ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ସ୍ତନ୍ୟପାନର ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟକୁ ନେଇ ପ୍ରସ୍ତୁତ ରିପୋର୍ଟ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଗଷ୍ଟ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ। ଶିଶୁ ପାଇଁ ମା’ କ୍ଷୀରର ଆବଶ୍ୟକତା ତଥା ଗୁରୁତ୍ୱ ସମ୍ପର୍କରେ ସଚେତନ କରିବାକୁ ଏହି ଦିବସ ପାଳନ ହେଉଛି। ଚଳିତ ବର୍ଷ ଏ ଦିବସର ଥିମ୍ ରହିଛି ‘ଷ୍ଟେପ୍ ଫର୍ ବ୍ରେଷ୍ଟଫିଡିଙ୍ଗ୍ : ଏଜୁକେଟ ଆଣ୍ଡ୍ ସପୋର୍ଟ’।
ମା’କ୍ଷୀର ଉପକାରିତାକୁ ନେଇ ସମଗ୍ର ବିଶ୍ୱରେ ଅନେକ ଅନୁସନ୍ଧାନ କରାଯାଇଛି। ତଥ୍ୟ ଅନୁସାରେ ସ୍ତନ୍ୟପାନ କରାଇବା ଦ୍ୱାରା ଶିଶୁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହିତ ତା’ର ବୁଦ୍ଧି ଓ ବିଚକ୍ଷଣତା ବଢ଼ିଥାଏ। ମୋଟାମୋଟି ଭାବେ ଏହା ଶିଶୁର ପ୍ରତିରକ୍ଷା ପ୍ରଣାଳୀକୁ ସୁଦୃଢ଼ କରେ। ଶିଶୁ ସ୍ତନ୍ୟପାନ ମା’ମାନଙ୍କ ପାଇଁ ବି ଉପକାରୀ ହୋଇଥାଏ। ଏହା ଭବିଷ୍ୟତରେ ଜୀବନଶୈଳୀ ରୋଗ ଯଥା ମଧୁମେହ, ମେଦବହୁଳତା ଏପରିକି ସ୍ତନ କର୍କଟ ଆଦି ରୋଗର ସମ୍ଭାବନା କମ୍ କରେ। କେବଳ ସେତିକି ନୁହେଁ ପିଲା ଖୁସି ରହିଲେ ମା’ମାନେ ବି ଚିନ୍ତାମୁକ୍ତ ରହନ୍ତି। ଏହାସହିତ ସ୍ତନ୍ୟପାନ ଗର୍ଭଧାରଣ ରୋକିବାରେ ମଧ୍ୟ ସହାୟକ ହୋଇଥାଏ।
ସ୍ତନ୍ୟପାନ ଶିଶୁ ଓ ମା’ର ସ୍ୱାସ୍ଥ୍ୟ, ପୃଷ୍ଟି, ବିକାଶ ଉପରେ ଏକ ଗଭୀର ପ୍ରଭାବ ପକାଉଥିବା ବେଳେ ଏହାକୁ ନେଇ ଆମ ଦେଶର ଚିତ୍ର କ’ଣ ଜାଣିବା ପାଇଁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟକୁ ନିଆଯାଇପାରେ।
ଆମ ଦେଶ ଭାରତରେ ପ୍ରତିବର୍ଷ ୨ କୋଟି ୫୦ ଲକ୍ଷରୁ ଅଧିକ ଶିଶୁ ଜନ୍ମ ହେଉଛନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫ୍ଏଚ୍ -୫) ତଥ୍ୟ ଅନୁଯାୟୀ ୪୧.୬ ପ୍ରତିଶତ ଶିଶୁ ଜନ୍ମର ୧ ଘଣ୍ଟା ମଧ୍ୟରେ ମା’ କ୍ଷୀର ଗ୍ରହଣ କରିଥାନ୍ତି। ସେହିପରି ୬୩.୭ ପ୍ରତିଶତ ଶିଶୁ ପ୍ରଥମ ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଖାଇପାରୁଛନ୍ତି। ଏହି ତଥ୍ୟ ଦର୍ଶାଉଛି ଯେ, ଏବେ ଡାକ୍ତରଖାନାରେ ଅଧିକ ଶିଶୁ ଜନ୍ମ ହେଉଥିଲେ ମଧ୍ୟ ଜନ୍ମର ୧ ଘଣ୍ଟା ଭିତରେ ମା’କ୍ଷୀର ଖାଉଥିବା ଶିଶୁଙ୍କ ସଂଖ୍ୟା କମ୍। ତେବେ କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି ଯେ, ଅସ୍ତ୍ରୋପଚାର ଦ୍ୱାରା ଜନ୍ମ ହେଉଥିବା ପିଲାଙ୍କୁ ଜନ୍ମର ୧ ଘଣ୍ଟା ଭିତରେ ମା’କ୍ଷୀର ଦେବାରେ ସକ୍ଷମ ହୁଏ ନାହିଁ ତେଣୁ ଏହି ସଂଖ୍ୟାରେ ବିଶେଷ କିଛି ପରିବର୍ତ୍ତନ ହେଉନାହିଁ।
