ଓଡ଼ିଶାଲାଇଭ୍ ବ୍ୟୁରୋ

କୁହାଯାଏ ମିଠାମାନଙ୍କ ରାଜା ହେଉଛି ରସଗୋଲା। ଏହି ରସଗୋଲାର ପରମ୍ପରା ଶ୍ରୀଜଗନ୍ନାଥ ସଂସ୍କୃତିରୁ ରହିଆସିଛି। କାହିଁ କେଉଁ କାଳରୁ ଶ୍ରୀଜଗନ୍ନାଥଙ୍କୁ ଏହି ରସାଳ ରସଗୋଲା ଭକ୍ତମାନେ ଟେକି ଆସୁଛନ୍ତି। ୨୦୧୫ ନବକଳେବରଠାରୁ ରସଗୋଲା ଦିବସ ପାଳିତ ହୋଇ ଆସୁଛି। ଜାଣନ୍ତୁ, କେମିତି ତିଆରି ହୁଏ ଓଡ଼ିଶାର ଏହି ପ୍ରସିଦ୍ଧ ରସଗୋଲା?

ଛେନା ପ୍ରସ୍ତୁତି

ପ୍ରଥମେ ଅଧକପ୍ ପାଣିରେ ସାଇଟ୍ରିକ୍ ଏସିଡ୍ ପକାଇ ରଖନ୍ତୁ। ଅନ୍ୟ ଏକ ପାତ୍ରରେ କ୍ଷୀରକୁ ଫୁଟାନ୍ତୁ। କ୍ଷୀର ଫୁଟିବା ବେଳେ ଧୀରେ ଧୀରେ କ୍ଷୀରକୁ ଘାଣ୍ଟନ୍ତୁ, ଯେମିତି କ୍ଷୀର ପାତ୍ରର ତଳେ ଲାଗିବ ନାହିଁ। କ୍ଷୀର ଭଲକି ଫୁଟିବା ପରେ ଗ୍ୟାସ୍‌ରୁ ଓହ୍ଲାଇ ଦିଅନ୍ତୁ। ଗ୍ୟାସ୍‌ରୁ ଓହ୍ଲାଇବା ପରେ କିଛି ସମୟ ପୁଣି ଘାଣ୍ଟନ୍ତୁ। ଟିକେ ସମୟ ପରେ ଯେତେବେଳେ କ୍ଷୀର ଟିକେ ଥଣ୍ଡା ହୋଇଯିବ ସେଥିରେ ପୂର୍ବରୁ ରଖିଥିବା ସାଇଟ୍ରିକ୍ ଏସିଡ୍ ପାଣି ମିଶାନ୍ତୁ। ୩ରୁ ୪ ମିନିଟ୍‌ ଯାଏଁ ଘାଣ୍ଟିବେ। ଦେଖିବେ କ୍ଷୀର ଛିଣ୍ଡିବା ଆରମ୍ଭ କରିବ (ପାଣି ଅଂଶ ଓ ଛେନା ଅଂଶ ଅଲଗା ଅଲଗା ହୋଇଯିବ)।

ଏହାପରେ ଏକ ଧଳା ପତଳା କପଡ଼ା ଆଣିବେ। ସେହି ଛେନା ପାଣିକୁ ଧଳା କପଡ଼ା ସାହାଯ୍ୟରେ ଛାଣିବେ। ଛାଣିବା ବେଳେ ପାଣି ବାହାରି ଯିବ ଏବଂ ଛେନା ଅଂଶ ଉକ୍ତ କପଡ଼ାରେ ରହିଯିବ। ଏହା ପରେ ଚାରିପଟୁ ଉକ୍ତ କପଡ଼ା ଧରି ଚିପୁଡ଼ି ଦେବେ, ଯେପରି ଭଲସେ ପାଣି ଅଂଶ ଛାଣି ହୋଇଯିବ।

ପରେ କପଡ଼ାରେ ଥିବା ଛେନାକୁ ଏକ ବଡ଼ ପ୍ଲେଟ୍‌ରେ ରଖି ଖେଳେଇ ଦିଅନ୍ତୁ।

୫ କେଜି ଛେନା ପ୍ରସ୍ତୁତ କରିବାର ପ୍ରଣାଳୀ

ଗୋଟେ ଲିଟର ଛେନା ପାଣି (ସାଇଟ୍ରିକ୍ ଏସିଡ୍ ଓ ପାଣି ମିଶ୍ରଣ) ରଖନ୍ତୁ। ୫୦ ଲିଟର ପାଣି ରହିବା ଭଳି ପାତ୍ର ଆଣନ୍ତୁ, ତା’କୁ ଚୁଲି ବା ଗ୍ୟାସ୍ ଉପରେ ରଖନ୍ତୁ। ଏଥିରେ ୨୫ ଲିଟର୍ କ୍ଷୀର ଢାଳନ୍ତୁ ଏବଂ ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ। କ୍ଷୀର ଫୁଟିବା ପରେ ଜାଳ ବନ୍ଦ କରନ୍ତୁ। ୧୫ ମିନିଟ୍ ଯାଏଁ କ୍ଷୀର ଘାଣ୍ଟନ୍ତୁ। କ୍ଷୀର ଟିକେ ଥଣ୍ଡା ହୋଇଗଲେ ସେଥିରେ ସାଇଟ୍ରିକ୍ ଏସିଡ ମିଶାନ୍ତୁ। ଦେଖିବେ ଉକ୍ତ କ୍ଷୀରରୁ ପାଣି ଓ ଝେନା ଅଲଗା ବାହାରିବ।

