ଓଡ଼ିଶାଲାଇଭ୍ ବ୍ୟୁରୋ

ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲହାକୁ ନିପାତ କରିବା ଲକ୍ଷ୍ୟରେ ଇସ୍ରାଏଲ। ହିଜବୁଲହାର ଗଡ଼ ଲେବାନନର ରାଜଧାନୀ ବେରୁତର ଦକ୍ଷିଣ ପ୍ରାନ୍ତରେ ଘନଘନ ବୋମାମାଡ଼ରେ ବିଧ୍ୱସ୍ତ ହୋଇଛି। ଇସ୍ରାଏଲର ଏହି ଏୟାର ଷ୍ଟ୍ରାଇକରେ ହିଜବୁଲହାର ମୁଖ୍ୟ ହସନ ନସ୍ରଲ୍ଲାଙ୍କ ସମେତ ବହୁ ବଡ଼ ବଡ଼ ହିଜବୁଲହା ନେତା ନିହତ ହୋଇଛନ୍ତି। ଶୁକ୍ରବାରଠାରୁ ଚାଲିଥିବା ଏହି ଏୟାର ଷ୍ଟ୍ରାଇକ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଥିବା ଜଣାଯାଇଛି। ଏହି ଆକ୍ରମଣରେ ଲେବାନନରେ ଶତାଧିକ ଲୋକ ମୃତାହତ ହୋଇଛନ୍ତି।   

ହିଜବୁଲହା ମୁଖ୍ୟ ନସ୍ରଲ୍ଲା ଓ ତାଙ୍କ ଝିଅ ନିହତ

ଗତ ଶୁକ୍ରବାର ଲେବାନନର ବେରୁତରେ ଥିବା ହିଜବୁଲହା ମୁଖ୍ୟାଳୟ ଉପରେ ଇସ୍ରାଏଲ କରିଥିବା ଆଟାକରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ୧୦୮ ଜଣ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ହିଜବୁଲହା ମୁଖ୍ୟ ହାସନ ନସ୍ରଲ୍ଲା ସାମିଲ ଅଛନ୍ତି। ତାଙ୍କ ଝିଅ ଜୈନାବ ମଧ୍ୟ ପ୍ରାଣ ହରାଇଛନ୍ତି। ଇଜ୍ରାଏଲ ବେରୁତର ଏକାଧିକ କୋଠାକୁ ଟାର୍ଗେଟ କରି ବୋମାମାଡ଼ କରିଥିଲା।

ହିଜବୁଲହାର ମିସାଇଲ ୟୁନିଟ କମାଣ୍ଡର ମୃତ

ଇସ୍ରାଏଲର ଆକ୍ରମଣରେ ଦକ୍ଷିଣ ଲେବାନନରେ ହିଜବୁଲହାର ମିସାଇଲ ୟୁନିଟ କମାଣ୍ଡର ମହମ୍ମଦ ଅଲ୍ଲୀ ଇସ୍ମାଇଲଙ୍କର ମୃତ୍ୟୁ ଘଟିଛି। ଏଥିରେ ଉକ୍ତ ସଂଗଠନର ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ପ୍ରାଣ ହରାଇଥିଲେ। ଏହି ଆକ୍ରମଣରେ ସଂଗଠନରେ ଥିବା ଇରାନର ଇସଲାମିକ ରେଭ୍ୟୁଲେସନାରୀ ଗାର୍ଡ କ୍ରପ୍ସର ଡେପୁଟି କମାଣ୍ଡର ଆବ୍ବାସ ନିଲଫୋରୌଶାନଙ୍କର ବି ମୃତ୍ୟୁ ଘଟିଛି। ଇରାନ ଗଣମାଧ୍ୟମ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ହିଜବୁଲହାର ଗୁଇନ୍ଦା କମାଣ୍ଡର ନିହତ

ଶନିବାର ଇସ୍ରାଏଲ ପକ୍ଷରୁ ବେରୁତ ଉପକଣ୍ଠ ଦାହିୟେରେ ପୁଣି ବୋମାମାଡ଼ କରାଯାଇଥିଲା। ଏଥିରେ ହିଜବୁଲହା ଗୁଇନ୍ଦା ଡିଭିଜନର ଜଣେ ଟପ କମାଣ୍ଡର ପ୍ରାଣ ହରାଇଥିବା ସୂଚନା ମିଳିଛି। ଏହିସବୁ ଆକ୍ରମଣ ପରେ  ଏବେ ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ବିବାଦ ଆହୁରି ତୀବ୍ର ହୋଇଛି।

ଭୟରେ ଲୁଚିଲେ ଇରାନର ଟପ ନେତା

ଇସ୍ରାଏଲର ଏପରି ଆକ୍ରମଣରେ ହିଜବୁଲହାକୁ ବଡ଼ ଝଟକା ଦେଇଛି। ଏହାକୁ ନେଇ ଇରାନରେ ମଧ୍ୟ ଭେର ବାତାବରଣ ସୃଷ୍ଟି ହୋଇଛି। ଜୀବନ ବଞ୍ଚାଇବା ପାଇଁ ଇରାନର ଟପ ନେତା ଲୁଚି ରହୁଛନ୍ତି। ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲି ଖାମେନେଇଙ୍କୁ ଏକ ବଙ୍କର ଭିତରେ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଥିବା ସୂଚନା ମିଳିଛି।

ଇସ୍ରାଏଲ ସପକ୍ଷରେ ବାହାରିଲା ଆମେରିକା

ମଧ୍ୟପ୍ରାଚ୍ୟରେ ଏପରି ସ୍ଥିତି ପରେ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ସେ ଏହି ଯୁଦ୍ଧ ବନ୍ଦ ହେଉ ବୋଲି ପ୍ରସ୍ତାବ ଦେଇଥିବାବେଳେ ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଆଗକୁ ଆହୁରି ବଡ଼ ଯୁଦ୍ଧ ହେଲେ ଆମେରିକା ଇସ୍ରାଏଲକୁ ସମର୍ଥନ କରିବ ବୋଲି ଖୋଲାଖୋଲି କହିସାରିଛି।

Tags: #AirStrike #Hezbollah #Lebanon #Israel

LEAVE A REPLY

Please enter your comment!
Please enter your name here