ଓଡ଼ିଶାଲାଇଭ୍ ବ୍ୟୁରୋ

“ଓଡ଼ିଶାରେ ମହିଳାଙ୍କ ନେତୃତ୍ଵକୁ ସମ୍ମାନ ଦିଆଯିବାର ପରମ୍ପରା ମୂଳରୁ ରହିଆସିଛି। ବର୍ତ୍ତମାନ ପଞ୍ଚାୟତଗୁଡ଼ିକରେ ମହିଳା ପ୍ରତିନିଧିମାନେ ଯେଉଁଭଳି ଭାବେ ନେତୃତ୍ଵ ନେଉଛନ୍ତି ତାହା ସ୍ଵାଗତଯୋଗ୍ୟ। ମହିଳା ପ୍ରତିନିଧିମାନେ ତୃଣମୂଳସ୍ତରରେ ସକ୍ରିୟ ନଥିଲେ କୋଭିଡ ଭଳି ମହାମାରୀର ମୁକାବିଲା କରିବା ସମ୍ଭବପର ହୋଇନଥାନ୍ତା”, କହିଛନ୍ତି କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କିଟ ବିଶ୍ଵବିଦ୍ୟାଳୟ ପରିସରରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରାକରଙ୍କ ମିଳିତ ସହଯୋଗରେ ‘ଶିଶୁ ଓ ମହିଳା ଅନୁକୂଳ ଗ୍ରାମପଞ୍ଚାୟତ ଗଠନ’ ପ୍ରସଙ୍ଗ ଉପରେ ୩ ଦିନିଆ ରାଷ୍ଟ୍ରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାର ଏବଂ ପଞ୍ଚାୟତ ସ୍ତରରେ ଜନପ୍ରତିନିଧିଙ୍କୁ ୮ଟି ପ୍ରସ୍ତାବ ଓ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ, କେନ୍ଦ୍ରସରାର ଗ୍ରାମଞ୍ଚଳ ଭିତ୍ତିଭୂମି ମଜଭୁତ କରିବା ପାଇଁ ପଞ୍ଚଦଶ ଅର୍ଥ କମିଶନରେ ଅର୍ଥ ବ୍ୟୟବରାଦ ବୃଦ୍ଧି ହୋଇ ୨ ଲକ୍ଷ ୪୦ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ପଞ୍ଚାୟତିରାଜ ସହ ସଂଶ୍ଲିଷ୍ଟ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଏହି ଅର୍ଥ ଦିଆଯାଉଛି। ପଞ୍ଚାୟତଗୁଡ଼ିକୁ ଆସୁଥିବା ଅର୍ଥକୁ ରାଜ୍ୟ ସରକାର ଉଠାଇବା ଅନୁଚିତ। ରାଜ୍ୟରେ ‘ପିଏମ ଶ୍ରୀ’ ଲାଗୁ କରାଯାଉ। ଏହି ଯୋଜନାରେ ଓଡ଼ିଶାକୁ ୮୦୦ଟି ସ୍କୁଲ ଏବଂ ୧,୬୦୦ କୋଟି ଟଙ୍କା ମିଳିବ। କିନ୍ତୁ ଏଥିପାଇଁ ରାଜ୍ୟ ସରକାର ବୁଝାମଣାପତ୍ର କରିନଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଏହି ଅବସରରେ କେନ୍ଦ୍ର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ କପିଳ ମୋରେଶ୍ଵର ପାଟିଲ ଯୋଗ ଦେଇ ତୃଣମୂଳସ୍ତରରେ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ’ ଲକ୍ଷ୍ୟ ହାସଲ କରିବା ପାଇଁ ପଞ୍ଚାୟତିରାଜ ପ୍ରତିନିଧିମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ବୋଲି କହିଛନ୍ତି। ଦେଶର ବିକାଶ ବିଶେଷ ଭାବେ ଗ୍ରାମାଞ୍ଚଳ ସଶକ୍ତିକରଣ ଉପରେ ନିର୍ଭର କରିଥାଏ। କାରଣ ଗାଁଗୁଡ଼ିକୁ ଭାରତର ଆତ୍ମା କୁହାଯାଉଥିବା ସେ କହିଥିଲେ।

“ନବେ ଦଶକରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ ବିଭାଗରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ଯାହା ଓଡ଼ିଶାରେ ମହିଳାଙ୍କ ସଶକ୍ତିକରଣ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଂରକ୍ଷଣ ବ୍ୟବସ୍ଥାକୁ ୫୦ ପ୍ରତିଶତକୁ ବୃଦ୍ଧି କରି ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଛନ୍ତି। କେବଳ ସେତିକି ନୁହେଁ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କୁ ସ୍ଵାବଲମ୍ବୀ ଏବଂ ସଶକ୍ତ କରି ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି”, କହିଛନ୍ତି ପଞ୍ଚାୟତିରାଜ ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।

ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ପ୍ରତିନିଧି, ସରକାରୀ ଅଧିକାରୀ ଏବଂ ସାଧାରଣ ଜନତା ତୃରମୂଳସ୍ତରରେ ଏଲଏସଡିଜିର ତିନି ପ୍ରମୁଖ ଅଂଶୀଦାର ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଆଗାମୀ ୨୦୩୦ ମସିହା ସୁଦ୍ଧା ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ’ର ସଫଳ  ରୂପାୟନ ଲାଗି ଏହି ତିନି ଅଂଶୀଦାରଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ସମନ୍ଵୟର ଆବଶ୍ୟକତା ରହିଛି। ରାଜ୍ୟ ସରକାରଙ୍କ ନେତୃତ୍ଵରେ ଓଡ଼ିଶାରେ ୭୦ ଲକ୍ଷରୁ ଊର୍ଦ୍ଧ୍ଵ ମହିଳାଙ୍କୁ ମିଶନ ଶକ୍ତି ମାଧ୍ୟମରେ ସଶକ୍ତ କରାଯାଇଥିବା ସେ କହିଛନ୍ତି।

