ମିନତି ମିଶ୍ର

ଇସ୍ରାଏଲର ଟାର୍ଗେଟରେ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲହା। ଏହା ବିରୋଧରେ ବଡ଼ ଯୁଦ୍ଧ ଆରମ୍ଭ କରି ଦେଇଛି ଇସ୍ରାଏଲ। କିଛିଦିନ ତଳେ ଲେବାନନରେ ପେଜର-ୱାକି-ଟକି ବ୍ଲାଷ୍ଟ କରି ଆତଙ୍କ ଖେଳାଇବା ପରେ ଏବେ ହିଜବୁଲହାର ଏକାଧିକ ଠିକଣା ଉପରେ ଏୟାରଷ୍ଟ୍ରାଇକ୍ କରି ଆକ୍ରମଣ ଆରମ୍ଭ କରି ଦେଇଛି ଇସ୍ରାଏଲ। ଏହି ଆକ୍ରମଣରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି।

ସାରା ରାତି ବର୍ଷିଲା ବୋମା

ଇସ୍ରାଏଲ ସୋମବାର ରାତିରେ ଲଢୁଆ ବିମାନ ମାଧ୍ୟମରେ ଲେବାନନ ଉପରେ ଜୋରଦାର ବୋମା ବର୍ଷା କରିଛି। ଏଥିରେ ହିଜବୁଲହାର ପ୍ରାୟ ୧୬୦୦ଟି ଠିକଣାକୁ ଟାର୍ଗେଟ କରାଯାଇଥିଲା। ସାରା ରାତି ବୋମା ବର୍ଷା କରିଥିଲା ଇସ୍ରାଏଲର ବାୟୁ ସେନା।

୨୦୦୬ ପରେ ଲେବାନନ ଉପରେ ଏହା ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଏହି ଆକ୍ରମଣରେ ୪୯୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏମାନଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି। ଏଥିରେ ୧୭୦୦ରୁ ଅଧିକ ଆହତ ହୋଇଛନ୍ତି।

ଆକ୍ରମଣ ପୂର୍ବରୁ ଚେତାବନୀ

ଇସ୍ରାଏଲ ସେନା ଏୟାର ଷ୍ଟ୍ରାଇକ କରିବା ପୂର୍ବରୁ ପ୍ରଥମେ ଦକ୍ଷିଣ ଓ ପୂର୍ବ ଲେବାନନରେ ଥିବା ନାଗରିକମାନଙ୍କୁ ଘର ଖାଲି କରିଦେବାକୁ ଚେତାବନୀ ଦେଇଥିଲେ। ଆଲର୍ଟ ଜାରି ହେବା ପରେ ଦକ୍ଷିଣ ଲେବାନନର ହଜାର ହଜାର ଲୋକ ବେରୁଟ ଆଡ଼କୁ ଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ଏକାଧିକ ଗାଁ ଜନଶୂନ୍ୟ ହୋଇଯାଇଥିଲା। 

ଆକ୍ରମଣ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତେନ୍ୟାହୁ ଏକ ସନ୍ଦେଶ ଜାରି କରି ଏହି ଚେତାବନୀକୁ ଗୁରୁତର ସହ ନେବା ଲାଗି ଲେବାନନ ନାଗରିକଙ୍କୁ କହିଥିଲେ। ନେତନ୍ୟାହୁ କହିଥିଲେ, “ସମସ୍ତେ ଧ୍ୱଂସର ରାସ୍ତାରୁ ଦୂରେଇ ରୁହନ୍ତୁ। ଆମର ଅଭିଯାନ ଶେଷ ହୋଇଯିବା ପରେ ଆପଣମାନେ ସୁରକ୍ଷିତ ଭାବେ ନିଜ ଘରକୁ ଯାଇପାରିବେ।”

 ଆହୁରି ଜୋରଦାର ଆକ୍ରମଣର ଚେତାବନୀ ଦେଲା ଇଜ୍ରାଏଲ

ଏବେ ଆଗକୁ ଆକ୍ରମଣ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ଇସ୍ରାଏଲ। ଲେବାନନର ଯେଉଁ ଇଲାକାରେ ହିଜବୁଲହା ଆତଙ୍କବାଦୀଙ୍କ ଅସ୍ତ୍ରଶସ୍ତ୍ରର ଆଡ୍ଡା ରହିଛି ସେହି ଇଲାକା ଖାଲି କରିବା ପାଇଁ ସ୍ଥାନୀୟ ନାଗରିକମାନଙ୍କୁ ଚେତାବନୀ ଦିଆଯାଇଛି। ଇଜ୍ରାଏଲ ଡିଫେନ୍ସ ଫୋର୍ସର (ଆଇଡିଏଫ) କହିବା ଅନୁଯାୟୀ ଲେବାନନର ଅନେକ ଘରେ ହିଜବୁଲହା ବହୁତ ପରିମାଣରେ ରକେଟ୍ ରଖିଛି ବୋଲି ଆଇଡିଏଫ ପକ୍ଷରୁ କୁହାଯାଇଛି।

