ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମଥର ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦାୟିତ୍ଵ ତୁଲାଇବେ ଜଣେ ମହିଳା ବିଚାରପତି। ୨୦୨୭ରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ବିଭି ନାଗରତ୍ନା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ। ଗୁରୁବାର ପଦୋନ୍ନତି ସହ ସୁପ୍ରିମକୋର୍ଟର ବିଚାରପତି ହେବାକୁ ଯାଉଥିବା ୯ ଜଣ ବିଚାରପତିଙ୍କ ନାଁ ଉପରେ ମୋହର ମାରିଛନ୍ତି କେନ୍ଦ୍ର ସରକାର।ଏହି ୯ ଜଣଙ୍କୁ ବିଚାରପତି ଭାବେ ପଦୋନ୍ନତି ଦେବାକୁ କିଛି ଦିନ ତଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ନେତୃତ୍ୱରେ ଗଠିତ କଲେଜିୟମ ସୁପାରିସ କରିଥିଲେ। ଏହି ପ୍ରସ୍ତାବ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଅନୁମୋଦନ ଲାଭ କରିଛି।
ଆଇନ ମନ୍ତ୍ରାଳୟର ଅନୁମୋଦନ ପରେ ଏହି ପ୍ରସ୍ତାବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଯାଇଛି। ସେ ମୋହର ମାରିବା ପରେ ପଦୋନ୍ନତି ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନୂଆ ବିଚାରପତିମାନେ ଶପଥ ପାଠ କରିବେ। ସବାଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମଥର ପାଇଁ ଏକକାଳୀନ ୯ ଜଣଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ମିଳିବାକୁ ଯାଉଛି।
Appointment notification of Justice BV Nagarathna as Supreme Court judge.
She will go on to become the first woman Chief Justice of India in 2027.#SupremeCourt pic.twitter.com/ijanHonR4a
— Bar & Bench (@barandbench) August 26, 2021
ସେହିପରି ସୁପ୍ରିମକୋର୍ଟ ସୁପାରିସ କରିଥିବା ୯ ଜଣ ବିଚାରପତିଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଏହି ତିନି ମହିଳା ବିଚାରପତିଙ୍କ ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ବିଭି ନାଗରତ୍ନାଙ୍କ ନାମ ରହିଛି।
ବରିଷ୍ଠତା ଭିତ୍ତିରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତି ପାଆନ୍ତି। ତେଣୁ ୨୦୨୭ ବେଳକୁ ବରିଷ୍ଠତା ଦୃଷ୍ଟିକୋଣରୁ ଜଷ୍ଟିସ ନାଗରତ୍ନା ହିଁ ସର୍ବାଗ୍ରେ ଥିବେ। ତେଣୁ ସେ ହିଁ ଦେଶର ପ୍ରଧାନ ବିଚାରପତି ନିଯୁକ୍ତ ହୋଇ ଭାରତୀୟ ନ୍ୟାୟପାଳିକାରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ନେଇ ସ୍ପଷ୍ଟ ହୋଇସାରିଛି। ସେହିପରି ଅନ୍ୟ ଦୁଇ ମହିଳା ବିଚାରପତି ହେଲେ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି ଓ ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀ।ଷାଠିଏ ବର୍ଷୀୟା ଜଷ୍ଟିସ ନାଗରତ୍ନା ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଇଏସ ଭେଙ୍କଟରାମିୟାଙ୍କ କନ୍ୟା। ବେଙ୍ଗାଳୁରୁରୁ ଆଇନଜୀବୀ ଭାବରେ ବୃତ୍ତି ଆରମ୍ଭ କରିଥିବା ଜଷ୍ଟିସ ନାଗରତ୍ନାଙ୍କର ସମ୍ବିଧାନ, ବାଣିଜ୍ୟ ଓ ଚାକିରି ସମ୍ପର୍କିତ ମାମଲାରେ ବେଶ ଦକ୍ଷତା ରହିଛି।