ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‘ବିଶ୍ଵ ସ୍ତନ୍ୟପାନ ସପ୍ତାହ’ ପାଳନ କରାଯାଉଛି। ସ୍ତନ୍ୟପାନ ଶିଶୁ ପାଇଁ ଯେତିକି ଜରୁରୀ ମା’ ପାଇଁ ମଧ୍ୟ ସେତିକି ଲାଭଦାୟକ। କାହିଁକି ସ୍ତନ୍ୟପାନ କରାଇବା ଜରୁରୀ ସେ ସମ୍ପର୍କରେ ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ ହିନ୍ଦୀକୁ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସିତିକାନ୍ତ ମହାପାତ୍ର ଦେଇଥିବା ସାକ୍ଷାତକାରକୁ ଆଧାର କରି ପ୍ରସ୍ତୁତ ରିପୋର୍ଟ।

“ଗୋଟିଏ ନବଜାତ ଶିଶୁ ପାଇଁ ମା’ କ୍ଷୀର ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ। କାରଣ ଶିଶୁ ମା’ କ୍ଷୀର ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାଏ। ମା’ କ୍ଷୀର ଅନ୍ୟ ଖାଦ୍ୟ ତୁଳନାରେ ସର୍ବୋକୃଷ୍ଟ। ପ୍ରକୃତି ଶିଶୁ ପାଇଁ ହିଁ ମା’ କ୍ଷୀର ବନେଇଛି। ମା’ର ପ୍ରଥମ କ୍ଷୀର ବା କଷ କ୍ଷୀର ଶିଶୁ ପାଇଁ ଅତ୍ୟନ୍ତ ଜରୁରୀ। ଏଥିରେ ପ୍ରଚୁର ପରିମାଣରେ ହିମଗ୍ଲୋବିନ ସହ ରୋଗ ପ୍ରତିରୋଧକ ଶକ୍ତି  ରହିଥାଏ” କୁହନ୍ତି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସିତିକାନ୍ତ ମହାପାତ୍ର।

କଷ କ୍ଷୀର ଇସତ ପାଣିଆ ଏବଂ ଫିକା ହୋଇଥିଲେ ମଧ୍ୟ ଏହା ଶିଶୁ ପାଇଁ ବେଶ ଉପକାରୀ। କଷ କ୍ଷୀର ଶିଶୁକୁ ସଂକ୍ରମଣ ସହିତ ଲଢ଼ିବାକୁ କ୍ଷମତା ପ୍ରଦାନ କରିଥାଏ। ମା’ କ୍ଷୀର ଶିଶୁର ଶାରୀରିକ ଏବଂ ମାନସିକ ବିକାଶରେ ସହାୟକ ହୋଇଥାଏ ବୋଲି ଡାକ୍ତର କୁହନ୍ତି।

“ମା’ କ୍ଷୀରରେ ଆବଶ୍ୟକ ପରିମାଣ ଭିଟାମିନ୍ସ ଏବଂ ମିନେରାଲ୍ସ ରହିଥାଏ। ଯାହା ଗୋଟିଏ ଶିଶୁର ବିକାଶରେ ସହାୟକ ହୋଇଥାଏ। ଶିଶୁ ପାଇଁ ମା’ କ୍ଷୀରରେ ଡିଏଚଏ ଏବଂ ଫାଟି ଏସିଡର ସଠିକ ପରିମାଣରେ ରହିଥାଏ। ଯାହା ଶିଶୁର ବ୍ରେନର ବିକାଶ ଲାଗି ଜାରୁରୀ। ତେଣୁ ବାହାର କ୍ଷୀର ଅପେକ୍ଷା ମା’କ୍ଷୀର ଶିଶୁ ପାଇଁ ସବୁଠାରୁ ଶ୍ରେଷ୍ଠ”, କୁହନ୍ତି ଡାକ୍ତର ସିତିକାନ୍ତ ମହାପାତ୍ର।

ମା’ କ୍ଷୀରକୁ ଶିଶୁ ସହଜରେ ହଜମ କରିଥାଏ। ମା’ କ୍ଷୀର ଖାଉଥିବା ଶିଶୁଙ୍କଠାରେ ପେଟ ଫାମ୍ପେଇବା, ଫୁଲିବା, ଝାଡ଼ା ଏବଂ ବାନ୍ତି ଆଦି ସମସ୍ୟା ଖୁବ୍ କମ୍ ଦେଖା ଦେଇଥାଏ। ତେଣୁ ଶିଶୁକୁ ଅତି କମ୍‌ରେ ଜନ୍ମର ୬ ମାସ ପର୍ଯ୍ୟନ୍ତ ବାହାର କ୍ଷୀର ନଦେଇ ସ୍ତନ୍ୟପାନ କରାଯାଇବା ଉଚିତ୍ ବୋଲି ବିଶେଷଜ୍ଞ କୁହନ୍ତି।