“ମହିଳା ସଶକ୍ତିକରଣ ଏବଂ ବିକାଶ କ୍ଷେତ୍ରରେ ଓଡ଼ିଶା ଦେଶରେ ଅନ୍ୟତମ ଅଗ୍ରଣୀ ରାଜ୍ୟ ହୋଇପାରିଛି। ‘ଶିଶୁ ଓ ମହିଳା ଅନୁକୂଳ ପଞ୍ଚାୟତ’ ବିକାଶ ପାଇଁ ପାଣ୍ଠି ବାଧକ ନୁହେଁ। ଓଡ଼ିଶାରେ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିବାବେଳେ ମୋଟ ସରପଞ୍ଚଙ୍କ ମଧ୍ୟରୁ ୫୬ ପ୍ରତିଶତ ମହିଳା ରହିଛନ୍ତି”, କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ଅତିଥିମାନଙ୍କୁ ସ୍ଵାଗତ କରିବା ସହ ଗ୍ରାମ ପଞ୍ଚାୟତରେ ଏଲଏସଡିଜିର ଗୁରୁତ୍ଵ ବିଷୟରେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ଅତିଥିମାନେ ଓଡ଼ିଶାରେ ପଞ୍ଚାୟତିରାଜ ପ୍ରତିଷ୍ଠାନ ମାଧ୍ୟମରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ପାଇଁ ରୋଡମ୍ୟାପ, ଶିଶୁ ଓ ମହିଳା ଅନୁକୂଳ ପଞ୍ଚାୟତ ଉପରେ ଭିଜନ ଡକ୍ୟୁମେଣ୍ଟ ଏବଂ ଗ୍ରାମଞ୍ଚଳରେ ରହୁଥିବା ଲୋକମାନଙ୍କୁ ସଶକ୍ତ କରିବା ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ମାଧ୍ୟମରେ ସୁଯୋଗ ସୃଷ୍ଟି କରିବା ଉପରେ କଫି ଟେବୁଲ ବୁକ୍ ଆଦିର ଡିଜିଟାଲ ଉନ୍ମୋଚନ କରାଯାଇଥିଲା। ଏହା ସହ ଆଇଇସି ପ୍ରଦର୍ଶନୀର ଉଦଘାଟନ କରାଯାଇଥିଲା।

ପଞ୍ଚାୟତିରାଜ ମନ୍ତ୍ରାଳୟର ଅତିରିକ୍ତ ସଚିବ ଡକ୍ଟର ସି ଏମ କୁମାର ୨୦୩୦ ସୁଦ୍ଧା ଏସଡିଜି ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମିଳିତ ସମନ୍ଵୟ ଉପରେ ଗୁରୁତ୍ଵରୋପ କରିଥିଲେ।

ମହିଳା ସଶକ୍ତିକରଣ ଓ ଶିଶୁ ବିକାଶ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଥିବାରୁ ୟୁନିସେଫର ଭାରତ ପ୍ରତିନିଧି ସୁଶ୍ରୀ ସିନ୍ଥିଆ ମ୍ୟାକ୍ କାଫ୍ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ଓରମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

ଶୁକ୍ରବାର ଦିନ ଆୟୋଜିତ ପ୍ରଥମ ଦିନର ଉଦଘାଟନୀ ଅଧିବେଶନ ପରେ ଦୁଇଟି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଥମ ପ୍ୟାନେଲ ଆଲୋଚନା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ‘ଶିଶୁମାନଙ୍କ ପାଇଁ ନିରାପଦ ଓ ସୁରକ୍ଷିତ ପରିବେଶ ଏବଂ ସମସ୍ତ ଅତ୍ୟାବଶ୍ୟକ ସାମାଜିକ ସେବାରେ ସମାନତା ଆଣିବା’ ଉପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସେହିପରି ‘ମହିଳା ଅନୁକୂଳ ଗ୍ରାମ’ ବିଷୟରେ ଦ୍ଵିତୀୟ ପ୍ୟାନେଲ ଆଲୋଚନା ହୋଇଥିବାବେଳେ ଓରମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଗୁହା ପନମ ତାପସ କୁମାର ଏଥିରେ ଅଧ୍ୟକ୍ଷତା କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରାଳୟର ବିଶେଷଜ୍ଞ, ସ୍ଵେଚ୍ଛାସେବୀ ସଂଗଠନ, ଅଧିକ୍ଷେତ୍ର ବିଶେଷଜ୍ଞ ଏବଂ ଗ୍ରାମ ପଞ୍ଚାୟତର ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ବିଶେଷଜ୍ଞମାନେ ଶିଶୁ ଓ ମହିଳା ଅନୁକୂଳ ପଞ୍ଚାୟତ ସମ୍ପର୍କୀତ ଅନେକ ପ୍ରେରଣାଦାୟୀ କ୍ଷୁଦ୍ର ଓ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରିଥିଲେ।

Tags: #SDGs #SustainableDevelopmentGoals #PanchayatirajDept #PanchayatirajMinistry #WomenAndChildFriendlyGramPanchayat

Comment