ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‘ବିଶ୍ଵ ସ୍ତନ୍ୟପାନ ସପ୍ତାହ’ ପାଳନ କରାଯାଏ। ସ୍ତନ୍ୟପାନ କରାଉଥିବା ମା’ ମାନଙ୍କୁ ଏହି ଅବସରରେ ସଚେତନତାମୂଳକ ପରାମର୍ଶ ଦିଆଯାଇଥାଏ। ମା’ କ୍ଷୀର ଶିଶୁ ପାଇଁ ଅମୃତ ସମାନ ଏବଂ ସର୍ବକୃଷ୍ଟ ହୋଇଥାଏ। ସ୍ତନ୍ୟପାନ ସମ୍ପର୍କରେ ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆକୁ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ଼ ଦେଇଥିବା ସାକ୍ଷାତକାରକୁ ଆଧାର କରି ପ୍ରସ୍ତୁତ ରିପୋର୍ଟ।

ନବଜାତ ଶିଶୁ ପାଇଁ ମା’ କ୍ଷୀର ଅତ୍ୟନ୍ତ ଜରୁରୀ। ଜନ୍ମଠାରୁ ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ହିଁ ଶିଶୁକୁ ଦେବାକୁ ଡାକ୍ତରଙ୍କ ପରାମର୍ଶ ରହିଛି। ବାହାର ଖାଦ୍ୟ ଦେବା ଦ୍ଵାରା ଶିଶୁଙ୍କଠାରେ ବିଭିନ୍ନ ସମସ୍ୟା ଦେଖାଥାଏ। ସ୍ଵାଭାବିକ ଭାବେ ଜନ୍ମ ହୋଇଥିବା ଶିଶୁକୁ ଜନ୍ମ ହେବାର ଅଧ ଘଣ୍ଟା ମଧ୍ୟରେ ଏବଂ ସିଜେରିଆନ ଶିଶୁଙ୍କୁ ଜନ୍ମ ହେବାର ଦୁଇଘଣ୍ଟା ମଧ୍ୟରେ ମା’ କ୍ଷୀର ଦେବା ଆବଶ୍ୟକ ହୋଇଥାଏ। ଯଦି ଏଥିରେ ବିଳମ୍ବ ହୁଏ ତେବେ ଶିଶୁଠାରେ ହାଇକୋଗ୍ଲାସେନିଆ ଦେଖାଦିଏ। ଅର୍ଥାତ ଶରୀରର ଗ୍ଲୁକୋଜ ଲେବଲ କମିଥାଏ। ଶିଶୁ ଶରୀରରେ ଗ୍ଲୁକୋଜ ଲେବଲ କମ୍ ହେବା ଦ୍ଵାରା ଫିଡସ୍ ଭଳି ଅନେକ ରୋଗ ଦେଖାଦେବାର ସମ୍ଭାବନା ରହିଛି ବୋଲି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ଼ କହିଛନ୍ତି।

“ମା’ କ୍ଷୀର ହେଉଛି ଗୋଟିଏ ଶିଶୁ ପାଇଁ ଅମୃତ ସଦୃଶ। ଭଗବାନଙ୍କ ସୃଷ୍ଟିରେ ଗୋଟିଏ ନବଜାତ ଶିଶୁପାଇଁ ମା’ କ୍ଷୀରଠାରୁ ସର୍ବକୃଷ୍ଟ ଖାଦ୍ୟ ଅନ୍ୟ କିଛି ହୋଇନଥାଏ।। ବିଭିନ୍ନ ସମୟରେ ନବଜାତ ଶିଶୁ କାନ୍ଦିଲେ ତାକୁ ଫର୍ମୁଲେଟେଡ କ୍ଷୀର ଦେବାକୁ ପରିବାର ଲୋକେ ଚାହିଁଥାନ୍ତି। କିନ୍ତୁ ବାହାର କ୍ଷୀରଠାରୁ ନିଜ ଶିଶୁକୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରଖିବା ଉଚିତ”, କୁହନ୍ତି ଡାକ୍ତର ନିର୍ମଳ କୁମାର ମହାକୁଡ଼।

ମା’ କ୍ଷୀରଠାରୁ ଭଲ କିଛି ନାହିଁ। ମା’ କ୍ଷୀରରେ ଡିଏଚଏ, ମଲିକ୍ୟୁଲ ଏବଂ ସୁରକ୍ଷା ଦେବାର କ୍ଷମତା ରହିଛି। ଯାହା ପିଲାକୁ ବଢ଼ାଇବା ଏବଂ ବଞ୍ଚାଇବା ଲାଗି ସହାୟକ। ଏହିସବୁ ପ୍ରକୃତିଦତ୍ତ ଉପାଦାନ ଫର୍ମୁଲେଟେଡ କ୍ଷୀର ବା କୃତ୍ରିମ ଉପାୟରେ ସୃଷ୍ଟି କରିବା ସମ୍ଭବପର ନୁହେଁ ବୋଲି ଶିଶୁ ରୋଗ ବିଶେଷଜ୍ଞ କୁହନ୍ତି।

