ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରୋଇ ହିଂସା କୋଭିଡ ପୂର୍ବରୁ ଥିଲା, ଅଛି , ଆଗକୁ ବି ରହିବ। ତେଣୁ ମହିଳାମାନଙ୍କୁ ଏଥିରୁ କେମିତି ସୁରକ୍ଷା ଦେଇ ହେବ ସେ ବିଷୟରେ କହିଛନ୍ତି ଜଣାଶୁଣା ସାମଜିକ କର୍ମୀ ତଥା ‘ଆଇନା’ର ସମ୍ପାଦିକା ସ୍ନେହ ମିଶ୍ର।

କରୋନା ଲକ୍‌ଡାଉନ ସମୟରେ ପାରିବାରିକ ହିଂସାର ସଂଖ୍ୟା ବଢ଼ିଛି। ବିଶେଷ କରି ମହିଳାମାନେ ଏହି ହିଂସାର ଶିକାର ହେଉଛନ୍ତି। ଏହି ହିଂସା ରୋକିବା ଲାଗି ସମାଜରେ ଯେଉଁ ସବୁ ବ୍ୟବସ୍ଥା ଅଛି ସେ ମଧ୍ୟରେ ଅନେକ ଏ ସମୟରେ କାମ କରୁନି। ଏମିତି ସ୍ଥିତିରେ ଏହାର ମୁକାବିଲା କିପରି କରିହେବ ସେ ସମ୍ପର୍କରେ ବିସ୍ତୃତ ଭାବେ କହିଛନ୍ତି ଜଣାଶୁଣା ସାମଜିକ କର୍ମୀ ତଥା ‘ଆଇନା’ର ସମ୍ପାଦିକା ସ୍ନେହ ମିଶ୍ର।BGU

‘‘କୋଭିଡ ପୂର୍ବରୁ ବି ଆମ ସମାଜରେ ପାରିବାରିକ ହିଂସା ହେଉଥିଲା। ଏବେ ଏହା ଆହୁରି ବଢ଼ିଯାଇଛି। ଏହାକୁ ରୋକିବାକୁ ହେଲେ ପାରିବାରିକ ହିଂସା ରୋକିବା ପାଇଁ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସଜାଗ ହେବାକୁ ପଡ଼ିବ। କାରଣ ଅନେକ ଥର ଲକ୍ଷ୍ୟ କରାଯାଇଛି, ଯେଉଁମାନେ ପାରିବାରିକ ହିଂସାର ଶିକାର ହୋଇ ଅଭିଯୋଗ ନେଇ ଆସିଛନ୍ତି ସେମାନେ ଠିକ୍‌ ସେବା ପାଇନାହାନ୍ତି। କାରଣ ପୋଲିସ କୋଭିଡ ପରିସ୍ଥିତିରେ ଅମାନିଆଙ୍କୁ ଜଗିବାରେ ବ୍ୟସ୍ତ। ଯେଉଁ ସଂସ୍ଥା ଏଥିପାଇଁ କାମ କରୁଛି ଲକଡାଉନ ପାଇଁ ଲୋକେ ସେଠାରେ ପହଞ୍ଚି ପାରୁନାହାନ୍ତି। ଫଳରେ ଯେଉଁମାନେ ହିଂସାର ଶିକାର ହେଉଛନ୍ତି ସେମାନେ ଅନେକ ସମୟରେ ଅଭିଯୋଗ ବି ଦାଖଲ କରିପାରୁନାହାନ୍ତି’’, କହିଛନ୍ତି ସ୍ନେହ ମିଶ୍ର।

ୟୁନିସେଫ୍, ଓଡିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସର ମିଳିତ ଅଭିଯାନ ‘କେତେ ନୂଆ ବାଟ’ର ଦ୍ଵାଦଶ ଅଧ୍ୟାୟ ‘ବିଲ୍ଡିଂ ବ୍ୟାକ୍ ବେଟର’ରେ ଯୋଗ ଦେଇ ସ୍ନେହ ମିଶ୍ର କହିଛନ୍ତି, ‘‘ଯେଉଁମାନେ ଘରେ ହିଂସା ସୃଷ୍ଟି କରନ୍ତି ସେ ପୁରୁଷ ହୁଅନ୍ତୁ ବା ଅନ୍ୟ କେହି ସଦସ୍ୟ ସେମାନେ ଏହି ଲକଡାଉନ ସମୟରେ ସବୁବେଳେ ଘରେ ରହିଲେ। ତାଙ୍କ ପାଖରେ ରହୁଥିବା ମହିଳାମାନେ ହିଂସାର ଅଧିକ ଶିକାର ହେଲେ। କିନ୍ତୁ ସେଥିରୁ ରକ୍ଷା ପାଇବା ତାଙ୍କ ପାଖରେ କିଛି ସୁଯୋଗ ନାହିଁ। କୋଭିଡ ପରେ ବି ଏହି ପରିସ୍ଥିତି ରହିବ। ତେଣୁ ଆଗାମୀ ଦିନରେ ଏମିତି ପରିସ୍ଥିତି ଆସିଲେ ଏହି ଚାଲେଞ୍ଜକୁ ପ୍ରଥମେ ଚିହ୍ନିବାକୁ ପଡ଼ିବ ଓ ଏହାର ମୁକାବିଲା କରିବାକୁ ପଡ଼ିବ’’।

