ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋବାଇଲ୍‌ ସିମ୍‌ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ। ଗ୍ରାହକମାନେ ଦେଉଥିବା ଅନ୍ୟ ପରିଚୟପତ୍ର ଯଥା ଡ୍ରାଇଭିଂ ଲାଇସେନ୍ସ, ପାସ୍‌ପୋର୍ଟ ଓ ଭୋଟର ପରିଚୟପତ୍ରକୁ ଗ୍ରହଣ କରି ସିମ୍‌ ପ୍ରଦାନ କରିବାକୁ ଟେଲିକମ କମ୍ପାନିଗୁଡ଼ିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ମୋବାଇଲ୍‌ ସିମ୍‌ ହାସଲ କରିବା ପାଇଁ ଆଧାର କାର୍ଡ ଦରକାର ନାହିଁ। ଗ୍ରାହକମାନେ ଅନ୍ୟ ପରିଚୟପତ୍ର ଦେଇ ସିମ୍‌ ହାସଲ କରିପାରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଗ୍ରାହକମାନେ ଦେଉଥିବା ଅନ୍ୟ ପରିଚୟପତ୍ର ଯଥା ଡ୍ରାଇଭିଂ ଲାଇସେନ୍ସ, ପାସ୍‌ପୋର୍ଟ ଓ ଭୋଟର ପରିଚୟପତ୍ରକୁ ଗ୍ରହଣ କରି ସିମ୍‌ ପ୍ରଦାନ କରିବାକୁ ଟେଲିକମ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ମୋବାଇଲ୍‌ ସେବା ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯିବାକୁ ନେଇ କିଛି ଦିନ ତଳେ ସରକାରଙ୍କୁ ସୁପ୍ରିମକୋର୍ଟ ସମାଲୋଚନା କରିଥିଲେ। ଅତୀତରେ ଦିଆଯାଇଥିବା ଏକ ରାୟର ଭୁଲ ତର୍ଜମା କରି ମୋବାଇଲ୍‌ ସହ ଆଧାର ସଂଯୋଗକୁ ସରକାର ବାଧ୍ୟତାମୂଳକ କରିଥିବା କୋର୍ଟ କହିଥିଲେ। କୋର୍ଟ ସ୍ପଷ୍ଟ କରିଥିଲେ ଯେ ଆମେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ମୋବାଇଲ୍‌ ଗ୍ରାହକଙ୍କ ପରିଚୟକୁ ଯାଞ୍ଚ କରିବାକୁ କହିଥିଲୁ। କେବେ ବି ଆଧାରକୁ ବାଧ୍ୟତାମୂଳକ କରିବା କଥା କହିନାହୁଁ।

ଏହାର କିଛି ଦିନ ପରେ ମୋବାଇଲ୍‌ ନମ୍ବର ସହିତ ଆଧାର ଲିଙ୍କ୍‌ କରିବା ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି ସରକାର। ଆଧାର ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାନଯିବା ପର୍ଯ୍ୟନ୍ତ ମୋବାଇଲ୍‌ ସିମ୍‌ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ ବୋଲି ସରକାର କହିଛନ୍ତି।

“ଗ୍ରାହକମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହାକୁ ନିଶ୍ଚିତ କରିବା ପାଇଁ ଟେଲିକମ କମ୍ପାନିଗୁଡ଼ିକ ଶୀଘ୍ର ଏହି ନିର୍ଦ୍ଦେଶକୁ ପାଳନ କରିବା ଦରକାର”, କହିଛନ୍ତି ଟେଲିକମ୍‌ ସଚିବ ଅରୁଣା ସୁନ୍ଦରରାଜନ୍‌।

ମୋବାଇଲ୍‌ ନମ୍ବର ସହିତ ଆଧାର ଲିଙ୍କ୍‌ କରାଇବା ପାଇଁ ଟେଲିକମ୍‌ ବିଭାଗ ପକ୍ଷରୁ ଟେଲିକମ କମ୍ପାନିଗୁଡ଼ିକୁ କୁହାଯାଇଥିଲା। ଏହି ନିର୍ଦ୍ଦେଶ ପାଇବାପରେ ଟେଲିକମ କମ୍ପାନିଗୁଡ଼ିକ ଗ୍ରାହକମାନଙ୍କୁ ଯଥାଶିଘ୍ର ଆଧାର ଲିଙ୍କ୍ କରିବାକୁ ବାରମ୍ବାର ଏସ୍‌ଏମ୍‌ଏସ୍‌ ଦେଉଥିଲେ। ସବୁ ଲୋକଙ୍କ ପାଖରେ ଆଧାର ନଥିବାରୁ ଗ୍ରାହକମାନେ ଚିନ୍ତାରେ ପଡ଼ିଯାଇଥିଲେ।

LEAVE A REPLY

Please enter your comment!
Please enter your name here