ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁରରୁ ମୂଳପୋଛ ହୋଇଗଲା କଂଗ୍ରେସ। ବ୍ରହ୍ମପୁର ମହାନଗର ନିଗମରୁ ୧୧ ଜଣ କଂଗ୍ରେସ କର୍ପୋରେଟର ଇସ୍ତଫା ଦେବା ପରେ ଏହି ଜାତୀୟ ଦଳ ଏଠାରେ ସ୍ଥିତି ହରାଇଥିବା ଚର୍ଚ୍ଚା ହେଉଛି।
କଂଗ୍ରେସର ୧୦ ଜଣ କର୍ପୋରେଟର ଗତ ଦୁଇଦିନ ତଳେ ଇସ୍ତଫା ଦେବା ପରେ ସୋମବାର ଆଉ ଜଣେ କର୍ପୋରେଟର ଇସ୍ତଫା ଦେଇଛନ୍ତି। କର୍ପୋରେଟର ଦଣ୍ଡପାଣି ନାୟକ ଆଜି ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଣ୍ଡପାଣିଙ୍କ ଇସ୍ତଫା ପରେ ବ୍ରହ୍ମପୁର ମହାନଗର ନିଗମ କଂଗ୍ରେସମୁକ୍ତ ହୋଇଯାଇଥିବା ଚର୍ଚ୍ଚା ହେଉଛି।
୨୦୧୩ରେ ବ୍ରହ୍ମପୁର ମହାନଗର ନିଗମ ପାଇଁ ନିର୍ବାଚନ ହୋଇଥିଲା। ୬୦ ୱାର୍ଡ ବିଶିଷ୍ଟ ମହାନଗରରରେ କଂଗ୍ରେସ ୧୫ଟି ଆସନ ପାଇଥିଲା।
୧୫ ଜଣଙ୍କ ମଧ୍ୟରୁ କିଛିଦିନ ତଳେ କର୍ପୋରେଟର ଦୁର୍ଯ୍ୟୋଧନ ସାହୁ, ଜଗନ୍ନାଥ ଆଚାର୍ଯ୍ୟ ବିଜେଡିକୁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ। ଆଉ ଜଣେ କର୍ପୋରେଟର ପ୍ରଶାନ୍ତ ପଟ୍ଟନାୟକ ଦଳ ଛାଡ଼ି ଦେଇଥିଲେ।

୨୬ ନମ୍ବର ୱାର୍ଡ କର୍ପୋରେଟର ଚିନ୍ମୟୀ ପାଢ଼ି କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିଲେ ମଧ୍ୟ ତାଙ୍କର ଅକାଳ ବିୟୋଗ ଘଟିଥିଲା। ଏହି ଆସନରେ ହୋଇଥିବା ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଫଳରେ କଂଗ୍ରେସ କର୍ପୋରେଟରଙ୍କ ସଂଖ୍ୟା ୧୧କୁ ଖସି ଆସିଥିଲା।
ମାର୍ଚ୍ଚ ୩୧ ତାରିଖରେ ୧୦ ଜଣ କଂଗ୍ରେସ କର୍ପୋରେଟର ଦଳ ଛାଡ଼ିଥିଲେ। ବାକି ରହି ଯାଇଥିଲେ ଦଣ୍ଡପାଣି ନାୟକ। ଦଣ୍ଡପାଣି ଆଜି ଇସ୍ତଫା ଦେଇଛନ୍ତି।
୧୦ ଜଣ କର୍ପୋରେଟର କଂଗ୍ରେସ ଛାଡ଼ିବା ପୂର୍ବ ଦିନ ଗଞ୍ଜାମ ଜିଲ୍ଲା ବହୁ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଦଳରୁ ଇସ୍ତଫା ଦେଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଭଗବାନ ଗନ୍ତାୟତ, ବିକ୍ରମ ପଣ୍ଡା କଂଗ୍ରେସରୁ ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତି ସର୍ଗରମ୍ ହୋଇ ଯାଇଥିଲା।