ଏହାଛଡ଼ା ସ୍ନେହ ମିଶ୍ର କୋଭିଡ ଯୋଦ୍ଧାଙ୍କ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଏନେଇ ସେ କହନ୍ତି,‘‘କୋଭିଡ ମହାମାରୀ ବେଳେ ଯେଉଁମାନେ ଆଗଧାଡ଼ିର କରୋନା ଯୋଦ୍ଧା ଅଛନ୍ତି ସେମାନଙ୍କ ମଧ୍ୟରେ ୭୫ ପ୍ରତିଶତ କେବଳ ମହିଳା ଅଛନ୍ତି। ତେଣୁ ଏହି ମହିଳାକର୍ମୀଙ୍କ ପାଇଁ ଆମର ସମାଜିକ ସୁରକ୍ଷା ବ୍ୟବସ୍ଥା କ’ଣ ହୋଇଛି ତାକୁ ପ୍ରଥମେ ଦେଖିବା ଦରକାର। କାରଣ ଅନେକ ସମୟରେ ଏହି ମହିଳାମାନେ ଅନେକ ଘରୋଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସମୟରେ ଘରୁ ବାହାରକୁ ଯାଉଥିବାରୁ ପରିବାର ଲୋକ ସେମାନଙ୍କ ଉପରେ ଚାପ ପକାଉଛନ୍ତି। ତେଣୁ ସରକାର ଯେତେବେଳେ ଏଥିପାଇଁ କୌଣସି ଘୋଷଣା କରୁଛନ୍ତି ତାହା ସେମାନଙ୍କ ପାଖରେ କେତେଦୂର ପହଞ୍ଚିପାରୁଛି ତାହା ଦେଖିବା ଦରକାର’’।

କୋଭିଡ୍ ମୁକାବିଲାରେ ୟୁନିସେଫ୍ ଓ ଓଡ଼ିଶାର ବିଭିନ୍ନ ପଦକ୍ଷେପ, କୋଭିଡ୍ ହିରୋମାନଙ୍କର କାହାଣୀ, ବିଶେଷଜ୍ଞଙ୍କ ପରାମର୍ଶ ଆଦିକୁ ନେଇ ଆରମ୍ଭ ହୋଇଥିଲା ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏହି ଧାରାବାହିକ ଏବେ ଦ୍ୱାଦଶ ଅଧ୍ୟାୟରେ ପହଞ୍ଚିଛି। ଏହି ଅଧ୍ୟାୟର ବିଷୟ ବସ୍ତୁ ରହିଛି ‘ବିଲ୍ଡିଂ ବ୍ୟାକ୍ ବେଟର’। ଅର୍ଥାତ କୋଭିଡ୍ ମୁକାବିଲାରୁ ଆମେ ଯେଉଁ ଶିକ୍ଷା ପାଇଲେ ତାହାକୁ ଅଧାର କରି କିଭଳି ଆଗାମୀ ଦିନରେ ଏହିଭଳି ବିପତ୍ତିକୁ ସାମ୍ନା କରିବା ସେ ସମ୍ପର୍କରେ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟ ପ୍ଲସ୍ ବିଭିନ୍ନ ବିଷୟର ବିଶେଷଜ୍ଞଙ୍କ ସହ ଏହି ଧାରାବାହିକରେ ଆଲୋଚନା କରୁଛି। ସେମାନଙ୍କର ଭାବନା, ଦୃଷ୍ଟିଭଙ୍ଗୀକୁ ଲୋକଙ୍କ ନିକଟରେ ପହଞ୍ଚାଉଛି।

ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା ୩୦ ମିନିଟରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏଥିସହ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟ ପ୍ଲସ୍ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିଛନ୍ତି ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ। ଏଥିରେ ସହଯୋଗ କରିଛନ୍ତି ୟୁନିସେଫ୍ ଓଡ଼ିଶା।

Comment