ମିନତି ମିଶ୍ର

Madhu Babu

ସେ ଥିଲେ ପକ୍କା ଓଡ଼ିଆ। ତାଙ୍କ ମନରେ, ସ୍ୱପ୍ନରେ, ଚିନ୍ତାରେ କେବଳ ଓଡ଼ିଶା ଆଉ ଓଡ଼ିଆ। ସେ ପ୍ରମାଣ କରିଦେଇଥିଲେ ଓଡ଼ିଆ କେତେ ସଚ୍ଚୋଟ ଓ ଉଦାର। ପ୍ରକୃତରେ ସେ ଥିଲେ ଉତ୍କଳର ଗୌରବ, ଓଡ଼ିଆଙ୍କ ଗର୍ବ ମଧୁସୂଦନ ଦାସ। 

ସେ ଜଣେ ନିଆରା ମଣିଷ ଥିଲେ। ସେ କାହାକୁ କେବେ ଠକିବା ଜାଣିନଥିଲେ। ଏପରିକି ନିଜକୁ ବି ନୁହେଁ। ଯେତେବେଳେ ତାଙ୍କ ମନ କହେ ଏହା କରିବା ଉଚିତ ସେ କରନ୍ତି। ପ୍ରେମ ଆଉ ବିବାହ କ୍ଷେତ୍ରରେ ବି ଠିକ ସେମିତି କରିଥିଲେ।

ମଧୁସୂଦନ ନିଜ ବିବାହକୁ ନେଇ ସେମିତି ବିଶେଷ ତଥ୍ୟ ଛାଡ଼ି ଯାଇନାହାନ୍ତି। ତେବେ ଦାଶ ବେନହୁରଙ୍କ ‘ପଗଡ଼ି ପୁରୁଷ’ ପୁସ୍ତକରୁ ଏ ସମ୍ପର୍କିତ କିଛି କଥା ଜାଣିବାକୁ ମିଳେ।

ପତ୍ନୀ ସୌଦାମିନୀଙ୍କ ସହ ମଧୁବାବୁଙ୍କ ଯୋଗାଯୋଗ, ସମ୍ପର୍କ ଏବଂ ବିବାହକୁ ହୁଏତ ପ୍ରେମ ବୋଲି କୁହାଯାଇ ନପାରେ। କିନ୍ତୁ ପ୍ରେମ ବ୍ୟତୀତ ଆଉ କିଛି ଶବ୍ଦ ବି ଠିକ ଲାଗିବନି। ସେ ସମ୍ପର୍କରେ ପ୍ରେମର ଭାଷା ନଥିଲା ସତ, କିନ୍ତୁ ଅଖଣ୍ଡ ଭରସା ଥିଲା। ବିବାହ ପୂର୍ବରୁ ୭ ବର୍ଷ ଧରି ପରସ୍ପରକୁ ଦେଖିଥିଲେ, ଜାଣିଥିଲେ ଆଉ ବୁଝିଥିଲେ ମଧ୍ୟ। ହେଲେ କେହି କାହାକୁ କିଛି ନ କହିଲେ ବି ନିଜ ନିଜ ମନ କଥାକୁ ଉଭୟେ ବୁଝି ପାରୁଥିଲେ। ଖୁବ ନାଟକୀୟ ଥିଲା ମଧୁସୂଦନଙ୍କ ବିବାହ। ମାତ୍ର କେଇ ମୁହୂର୍ତ୍ତ ପୂର୍ବରୁ ସୌଦାମିନୀ ଜାଣିବାକୁ ପାଇଥିଲେ ଯେ ସେ ମଧୁସୂଦନ ଦାସଙ୍କୁ ବିବାହ କରିବାକୁ ଯାଉଛନ୍ତି। ତଥାପି ସେ ଖୁବ ଖୁସିରେ ବିବାହ ପାଇଁ ସମ୍ମତି ପ୍ରକାଶ କରିଥିଲେ। 

କଟକ ଇଂରାଜୀ ଉଚ୍ଚ ବିଦ୍ୟାଳୟରେ ମଧୁସୂଦନ ନାଁ ଲେଖାଇଲେ। ସ୍କୁଲରେ ଅଧିକାଂଶ ପିଲା ଥିଲେ ବଙ୍ଗାଳୀ। ସେମାନେ ଖୁବ ଫିଟଫାଟ ହୋଇ ଆସନ୍ତି। କେବଳ ମଧୁସୂଦନଙ୍କ ଭେଷଭୂଷା ଥିଲା ଅଲଗା। ସବୁଠାରୁ ନିଆରା ଥିଲା ତାଙ୍କ ମୁଣ୍ଡ ପଛପଟେ ଗଣ୍ଠିପଡ଼ି ଝୁଲୁଥିବା ଚୁଟି କେରାକ। ସାଙ୍ଗମାନେ ତାଙ୍କୁ ’ଉଡ଼ିଆ ନାରୀ’ କହି ଚିଡ଼ାଉଥିଲେ। ଦିନେ ସେହି ଚୁଟି କେରାକ ଚାଲାକି କରି ପିଲାମାନେ କାଟି ଦେଲେ। 

