ଓଡ଼ିଶାଲାଇଭ୍ ବ୍ୟୁରୋ

(ଢେଙ୍କାନାଳ): ନୂଆ ରୂପ ପାଇଛି ବ୍ୟବହୃତ କାଚ ବୋତଲ। ଏହା ଦେଖିବାକୁ ସୁନ୍ଦର ଓ ବ୍ୟବହାର ଉପଯୋଗୀ। ଜାମ୍‍, ସସ୍‍ ଆଦି ବ୍ୟବହାର କରିବା ପରେ ସାଧାରଣତଃ ଆମେ ଏସବୁ ବୋତଲକୁ ଫିଙ୍ଗି ଦେଇଥାଉ। ଏହିଭଳି ବର୍ଜ୍ୟବସ୍ତୁ ଓ ଆବର୍ଜନାକୁ ନେଇ ଆକର୍ଷଣୀୟ ଆସବାବ ପ୍ରସ୍ତୁତ କରିଛନ୍ତି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳର ଛାତ୍ରଛାତ୍ରୀ।

ଆଇଆଇଏମ୍‍ସିରେ ଚାଲିଥିବା ବର୍ଜ୍ୟବସ୍ତୁ ପୁନର୍ବିନିଯୋଗ କର୍ମଶାଳାରେ ଆକର୍ଷଣୀୟ ଆସବାବ ପ୍ରସ୍ତୁତ କରିବାର ସୁଯୋଗ ପାଇଥିଲେ ଛାତ୍ରଛାତ୍ରୀ। କର୍ମଶାଳାରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇ ବର୍ଜ୍ୟବସ୍ତୁରୁ ବ୍ୟବହାର ଉପଯୋଗୀ ଜିନିଷ ତିଆରି କରିଥିଲେ।

ଏହି କର୍ମଶାଳା ସଂଯୋଜନା କରିଥିବା ସଂସ୍ଥାନର ବୈଷୟିକ ସଂଯୋଜକ ବଦ୍ରିନାଥ ଜେନାଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ବର୍ଜ୍ୟବସ୍ତୁକୁ ପୁନର୍ବିନିଯୋଗ କରିବାର କଳା କୌଶଳ ଶିଖିଥିଲେ। ଚାରିଦିନ ଧରି ଚାଲିଥିବା ଏହି କର୍ମଶାଳାରେ ବର୍ଜ୍ୟବସ୍ତୁରୁ ଅନେକ ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ ହୋଇପାରିଛି।

ବ୍ୟବହୃତ ପ୍ଲାଷ୍ଟିକ୍‍ ବୋତଲ, କାଚ ବୋତଲ, ମାର୍କର, ନିମନ୍ତ୍ରଣ କାର୍ଡ, ପୁରୁଣା କାଠ, ଭାଙ୍ଗିଯାଇଥିବା ଟେବୁଲର ପଟା ଆଦିକୁ ନେଇ ଛାତ୍ରଛାତ୍ରୀମାନେ ସୁନ୍ଦର ସୁନ୍ଦର ଜିନିଷ ଗଢ଼ିଛନ୍ତି। ପାଣି ଏବଂ ଥଣ୍ଡା ପାନୀୟ ବୋତଲକୁ ଡଷ୍ଟବିନ୍‍ରୁ ସଂଗ୍ରହ କରି ଛାତ୍ରଛାତ୍ରୀମାନେ ସେସବୁକୁ ନୂଆ ରୂପ ଦେଇଛନ୍ତି। ଜୈବିକ ଖତ ପ୍ରସ୍ତୁତିରେ ପ୍ଲାଷ୍ଟିକ୍‍ ବୋତଲଗୁଡ଼ିକର ସଠିକ୍‍ ବିନିଯୋଗ ହୋଇପାରିଛି।

ସେହିପରି ବ୍ୟବହୃତ ମାର୍କର ଓ ନିମନ୍ତ୍ରଣ କାର୍ଡକୁ ନେଇ ଆକର୍ଷଣୀୟ ପେନ୍‍ ଷ୍ଟାଣ୍ଡ ତିଆରି କରାଯାଇଛି। ଆଉ କିଛି ଛାତ୍ରଛାତ୍ରୀ ଛୋଟ ଛୋଟ ପଥରରେ ଚିତ୍ର କରି ପେପରୱେଟ୍‍ ପ୍ରସ୍ତୁତ କରିଛନ୍ତି। ଏହାସହ ପୁରୁଣା କାଠକୁ ନେଇ ଗଢ଼ିଛନ୍ତି ହ୍ୟାଙ୍ଗର, ବୁକ୍‍ ସେଲ୍ଫ ଓ ଅନ୍ୟ ଘରକରଣା ସାମଗ୍ରୀ। ମିଠା ଆସୁଥିବା ପ୍ଲାଷ୍ଟିକ୍‍ ପ୍ୟାକେଟରେ ମାଟି ଭର୍ତ୍ତି କରି ଏଥିରେ ଗଛ ଲଗାଯାଇଛି।

ଆଇଆଇଏମ୍‍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀଙ୍କ ପରିକଳ୍ପନାରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା। ଡକ୍ଟର ଚାଟାର୍ଜୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ବର୍ଜ୍ୟବସ୍ତୁର ପୁନର୍ବିନିଯୋଗ ନେଇ କେତେକ କୌଶଳ ଶିଖାଇଥିଲେ। ଚାରି ଦିନ ମଧ୍ୟରେ ଛାତ୍ରଛାତ୍ରୀମାନେ ୪୦ରୁ ଅଧିକ ଦରକାରୀ ସାମଗ୍ରୀ ପ୍ରସ୍ତୁତ କରିପାରିଛନ୍ତି।

Tags: #IIMCdhenkanal #WastetoUsefull #Students #Wastemangament

Comment