ଓଡ଼ିଶାଲାଇଭ୍ ବ୍ୟୁରୋ
ପରିବା ବଜାରରେ ବାତ୍ୟା ପ୍ରଭାବ। ସମ୍ଭାବ୍ୟ ବାତ୍ୟା ସୂଚନା ପାଇବା କ୍ଷଣି ପରିବା ଦର ହେଉଛି ଆକାଶ ଛୁଆଁ। ପରିବା ଦର ନିର୍ଦ୍ଧରିତ ମୂଲ୍ୟଠାରୁ ଢେର ବଢ଼ିବା ସହ ବଜାରରେ ପରିବା ଅଭାବ ଦେଖାଦେଉଛି।
କିଲେ ଦୁଇ କିଲୋ ପରିବା ଜାଗାରେ ଲୋକେ ତିନିଗୁଣା କିଣି ନେଉଛନ୍ତି। ଭୟ କାଳେ ବାତ୍ୟା ଆସିଲେ ପାରିବ ଦରର ଆହୁରି ବଢ଼ିଯିବ। ବାତ୍ୟା ସୂଚନା ପରେ ଏବେ ରାସନ ଦୋକାନ ଏବଂ ପରିବା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମୁଛି। ଏହାର ସୁଯୋଗ ନେଇ ବଢ଼ୁଛି କଳାବାଜାରୀ।
ମାର୍କେଟରେ କୌଣସି ପରିବା ଦର କିଲୋ ପିଛା ୮୦ ଟଙ୍କାରୁ କମ ନାହିଁ। ବାତ୍ୟା ସୂଚନା ପୂର୍ବରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ପରିବା ଏବେ ୮୦ରୁ ୧୦୦ ଟଙ୍କା ମଧ୍ୟରେ ରହିଛି। ସ୍ଥାନ ଦେଖି ପରିବାର ଦରବି ବଦଳୁଛି।
ମଙ୍ଗଳବାର ଦିନ ଆଳୁ କିଲୋଗ୍ରାମ ପ୍ରତି ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ପିଆଜ କିଲୋ ପ୍ରତି ୭୦ରୁ ୭୫ ଟଙ୍କା ହୋଇଛି। ପୋଟଳ ଓ ବାଇଗଣ କିଲୋଗ୍ରାମ ପ୍ରତି ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି।
ଭୁବନେଶ୍ଵର ୧ ନମ୍ବର ପରିବା ହାଟରେ ବନ୍ଧା କୋବି ୬୦ ଟଙ୍କା, ଟମାଟୋ କିଲୋଗ୍ରାମ ପ୍ରତି ୬୦ ଟଙ୍କା, ଫୁଲ କୋବି ୬୦ଟଙ୍କା, ବିନସ କିଲୋଗ୍ରାମ ପ୍ରତି ୧୩୦ ଟଙ୍କା, ଲଙ୍କା କିଲୋ ୧୦୦, ଭେଣ୍ଡି ୬୦ ଟଙ୍କା, ପୋଟଳ ୮୦, ଜହ୍ନି କିଲୋ ୪୦ ଟଙ୍କା ଓ ରସୁଣ କିଲୋ ୪ଶହ ଟଙ୍କା ପାର କରିଛି।
ପରିବା ବ୍ୟବସାୟୀଙ୍କ କହିବା ଅନୁଯାୟୀ କାର୍ତ୍ତିକ ମାସ ଶେଷ ଯାଏଁ ଏମିତି ପରିବା ଦର ଚଢ଼ା ରହିଥାଏ। କାରଣ ଏହି ସମୟରେ ରାଜ୍ୟରେ ସବୁଜ ପନିପରିବା ଉତ୍ପାଦନ କମ ଥାଏ। ଅନ୍ୟପଟେ ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗ ତଥା ଅନ୍ୟାନ୍ୟ ରାଜ୍ୟରୁ ଆମ ରାଜ୍ୟକୁ ଅନକେ ସବୁଜ ପରିବା ଆସିଥାଏ। ହେଲେ ସେଠାରେ ଅତ୍ୟଧିକ ବର୍ଷା ଯୋଗୁଁ ସବୁଜ ପରିବା ଫସଲ ନଷ୍ଟ ହୋଇଯାଇଛି, ଯାହାର ପ୍ରଭାବ ଏବେ ପରିବା ଦର ଉପରେ ପୁଡ଼ଛି।
ତେବେ ବାତ୍ୟା ସମୟରେ କଳାବଜାରୀ ରୋକିବା ପାଇଁ ସରକାର ସଜାଗ ଅଛନ୍ତି। ମନଇଚ୍ଛା ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି କରାଯିବା ନେଇ ଅଭିଯୋଗ ଆସିଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
Tags: #Cyclone #Depression #VegetableRate #Rainfall #IMD #MCBBSR #Odisha #CycloneUpdates