ଏକ ଧଳା ପତଳା କପଡ଼ାରେ ଏହାକୁ ଛାଣନ୍ତୁ। ପାଣି ବାହାରି ଛେନା ଉକ୍ତ କପଡ଼ାରେ ରହିଯିବ। ଛେନାକୁ ଭଲସେ ଚିପୁଡ଼ି ଦିଅନ୍ତୁ। ଯେପରି ପାଣି ରହିବ ନାହିଁ। ଏହାପରେ ବଡ଼ ପାତ୍ରରେ ଛେନାକୁ ଖେଳାଇ ରଖନ୍ତୁ।

ଚିନି ସିରାର ପ୍ରସ୍ତୁତି

୧୨ କେଜି ଚିନି, ୨୫୦ ମିଲି ଲିଟର କ୍ଷୀର ଓ ୧୦ ଲିଟର ପାଣିରେ ମିଶାନ୍ତୁ। ବଡ଼ ପାତ୍ରରେ ଏହି ତିନୋଟି ମିଶ୍ରଣକୁ ଗରମ କରନ୍ତୁ। ଗରମ କଲାବେଳେ ଭଲକରି ଘାଣ୍ଟନ୍ତୁ, ଯେପରି ଚିନିରେ ପାଣି ସହ ମିଶିଯିବ। ଏହି ମିଶ୍ରଣ ଫୁଟିବା ପରେ ଦେଖିବେ ପାତ୍ର ଉପରେ ଧଳାର କିଛି ଭାସିବ। ଏହାକୁ ବଡ଼ ଚାମଚ ସାହାଯ୍ୟରେ ବାହାର କରିଦେବେ। ଏହାକୁ ବାହାର କରିବା ପରେ ଚିନି ସିରା ସଫା ଦେଖାଯିବ।

ସିରା ଠିକ୍ ଭାବରେ ହୋଇଛି ନା ନାହିଁ ଜାଣିବା ପାଇଁ ଚିନି ସିରାର ଗୋଟେ ଚାମଚ ବାହାର କରନ୍ତୁ। ଟିକେ ଥଣ୍ଡା ହେଲା ପରେ ହାତରେ ଲଗାଇ ଦେଖନ୍ତୁ ସିରା ଭଳି ଆଣ ହୋଇଛି ନା ନାହିଁ, ଯଦି ହୋଇଥିବ ଏହାକୁ ଗ୍ୟାସରୁ କାଢ଼ି ଦିଅନ୍ତୁ।

ରସଗୋଲା ପ୍ରସ୍ତୁତି

ଛେନାକୁ ଭଲକରି ଚକଟନ୍ତୁ। ସେଥିରେ ଗୁଜୁରାତି ଗୁଣ୍ତ ମିଶାନ୍ତୁ।

ଛେନାକୁ ଭାଗ ଭାଗ କରି ଗୋଲ କରନ୍ତୁ। ରସଗୋଲା ଆକାରର ଗୁଳା କରନ୍ତୁ। ଗୁଳାକୁ ଆବଡ଼ା ଖାବଡ଼ା କରିବେ ନାହିଁ।

ପୂର୍ବରୁ ପ୍ରସ୍ତୁତ କରିଥିବା ସିରାକୁ ପୁଣି ଗ୍ୟାସରେ ବସାନ୍ତୁ, ଫୁଟୁଥିବା ଅବସ୍ଥାରେ ଗୋଲ ଗୋଲ କରିଥିବା ଛେନାକୁ ପକାନ୍ତୁ। ଏହାପରେ ଘୋଡ଼ାଇ ଦିଅନ୍ତୁ। ଅଧିକ ଜାଳରେ ସିରା ଓ ଛେନାକୁ ୧୫ ମିନିଟ୍ ପାଇଁ ଫୁଟିବାକୁ ଛାଡ଼ି ଦିଅନ୍ତୁ। ମଝିରେ ମଝିରେ ଘଣ୍ଟୁଣୀ କାଢ଼ି ଦେଖୁଥିବେ। ଦେଖିବେ ରସଗୋଲା ଫୁଲିଯିବ।

ଯଦି ସିରା ଅଧିକ ବହଳିଆ ହୋଇଥିବ ସେଥିରେ ଗୋଟେ ଚାମଚ ପାଣି ପକାଇବେ। କିନ୍ତୁ ଜାଳ କମ୍ କରିନେ ନାହିଁ।

ଦେଖିବେ ରସଗୋଲା ପ୍ରସ୍ତୁତ ହୋଇଗଲେ ସିରା ସହ ରସଗୋଲାକୁ କାଢ଼ି ଦେବେ। ଥଣ୍ଡା ହେଲା ପରେ ଏହି ସ୍ୱାଦିଷ୍ଟ ଓଡ଼ିଶାର ରସଗୋଲାର ମଜା ନେଇ ପାରିବେ।

Tags: #Rasagola #OdisharaRasogola #BanglaraRasagola #Chhenapoda #GITag #LordJagannath #Niladribije #RathaJatra #Rasgulla #ଓଡ଼ିଶାରରସଗୋଲା #ଛେନାମିଠା #ବାଂଲାରସରଗୋଲା #ରସଗୋଲାଦିବସ

LEAVE A REPLY

Please enter your comment!
Please enter your name here