ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‘ବିଶ୍ଵ ସ୍ତନ୍ୟପାନ ସପ୍ତାହ’ ପାଳନ କରାଯାଏ। ସ୍ତନ୍ୟପାନ କରାଉଥିବା ମା’ ମାନଙ୍କୁ ଏହି ଅବସରରେ ବିଭିନ୍ନ ପରାମର୍ଶ ଦିଆଯାଇଥାଏ। ତେବେ ମା’ କେଉଁଭଳି ଭାବରେ ଶିଶୁକୁ ସନ୍ତ୍ୟପାନ କରାଇବା ଉଚିତ ସେ ସମ୍ପର୍କରେ ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆକୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସ୍ମିତା ଷଡ଼ଙ୍ଗି ଦେଇଥିବା ସାକ୍ଷାତକାରକୁ ଆଧାର କରି ପ୍ରସ୍ତୁତ ରିପୋର୍ଟ।

ମା’ କ୍ଷୀର ଗୋଟିଏ ଶିଶୁ ପାଇଁ ସର୍ବୋକୃଷ୍ଟ ଖାଦ୍ୟ ହୋଇଥାଏ। ବର୍ତ୍ତମାନ ଜନ୍ମଠାରୁ ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା’ କ୍ଷୀର ଦେବାକୁ ଡାକ୍ତରଙ୍କ ପରାମର୍ଶ ରହିଛି। ଶିଶୁ ଜନ୍ମ ହେବା ମାତ୍ରେ ମା’ର ପ୍ରଥମ କ୍ଷୀର ବା କଷ କ୍ଷୀର ପିଲାପାଇଁ ବହୁତ ଉପଯୋଗୀ ହୋଇଥାଏ। ଏହା କମ୍ ପରିମାଣରେ ବାହାରୁ ଥିଲେ ମଧ୍ୟ ଶିଶୁର ଉତ୍ତମ ସ୍ଵାସ୍ଥ୍ୟ ନିମନ୍ତେ ଏହା ବେଶ୍ ସହାୟକ ହୋଇଥାଏ ବୋଲି କୁହନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡକ୍ତର ସ୍ମିତା ଷଡ଼ଙ୍ଗି।

“ଶିଶୁକୁ ସ୍ତନ୍ୟପାନ କରାଇବା ସମୟରେ ମା’କୁ ସଚେତନତା ଅବଲମ୍ବନ କରିବା ସହ ବିଭିନ୍ନ ଦିଗ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ସ୍ତନ୍ୟପାନ କରାଇବା ସମୟରେ ମା’ ଭଲ ଭାବେ ବସିବେ। ବସିବା ସମୟରେ ଚୌକିରେ କିମ୍ବା କାନ୍ଥକୁ ଆଉଜିକି ବସିବେ। ଶିଶୁକୁ କୋଳରେ ରଖି ଗୋଟିଏ ହାତରେ ଭଲ ଭାବେ ଧରି ସ୍ତନ୍ୟପାନ କରାଇବା ଆବଶ୍ୟକ। ସହଜ ଭାବେ ବସି ସଠିକ୍ ଢଙ୍ଗରେ ଶିଶୁକୁ କ୍ଷୀର ପିଆଇବା ଦ୍ଵାରା ତାକୁ ଆବଶ୍ୟକ ପରିମାଣର କ୍ଷୀର ମିଳିପାରିବ ଏବଂ ମା’ର ସ୍ତନ ଗୋଟା ହେବା ଭଳି ସମସ୍ୟା ଦେଖାଦେବ ନାହିଁ” କୁହନ୍ତି ଡାକ୍ତର ସ୍ମିତା ଷଡ଼ଙ୍ଗି।