“ବିଭିନ୍ନ ରିସର୍ଚ୍ଚରୁ ଜଣାପଡ଼ିଛି, ଯେଉଁ ଶିଶୁମାନେ କେବଳ ମା’ କ୍ଷୀର ଖାଇଥାନ୍ତି, ସେମାନଙ୍କର ଆଇକ୍ୟୁ ବାହାର କ୍ଷୀର ଖାଉଥିବା ପିଲାଙ୍କଠାରୁ ବହୁ ପରିମାଣରେ ଅଧିକ ହୋଇଥାଏ। ଡବା କ୍ଷୀର ବା ଫର୍ମୁଲେଟେଡ କ୍ଷୀର ଖାଉଥିବା ଶିଶୁର ଶାରୀରିକ ବିକାଶ ହୋଇଥାଏ, କିନ୍ତୁ ତଦନୁଯାୟୀ ମସ୍ତିସ୍କ ବିକାଶ ହୋଇନଥାଏ। ଗୋଟିଏ ସୁସ୍ଥ ଏବଂ ବୁଦ୍ଧିମାନ ଶିଶୁ ଚାହୁଁଥିଲେ ତାକୁ କେବଳ ମା’ କ୍ଷୀର ଦେବା ଆବଶ୍ୟକ”, କୁହନ୍ତି ଡାକ୍ତର ନିର୍ମଳ କୁମାର ମହାକୁଡ଼।

ଶିଶୁ ଜନ୍ମର ପ୍ରଥମ ୬ ମାସ କେବଳ ମା’ କ୍ଷୀର ଦେବା ଆବଶ୍ୟକ। ମା’ କ୍ଷୀର ବ୍ୟତୀତ ଅନ୍ୟ କୌଣସି ବାହାର ଖାଦ୍ୟ ଦେବା ଉଚିତ ନୁହେଁ। ୬ ମାସ ପରେ ମା’ କ୍ଷୀର ସହ ଘରୋଇ ପ୍ରସ୍ତୁତ ଖାଦ୍ୟ ଶିଶୁକୁ ଦିଆଯାଇପାରିବ। କର୍ମଜୀବୀ ମା’ ମାନେ ଶିଶୁକୁ ସ୍ତନ୍ୟପାନ କରାଇ କର୍ମକ୍ଷେତ୍ରକୁ ଯାଇପାରିବେ ଏବଂ ସୁବିଧା ହେଲେ ସେମାନଙ୍କ ପାଇଁ ମା’ କ୍ଷୀର ବାହାର କରି ମଧ୍ୟ ରଖିପାରିବେ। ଯାହାକୁ ଚାରିରୁ ୬ ଘଣ୍ଟା ମଧ୍ୟରେ ଶିଶୁକୁ ଦିଆଯାଇପାରିବ। ସୁବିଧା ହେଲେ ମଝିରେ ମଝିରେ ମା’ ଆସି ଶିଶୁକୁ ସ୍ତନ୍ୟପାନ କରାଇବା ଉଚିତ ବୋଲି ଡାକ୍ତର କୁହନ୍ତି।

“ସ୍ତନ୍ୟପାନ କରାଇବା କେବଳ ଶିଶୁ ପାଇଁ ନୁହେଁ ମା’ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ସନ୍ତାନ ଜନ୍ମ ଦେବାର ୬ ମାସ କିମ୍ବା ତା’ଠାରୁ ଅଧିକ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଉଥିବା ମା’ ମାନଙ୍କ ଶରୀର ଗଠନ ଠିକ୍ ରହିବା ସହ ବିଭିନ୍ନ ରୋଗ ପ୍ରଭାବରୁ ମୁକ୍ତି ମିଳିଥାଏ। ବିଶେଷ କରି ଯେଉଁମାନେ ୬ ମାସ ଧରି ନିୟମିତ ସ୍ତନ୍ୟପାନ କରାଇଥାନ୍ତି ସେହି ମା’ ମାନଙ୍କଠାରେ ସର୍ଭାଇକାଲ କ୍ୟାନ୍ସର, ଲଙ୍ଗସ କ୍ୟାନ୍ସର, ଓଭାରିଆନ କ୍ୟାନ୍ସର, ୟୁଟ୍ରେସ କ୍ୟାନ୍ସର ଏବଂ ବର୍ତ୍ତମାନ ମହିଳାଙ୍କଠାରେ ଅଧିକ ମାତ୍ରାରେ ଦେଖାଦେଉଥିବା ବ୍ରେଷ୍ଟ କ୍ୟାନ୍ସର ହେବାର ସମ୍ଭାବନା ଖୁବ୍ କମ୍ ହୋଇଥାଏ” କୁହନ୍ତି ଡାକ୍ତର ନିର୍ମଳ ମହାକୁଡ଼।

ଫର୍ମୁଲେଟେଡ କ୍ଷୀର କେବଳ ଶିଶୁର କାନ୍ଦ ବନ୍ଦ କରାଇଥାଏ ଏବଂ ଶାରୀରିକ ବିକାଶ କରାଇଥାଏ। କିନ୍ତୁ ମା’ କ୍ଷୀର ଖାଉଥିବା ଶିଶୁ ତୁଳନାରେ ତା’ର ବ୍ରେନରେ ବିକାଶ ହୋଇପାରିନଥାଏ। ତେଣୁ ଉଭୟ ମା’ ଏବଂ ଶିଶୁର ଉତ୍ତମ ସ୍ଵାସ୍ଥ୍ୟ ଲାଗି ଶିଶୁକୁ କେବଳ ମା’ କ୍ଷୀର ହିଁ ଦେବାକୁ ପରାମର୍ଶ ଦେଇଛନ୍ତି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ଼।

Tags: #BreastFeeding #BreastFeedingWeek #Mother’sMilk #NewBorn #HealthyChild #ChildCare #MotherCare

Comment