ହିଜବୁଲହାର ପାଲଟା ଆକ୍ରମଣ

ଏପଟେ ହିଜବୁଲହା ବି ଇସ୍ରାଏଲର ଆକ୍ରମଣର ପାଲଟା ଜବାବ ଦେଇଛି। ଉତ୍ତର ଇସ୍ରାଏଲରେ ୨୦୦ ରକେଟ୍ ମାଡ଼ କରିଛି ହିଜବୁଲହା। ବିଳମ୍ବିତ ରାତିରେ ଯେତେବେଳେ ହିଜବୁଲ୍ଲା ଆକ୍ରମଣ କଲା ସେତେବେଳେ ଉତ୍ତର ଇସ୍ରାଏଲର ହାଇଫା, ଅଫୁଲା, ନାଜରେଥ ଏବଂ ଅନ୍ୟ ସହରରେ ରକେଟ ସାଇରନ ଗର୍ଜି ଉଠିଥିଲା। ଇସ୍ରାଏଲର ଏକାଧିକ ସେନା ଆଡ୍ଡା ଏବଂ ଏୟାରପୋର୍ଟକୁ ଟାର୍ଗେଟ କରିଥିବା କହିଛି ହିଜବୁଲ୍ଲା।

ତେବେ ହିଜବୁଲହାର ଅଧିକାଂଶ ରକେଟକୁ ଇସ୍ରାଏଲର ଆଇରନ ଡୋମ ସିଷ୍ଟମ ଅଟକାଇ ଦେଇଥିଲା। ଏହି ଆକ୍ରମଣରେ ଇସ୍ରାଏଲରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି।

ଲେବାନନ ଉପରେ କାହିଁକି ଆକ୍ରମଣ କଲା ଇସ୍ରାଏଲ

ଗତବର୍ଷ ଅକ୍ଟୋବର ୭ ତାରିଖରେ ପାଲେଷ୍ଟାଇନର ହମାସ ଆତଙ୍କବାଦୀ ସଂଗଠନ ଅଚାନକ ଇସ୍ରାଏଲରେ ଅନୁପ୍ରବେଶ କରି ଆକ୍ରମଣ କରିଥିଲେ। ହମାସର ଏହି ଆକ୍ରମଣରେ ଇଜ୍ରାଏଲର ୧୪୦୦ରୁ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ପ୍ରାୟ ୨୫୦ ନାଗରିକଙ୍କୁ ବନ୍ଧକ କରି ନିଜ କବ୍ଜାକୁ ନେଇ ଯାଇଥିଲା ହମାସ।

ଏହାର ଜବାବରେ ଇଜ୍ରାଏଲର ଗାଜା ଉପରେ ଆକ୍ରମଣ କରିଥିଲା। ବାରମ୍ବାର ଆକ୍ରମଣ କରି ହମାସକୁ ଧୂଳି ଚଟାଇବା ପରେ ଯୁଦ୍ଧ ଶେଷ ହେବାର ଘୋଷଣା କରିଥିଲା ଇସ୍ରାଏଲ।

ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ବିଶ୍ୱର ଅନେକ ଦେଶ ଉଦବେଗ ପ୍ରକାଶ କରିବା ସହ ଉଭୟ ପକ୍ଷଙ୍କୁ ସଂଯମତା ରକ୍ଷା ପାଇଁ ଆହ୍ୱାନ ଦେଇଥିଲେ। ହମାସକୁ ସମର୍ଥନ କରି ଲେବାନନର ହିଜବୁଲହା ଆତଙ୍କବାଦୀ ଗୋଷ୍ଠୀ ସାମ୍ନାକୁ ଆସିଥିଲା। ଏହା ଇସ୍ରାଏଲ ଉପରେ ରକେଟ୍ ଆକ୍ରମଣ କରିଥିଲା। ଏହା ପରେ ଇସ୍ରାଏଲ ହିଜବୁଲହାକୁ ଟାର୍ଗେଟ କରିଥିଲା। ଗତ କିଛି ଦିନ ଧରି ଲେବାନନରେ ହିଜବୁଲହା ବିରୋଧରେ ଇସ୍ରାଏଲ ନିଜର ଆକ୍ରମଣକୁ ଜୋରଦାର କରିଛି।

Tags: #AirStrike #Hezbollah #Lebanon #Israel

LEAVE A REPLY

Please enter your comment!
Please enter your name here