ମା’ କ୍ଷୀରରେ ମିଳୁଥିବା କୋଲଷ୍ଟ୍ରମ୍ (କଷ କ୍ଷୀର) ଶିଶୁକୁ ପ୍ରତିରୋଧକ ଶକ୍ତି ପ୍ରଦାନ କରିଥାଏ। ଏହାସହିତ ଶିଶୁକୁ ରୋଗରୁ ରକ୍ଷା କରିଥାଏ ଏବଂ ଶିଶୁର ସଠିକ ବୃଦ୍ଧି ହୋଇଥାଏ।
ସେହିପରି ଆମ ଦେଶ ଭାରତରେ ମା’ କ୍ଷୀର ସହ କଠିନ ଓ ଅର୍ଦ୍ଧ କଠିନ ଖାଦ୍ୟ ଖାଉଥିବା ୬ରୁ ୮ ମାସ ପର୍ଯ୍ୟନ୍ତ ଶିଶୁଙ୍କ ସଂଖ୍ୟା ହେଉଛି ୪୫.୯ ପ୍ରତିଶତ ଓ ମା’ କ୍ଷୀର ସହ ଯଥେଷ୍ଟ ମାତ୍ରାରେ ଖାଦ୍ୟ ଖାଉଥିବା ୬ରୁ ୨୩ ମାସ ପର୍ଯ୍ୟନ୍ତ ଶିଶୁଙ୍କ ସଂଖ୍ୟା ୧୧.୧ ପ୍ରତିଶତ।
ଯଦି ଏନଏଫ୍ଏଚ୍ -୪ ରିପୋର୍ଟକୁ ଦେଖାଯାଏ, ତେବେ ଏହି ତଥ୍ୟରେ କୌଣସି ବିଶେଷ ପରିବର୍ତ୍ତନ ଦେଖାଯାଇନାହିଁ। କାରଣ ୨୦୧୫-୧୬ରେ…
- ଜନ୍ମର ୧ ଘଣ୍ଟା ମଧ୍ୟରେ ମା’ କ୍ଷୀର ଗ୍ରହଣ କରିଥିବା ଶିଶୁ – ୪୧.୬ ପ୍ରତିଶତ
- ପ୍ରଥମ ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଖାଇପାରୁଥିବା ଶିଶୁ – ୫୪.୯ ପ୍ରତିଶତ
- ମା’ କ୍ଷୀର ସହ କଠିନ ଓ ଅର୍ଦ୍ଧ କଠିନ ଖାଦ୍ୟ ଖାଉଥିବା ୬ରୁ ୮ ମାସ ପର୍ଯ୍ୟନ୍ତ ଶିଶୁ – ୪୨.୭ ପ୍ରତିଶତ
- ମା’ କ୍ଷୀର ସହ ଯଥେଷ୍ଟ ମାତ୍ରାରେ ଖାଦ୍ୟ ଖାଉଥିବା ୬ରୁ ୨୩ ମାସ ପର୍ଯ୍ୟନ୍ତ ଶିଶୁ – ୮.୭ ପ୍ରତିଶତ
ତେବେ ଶିଶୁଙ୍କୁ ସଠିକ ଭାବେ ମା’କ୍ଷୀର ନ ମିଳିବା ପଛରେ କିଛି କାରଣ ରହିଛି। ଆଲୋଚନା କଲେ ଜଣାପଡ଼େ ଯେ, ସ୍ତନ୍ୟପାନ କରାଇବା ପାଇଁ ପ୍ରୋତ୍ସାହନର ଅଭାବ, ଶିଶୁର ଖାଦ୍ୟ ସମ୍ପର୍କରେ ସଠିକ ସୂଚନା ନଦିଆଯିବା।
ତେଣୁ ମା’ମାନେ ଯେମିତି ସେମାନଙ୍କ ଶିଶୁଙ୍କୁ ସଠିକ ଭାବେ ସ୍ତନ୍ୟପାନ କରାଇବେ ସେଥିପାଇଁ ସରକାର, ସ୍ୱାସ୍ଥ୍ୟସେବା, ଅନୁଷ୍ଠାନ, ପରିବାର, ସମାଜର ସହଯୋଗ ରହିବା ଆବଶ୍ୟକ। ଏହାଦ୍ୱାରା ଶିଶୁ ଏକ ସୁସ୍ଥ ଜୀବନ ଯାପନ କରିବା ସହ ମା’ମାନେ ଫାଇଦା ପାଇପାରିବେ। କାରଣ ସ୍ତନ୍ୟପାନ କରାଇବା ଦ୍ୱାରା ମା’ମାନଙ୍କଠାରେ ସ୍ତନ କର୍କଟର ସମ୍ଭାବନା ଖୁବ୍ କମ ରହିଥାଏ। ଏହା ଟାଇପ୍ ୨ ମଧୁମେହ ରୋଗରୁ ସୁରକ୍ଷା ଦେବା ସହ ୨୬ ପ୍ରତିଶତ ପର୍ଯ୍ୟନ୍ତ ମେଦବହୁଳତା କମ କରିଥାଏ।
Tags: #WBW2022 #WABA #breastfeeding #SDGs #worldbreastfeedingweek2022 #buildingbackbetter #stepupforbreastfeeding #educateandsupport