ଓଡ଼ିଶାଲାଇଭ୍ ବ୍ୟୁରୋ
(ଢେଙ୍କାନାଳ): ବର୍ତ୍ତମାନ ସେୟାର ବଜାରରେ ପୁଞ୍ଜି ନିବେଶ କରିବା ପାଇଁ ଅନେକ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ସେପ୍ଟେମ୍ବର ସୁଦ୍ଧା ଭାରତରେ ପ୍ରାୟ ସାଢ଼େ ୧୭ କୋଟି ଡିମାଟ୍ ଆକାଉଣ୍ଟ ଖୋଲାଯାଇଛି। ମାସକୁ ହାରାହାରି ୪୦ ଲକ୍ଷ ନୂଆ ଡିମାଟ୍ ଆକାଉଣ୍ଟ ଖୋଲୁଛି। ତେବେ ଅଧିକାଂଶ ସମୟରେ କେତେକ ଅସାବଧନତା କାରଣରୁ ପୁଞ୍ଜି ନିବେଶକାରୀମାନେ କ୍ଷତି ସହୁଛନ୍ତି। ତେଣୁ ସେୟାର ବଜାରରେ ନିବେଶ କରିବା ପୂର୍ବରୁ ବଜାରର ସ୍ଥିତିକୁ ଭଲ ଭାବେ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି ବୋଲି ସେବିର କୋଲକାତା କ୍ଷେତ୍ର ମ୍ୟାନେଜର ଅଦ୍ୱୈତ୍ୟ ଅଭୟ ଦାହାଲେ କହିଛନ୍ତି। ।
ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଠାରେ ସେବି ପକ୍ଷରୁ ବିଶ୍ୱ ନିବେଶକ ସପ୍ତାହ ପାଳନ ଅବସରରେ ନିବେଶକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତ ଭାବେ ଯୋଗ ଦେଇ ଅଭୟ ଦାହାଲେ ଆହୁରି କହିଥିଲେ, ଅଧିକାଂଶ ସମୟରେ ଦେଖାଯାଇଛି କିଛି ଲୋକ ଅନ୍ୟମାନଙ୍କ କଥାରେ ସେୟାର ବଜାରରେ ପୁଞ୍ଜି ନିବେଶ କରନ୍ତି। ଫଳରେ ସେମାନେ କ୍ଷତିଗ୍ରସ୍ତ ହୋଇଥାନ୍ତି।
ଅନ୍ୟତମ ବକ୍ତା ଭାବେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ଅଫିସର ଇନ୍ଚାର୍ଜ ସୌମ୍ୟ ରଞ୍ଜନ ସାହୁ ଯୋଗ ଦେଇ କହିଛନ୍ତି, ସଚେତନ ହୋଇ ସେୟାର ବଜାରରେ ପୁଞ୍ଜି ନିବେଶ କରିବା ଦରକାର।
କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି ଆଇଆଇଏମ୍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଆନନ୍ଦ ପ୍ରଧାନ କହିଥିଲେ, ସୂଚନା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକମାନେ ବିଭିନ୍ନ ଖବର ଓ ଲେଖା ମାଧ୍ୟମରେ ପାଠକ ତଥା ଦର୍ଶକଙ୍କୁ ସେୟାର ବଜାରରେ ପୁଞ୍ଜି ନିବେଶ ସମ୍ପର୍କୀତ ସୂଚନା ଦେଇପାରିବେ। ତେଣୁ ସାମ୍ବାଦିକତା ଛାତ୍ରଛାତ୍ରୀମାନେ ଏଥିପ୍ରତି ବିଶେଷ ଧ୍ୟାନ ଦେବା ସହ ସେୟାର ବଜାରର ବିଭିନ୍ନ ଦିଗ ଉପରେ ଅଧିକ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମକୁ ସଂସ୍ଥାନର ସହକାରୀ ପ୍ରଫେସର ଡକ୍ଟର ବିରଞ୍ଚି ନାରାୟଣ ସେଠ୍ ଓ ଡକ୍ଟର ଚିରସ୍ରୋତା ଜେନା ସଂଯୋଜନା କରିଥିଲେ।
ପୂର୍ବରୁ ‘ଆର୍ଥିକ ଠକାମି ନିବାରଣ’ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଖବର ଲିଖନ ଓ ବ୍ୟଙ୍ଗଚିତ୍ର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଖବର ଲିଖନ ପ୍ରତିଯୋଗିତାରେ କାର୍ତ୍ତିକେୟ ଚତୁର୍ବେଦୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ତୁଲିକା ଚୌଧୁରୀ ଦ୍ୱିତୀୟ ଓ ଅନନ୍ୟା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବ୍ୟଙ୍ଗଚିତ୍ର ପ୍ରତିଯୋଗିତାରେ ପ୍ରିୟାଂଶୁ ପ୍ରିୟା ପ୍ରଥମ, ଦୀବାଲିନ ବେହେରା ଦ୍ୱିତୀୟ ଓ କାଜଲ କନହ୍ୱା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
କାର୍ଯ୍ୟକ୍ରମରେ ସଂସ୍ଥାନର ଛାତ୍ରଛାତ୍ରୀମାନେ ଆର୍ଥିକ ଠକାମି ନିବାରଣ ଉପରେ ଏକ କ୍ଷୁଦ୍ର ନାଟକ ମଞ୍ଚସ୍ଥ କରି ପ୍ରଶଂସିତ ହୋଇଛନ୍ତି। ଇଂରାଜୀ ସାମ୍ବାଦିକତା ବିଭାଗର ଶିକ୍ଷାର୍ଥୀ ମନୋଜ ସିଂହ ନେଗି, ଅନନ୍ୟା, କାଜଲ କନହ୍ୱା, ହେମନ୍ତ ଶୁକ୍ଳା, ବିଶେଷ ଶୁକ୍ଳା, ଶିବମ୍ ସିଂହ, ଗୀତାଂସୀ ଶର୍ମା, ଆଲୋକ ଭାରତୀ ଓ କ୍ରିଷ୍ଣା ଗୋସ୍ୱାମୀ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ।
Tags: #IIMCDhenkanal #InvestorAwarenessProgramme #Competition #Odisha