“ବିଭିନ୍ନ ସର୍ଭେରୁ ଜଣା ପଡ଼ିଛି ଯେଉଁ ଶିଶୁମାନେ ଜନ୍ମଠାରୁ ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଖାଇଛନ୍ତି, ଭବିଷ୍ୟତରେ ସେମାନଙ୍କଠାରେ ଡାଇବେଟିସ, ହାଇପରଟେନସନ, ମେଦବହୁଳତା ଭଳି ରୋଗ ହେବାର ସମ୍ଭବନା ବହୁତ କମ୍ ରହିଥାଏ” କୁହନ୍ତି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସିତିକାନ୍ତ ମହାପାତ୍ର।

ମା’ କ୍ଷୀର ଯେ କେବଳ ସନ୍ତାନର ପେଟ ପୁରାଏ ଏବଂ ତା’ର ସୁସ୍ଥ ବିକାଶ କରାଏ ତା’ ନୁହେଁ ବରଂ ଏହା ଦ୍ଵାରା ମା’ ଏବଂ ଶିଶୁ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିଥାଏ। ଯାହା ପିଲାର ବ୍ରେନର ବିକାଶ ପାଇଁ ସହାୟକ ହୋଇଥାଏ। କେବଳ ବ୍ରେନର ବିକାଶ ନୁହେଁ, ଶାରୀରିକ, ମାନସିକ ଏବଂ ସାମାଜିକ କ୍ଷେତ୍ରରେ ମଧ୍ୟ ଶିଶୁର ବିକାଶ ହୋଇଥାଏ ବୋଲି ଡାକ୍ତର କୁହନ୍ତି।

“ସ୍ତନ୍ୟପାନ କେବଳ ଶିଶୁ ପାଇଁ ଲାଭଦାୟକ ତା’ ନୁହେଁ ସ୍ତନ୍ୟପାନ କରାଉଥିବା ମା’ ମାନେ ମଧ୍ୟ ଏଥିରୁ ଉପକୃତ ହୋଇଥାନ୍ତି। ସ୍ତନ୍ୟପାନ କରୁଥିବା ମା’ ଟିଏ ସହଜରେ ପ୍ରସବର ପୂର୍ବ ଅବସ୍ଥାକୁ ଫେରିପାରିଥାନ୍ତି” ଡାକ୍ତର ସିତିକାନ୍ତ ମହାପାତ୍ର କୁହନ୍ତି।

ଜନ୍ମରୁ ୬ ମାସ ପର୍ଯ୍ୟନ୍ତ ମା’କ୍ଷୀର ବ୍ୟତୀତ ଶିଶୁକୁ ଅନ୍ୟ କୌଣସି ଖାଦ୍ୟ ଦେବା ଉଚିତ ନୁହେଁ। ୬ ମାସ ପରେ କେବଳ ମା’ କ୍ଷୀର ଦ୍ଵାରା ଶିଶୁର ବିକାଶ ହୋଇପାରି ନଥାଏ। ତେଣୁ ୬ ମାସ ପରେ ମା’ କ୍ଷୀର ସହ ଘରେ ପ୍ରସ୍ତୁତ ତରଳ ଖାଦ୍ୟକୁ ଶିଶୁକୁ ଦିଆଯାଇପାରିବ।

ଶିଶୁକୁ ଦେଢ଼ ବର୍ଷ ପରେ ଘରେ ପ୍ରସ୍ତୁତ ସମସ୍ତ ଖାଦ୍ୟ ଖାଇବାକୁ ଦିଆଯାଇପାରିବ। ଏହି ସମୟରେ ଶିଶୁକୁ ପନିପରିବା, ଫଳ, ଡାଲି, ଭାତ ଏବଂ ରୁଟି ଆଦି ଦେବା ଉଚିତ। ଏହା ସହିତ ମା’କ୍ଷୀର ମଧ୍ୟ ଶିଶୁକୁ ଦେବା ଜରୁରୀ ବୋଲି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସିତିକାନ୍ତ ମହାପାତ୍ର କୁହନ୍ତି।

Tags: #WBW2022 #WABA #breastfeeding #SDGs #worldbreastfeedingweek2022  #stepupforbreastfeeding #educateandsupport

Comment