ମା’ର ପ୍ରଥମ କ୍ଷୀର ବା କଷ କ୍ଷୀର ଶିଶୁ ପାଇଁ ଗୁରୁତ୍ଵପୂର୍ଣ୍ଣ। ଏଥିରେ ଅତିମାତ୍ରାରେ ହିମୋଗ୍ଳୋବିନ ଏବଂ ରୋଗ ପ୍ରତିରୋଧକ କ୍ଷମତା ରହିଛି। ସନ୍ତାନ ଜନ୍ମର ଦୁଇ ତିନି ଦିନ ପର୍ଯ୍ୟନ୍ତ କମ ପରିମାଣର କ୍ଷୀର ବାହାରିଥାଏ। ତେଣୁ ଏହି ସମୟ ମଧ୍ୟରେ ମା’ର କ୍ଷୀର ହେଉନାହିଁ କହି ଅନେକ ଅଭିଭାବକ ବାହାର କ୍ଷୀର ଉପରେ ଭରସା କରିଥାନ୍ତି। ବାହାର ଖାଦ୍ୟ ଖାଇ ଶିଶୁକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତିନିରୁ ୪ ଦିନ ପରେ ମା’ର ଆବଶ୍ୟକ ପରିମାଣ କ୍ଷୀର ହୋଇଥାଏ। ତେସେବେଳ ପର୍ଯ୍ୟନ୍ତ ଟିକେ ଧୈର୍ଯ୍ୟ ରଖିବାକୁ ପଡ଼ିବ ବୋଲି ବିଶେଷଜ୍ଞ କୁହନ୍ତି।

“ବିଭିନ୍ନ ସମୟରେ ସ୍ତନ୍ୟପାନ କରାଉଥିବା ମା’ ମାନଙ୍କର ଅଣ୍ଟା ଯନ୍ତ୍ରଣା ଦେଖାଦେଇଥାଏ। ଠିକ୍ ଭାବେ ନବସି ଶିଶୁକୁ ସ୍ତନ୍ୟପାନ କରାଇବା ଯୋଗୁଁ ମା’ ମାନଙ୍କର ଅଣ୍ଟା ସହ କାନ୍ଧରେ ମଧ୍ୟ ଯନ୍ତ୍ରଣା ହୋଇଥାଏ। ତେଣୁ ସଠିକ ଢଙ୍ଗରେ ବସି ସ୍ତନ୍ୟପାନ କରାଇଲେ ଏହି ସମସ୍ୟା ଦେଖାଦେବାର ସମ୍ଭବନା ଖୁବ କମ୍ ବୋଲି କୁହନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସ୍ମିତା ଷଡ଼ଙ୍ଗି।

ଶିଶୁକୁ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ଯତ୍ନବାନ ହେବା ଦରକାର। ପ୍ରତି ଦୁଇ ଘଣ୍ଟା ବ୍ୟବଧାନରେ ଶିଶୁକୁ ସ୍ତନ୍ୟପାନ କରାଇବା ଜରୁରୀ। ସ୍ତନ୍ୟପାନ କରାଇବା ସମୟରେ ଶିଶୁ ଠିକ୍ ଭାବେ କ୍ଷୀର ଟାଣି ପିଉଛି କି ନାହିଁ ଧ୍ୟାନ ଦେବା ଦରକାର। ଶିଶୁଠିକ୍ ଭାବେ କ୍ଷୀର ନପିଇଲେ ମା’ଠାରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳେ। କ୍ଷୀର ସବୁ ସ୍ତନରେ ଜମାଟ ବାନ୍ଧି ଗୋଟା ହୋଇଯାଏ। ଏହି ସମୟରେ ସ୍ତନ ପୀଡ଼ା ହେବା ସହ ମା’କୁ ଜ୍ଵର ହୋଇଥାଏ। ସ୍ତନରେ କ୍ଷୀର ଗୋଟା ହେଲେ ଗରମ ସେକ ଦେବା ଦ୍ଵାରା ତାହା ଠିକ୍ ହୋଇଥାଏ। ସ୍ତନରେ ଜମି ରହିଥିବା କ୍ଷୀରକୁ ଚିପୁଡ଼ି ବାହାର କରି ତାକୁ ଶିଶୁକୁ ଦିଆଯାଇପାରିବ।

ସ୍ତନ୍ୟପାନ କରାଇବା ସମୟରେ କିଛି ସମୟ ବ୍ୟବଧାନରେ ଉଭୟ ସ୍ତନରୁ ଶିଶୁକୁ କ୍ଷୀର ଦେବା ଦରକାର। ଏହା ଦ୍ଵାରା ଶିଶୁକୁ ଆବଶ୍ୟକ ପରିମାଣର କ୍ଷୀର ମିଳିଥାଏ ଏବଂ ଅଯଥା ଅପଚୟ ହେବାକୁ ଥିବା କ୍ଷୀରର ସଦୁପଯୋଗ ହୋଇଯାଏ ବୋଲି ଡାକ୍ତର କୁହନ୍ତି।

