନା ଦାୟିତ୍ୱରେ ରହିଛନ୍ତି। ଆମ ଭାଗ୍ୟବାନ, ଆମ ସହ ଏକ ଉତ୍ସର୍ଗୀକୃତ ଓ ପରିଶ୍ରମୀ ଟିମ୍ କାମ କରୁଛନ୍ତି।