ଓଡ଼ିଶାଲାଇଭ୍ ବ୍ୟୁରୋ
ବିମାନ ସେବା କ୍ଷେତ୍ରରେ ପୁଣି ଆଧିପତ୍ୟ ଜାହିର କରିବ ଟାଟା। କିଛିଦିନ ତଳେ ଏୟାର ଇଣ୍ଡିଆର ମାଲିକାନା ଅକ୍ତିଆର କରିଥିବା ପରେ ଏବେ ଭିସ୍ତାରା ଏୟାରଲାଇନ୍ସକୁ ନିଜ ବ୍ରାଣ୍ଡ ସହ ମିଶ୍ରଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି ଟାଟା ସନ୍ସ। ମାର୍ଚ୍ଚ ୨୦୨୪ରେ ଭିସ୍ତାରା ଏୟାର୍ ଲାଇନ୍, ଏୟାର ଇଣ୍ଡିଆ ସହିତ ମିଶ୍ରଣ ନେଇ ସିଙ୍ଗାପୁର ଏୟାର ଲାଇନ୍ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି ।
ସୂଚନା ଅନୁସାରେ ସିଙ୍ଗାପୁର ଏୟାରଲାଇନ୍ ଏବଂ ଏୟାର ଇଣ୍ଡିଆ ମିଳିତ ଭାବେ ଭିସ୍ତାରାର ୨୫ ପ୍ରତିଶତ ଅଂଶଧନ କିଣିବାକୁ ଯାଉଛନ୍ତି। ଯାହାକି ପାଖାପାଖି ୨ ହଜାର କୋଟି ଡଲାରରୁ ଅଧିକ ହେବ। ବର୍ତ୍ତମାନ ସିଙ୍ଗାପୁର ଏୟାର ଲାଇନ୍ସ ପାଖରେ ଭିସ୍ତାରାର ୪୯ ପ୍ରତିଶତ ସେୟାର ରହିଥିବା ବେଳେ ୫୧ ପ୍ରତିଶତ ଟାଟା ନିକଟରେ ରହିଛି। ନିୟାମକଙ୍କ ଅନୁମତି ପରେ ଏହା ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ସମ୍ପୂର୍ଣ୍ଣ ମିଶିବା ନେଇ ଏହି ପ୍ରେସ୍ ବିଜ୍ଞପ୍ତିରୁ ଜଣାପଡ଼ିଛି।
ଅନ୍ୟପଟେ ଟାଟା ସନ୍ସ ପାଖରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏବଂ ଏୟାର ଏସିଆର ମାଲିକାନା ମଧ୍ୟ ରହିଛି। ଏହି ଦୁଇ ବିମାନ ସେବା ପ୍ରଦାନକାରୀ କମ୍ପାନିକୁ ୨୦୨୪ ମସିହାରେ ଏୟାର ଇଣ୍ଡିଆ ବ୍ରାଣ୍ଡ ନିଜ ଅଧିନକୁ ଆଣିବା ନେଇ ମଧ୍ୟ ଜଣାପଡ଼ିଛି। ଅର୍ଥାତ ୨୦୨୪ ମସିହା ସୁଦ୍ଧା ୪ଟି ବ୍ରାଣ୍ଡ୍ ଏୟାର ଇଣ୍ଡିଆ ବ୍ରାଣ୍ଡ ଅଧିନରେ ରହିବେ।
Tags: #AirIndia #Vistara #TataSons #Singapore #Merge #India #PressRelease #AirAsia #AirIndiaExpress