“ଅନେକ କର୍ମଜୀବୀ ମହିଳା କାର୍ଯ୍ୟକୁ ଯାଉଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶିଶୁକୁ ସ୍ତନ୍ୟପାନ କରାଇପାରନ୍ତି ନାହିଁ। ଫଳରେ କ୍ଷୀର ଗୋଟା ହେବା ସହ ଓଭର ଫ୍ଲୋ ହୋଇଥାଏ। ଏହି ସମୟରେ ମା’ ମାନେ ପ୍ରତି ଦୁଇ ଘଣ୍ଟା ବ୍ୟବଧାନରେ କୌଣସି ଜାଗାରେ କ୍ଷୀରକୁ କାଢ଼ି ଷ୍ଟୋର କରି ରଖିପାରିବେ। ଏହା ସହିତ ଓଭର ଫ୍ଲୋ ରୋକିବା ପାଇଁ ବ୍ରେଷ୍ଟ ପ୍ୟାଡ ବ୍ୟବହାର କରିପାରିବେ”, କୁହନ୍ତି ଡାକ୍ତର ସ୍ମିତା ଷଡ଼ଙ୍ଗି।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ମା’ ନିଜ ସ୍ତନକୁ ସାଦା ପାଣିରେ ଭଲ ଭାବେ ସଫା କରିବା ଆବଶ୍ୟକ। କୌଣସି ସାବୁନର ଏହି ସମୟରେ ବ୍ୟବହାର କରିବେ ନାହିଁ। ସ୍ତନ୍ୟପାନ କରାଉଥିବା ମା’ ମାନଙ୍କ ସ୍ତନର ଅଗ୍ରଭାଗ ଶୁଷ୍କ ହୋଇଯାଏ। ବେଳେବେଳେ ଶିଶୁ ଠିକ୍ ଭାବେ କ୍ଷୀର ଟାଣି ନପାରିଲେ ବାରମ୍ବାର ପ୍ରୟାସ ଯୋଗୁଁ ସ୍ତନର ଅଗ୍ରଭାଗ ଖଣ୍ଡିଆ ହୋଇଯାଏ। ଏହାକୁ ଠିକ୍ କରିବା ପାଇଁ ଶିଶୁ କ୍ଷୀର ଖାଇସାରିବା ପରେ ଶେଷ କ୍ଷୀର ବା ହାଇନ୍ଦ ମିଲ୍କକୁ ଅଳ୍ପ ପରିମାଣରେ ସ୍ତନର ଅଗ୍ରଭାଗରେ ବୋଳିବା ଦ୍ଵାରା ଏହା ଧୀରେ ଧୀରେ ଭଲ ହୋଇଥାଏ। ଯଦି ଅଧିକ ଖଣ୍ଡଆ ହୋଇ ଯନ୍ତ୍ରଣା ହୁଏ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ବିଶେଷଜ୍ଞ କୁହନ୍ତି।

ସ୍ତନ୍ୟପାନ ଉଭୟ ମା’ ଏବଂ ଶିଶୁ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ। ଏହା ଶିଶୁର ଶାରୀରିକ ତଥା ମାନସିକ ବୃଦ୍ଧି ପାଇଁ ଅତ୍ୟନ୍ତ ଜରୁରୀ। ସଠିକ୍ ଉପାୟରେ ଶିଶୁକୁ ସ୍ତନ୍ୟପାନ କରାଇବା ମା’ ଏବଂ ଶିଶୁ ପାଇଁ ଲାଭ ଦାୟକ ବୋଲି କୁହନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସ୍ମିତା ଷଡ଼ଙ୍ଗି।

Tags: #BreastFeeding #BreastFeedingWeek #WorldBreastFeedingWeek2022 #Mother’sMilk #NewBorn #HealthyChild #ChildCare #WBW2022 #WABA #SDGs #buildingbackbetter #stepupforbreastfeeding #educateandsupport

Comment