ଏହା ଦେଖି ରାଗରେ ନିଆଁବାଣ ହୋଇ ଯାଇଥିଲେ ମଧୁବାବୁ। ହେଲେ ପରଦିନ ଦମ୍ଭର ସହ ସ୍କୁଲ ଆସିଥିଲେ ଏବଂ ସେହି ଚୁଟି କେରାକ ଦେଖାଇ ସାଙ୍ଗମାନଙ୍କୁ କହିଥିଲେ, “ଏତକ ମୁଁ ସାଇତି ରଖୁଛି। ଭବିଷ୍ୟତରେ ବଙ୍ଗାଳୀ ଝିଅଟିଏ ବାହା ହେଲେ ଏ ଚୁଟିତକ ଦେଖେଇ ମୋ ପୁରୁଷପଣିଆର ପ୍ରମାଣ ଦେବି।”

 ମଧୁସୂଦନ କଥାର ଦମ୍ଭୋକ୍ତି ସେଦିନ ସବୁ ସାଙ୍ଗକୁ ଚୁପ କରାଇ ଦେଇଥିଲା। ଆଉ ସତରେ ବି ମଧୁସୂଦନ ପରବର୍ତ୍ତୀ ସମୟରେ ଜଣେ ବଙ୍ଗଳୀ ଝିଅକୁ ନିଜର ଜୀବନସାଥୀ କରିଥିଲେ। ଅବଶ୍ୟ ସେ ଚୁଟି ତାଙ୍କୁ ଦେଖେଇଥିଲେ କି ନାହିଁ ଜଣାନାହିଁ।

କଲେଜରେ ପଢ଼ିବା ପାଇଁ କଲିକତା ଯାଇଥାନ୍ତି ମଧୁବାବୁ। ପାଖରେ ପଇସା ନଥାଏ ସତ, କିନ୍ତୁ ଥାଏ ପ୍ରବଳ ଇଚ୍ଛାଶକ୍ତି। ସେହି ଶକ୍ତି ବଳରେ କି କ’ଣ କେଜାଣି, କିଛି ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ପାଇ କଲେଜରେ ନାମଲେଖା ହୋଇଗଲା ଓ ରହିବା ବ୍ୟବସ୍ଥା ବି ହୋଇଗଲା। କିନ୍ତୁ ଖାଇବେ କ’ଣ?

ପିଲାଙ୍କୁ ଟିଉସନ କରି ଦି’ ପଇସା ରୋଜଗାର କରିବାକୁ ଆରମ୍ଭ କରିଥିଲେ ପୟାସ। ସାରା କଲିକତା ବୁଲିଗଲେ। ହେଲେ ଓଡ଼ିଆ ବୋଲି କେଉଁଠି ତାଙ୍କୁ ଘରୋଇ ଟିଉସନଟିଏ ମିଳିଲା ନାହିଁ। 

ଏକ ହତାଶ ମୁହୂର୍ତ୍ତରେ ଯଦୁନାଥ ଚାଟାର୍ଜୀଙ୍କର ମଧୁସୂଦନ ଦାସଙ୍କ ସହ ସାକ୍ଷାତ ହୁଏ। ଯଦୁନାଥ ଚାଟାର୍ଜୀ ଜଣେ ବଙ୍ଗାଳୀ ହେଲେ ମଧ୍ୟ ଖ୍ରୀଷ୍ଟ ଧର୍ମ ଗ୍ରହଣ କରି ଚର୍ଚ୍ଚରେ ପାଶ୍ଚର ଥିଲେ। ତାଙ୍କ ଦୁଇ ଝିଅଙ୍କୁ ଘରେ ଯାଇ ପଢ଼ାଇବା ପାଇଁ ଯଦୁନାଥ ଚାଟାର୍ଜୀ ମଧୁସୂଦନଙ୍କୁ କହିଥିଲେ। 

ଯଦୁନାଥଙ୍କ ଦୁଇ ଝିଅ ସୌଦାମିନୀ ଓ ସୁରଙ୍ଗିଣୀଙ୍କୁ ପାଠ ପଢ଼ାଉଥିଲେ ମଧୁସୂଦନ ଦାସ। ଇତି ମଧ୍ୟରେ ସ୍ନାତକୋତ୍ତର ପଢ଼ା ବି ସରିଗଲା। କଲିକତାର ଏ ରହଣୀ ଭିତରେ ଯଦୁନାଥ ଚାଟାର୍ଜୀ ତାଙ୍କୁ ଅନେକ ସାହାଯ୍ୟ କରିଥିଲେ। ତାଙ୍କ ପରିବାର ସହ ମଧୁସୂଦନଙ୍କ ସମ୍ପର୍କ ବି ଖୁବ ବଢ଼ି ଯାଇଥିଲା। ସୌଦାମିନୀ ମଧୁସୂଦନଙ୍କଠାରୁ ବର୍ଷେ ବଡ଼। ହେଲେ ଶିକ୍ଷକ ଭାବେ ଖୁବ ସମ୍ମାନ ଦିଅନ୍ତି ମଧୁସୂଦନଙ୍କୁ। ସୌଦାମିନୀଙ୍କ ଶାନ୍ତ ସ୍ୱଭାବ ବି ଖୁବ ଭଲ ଲାଗେ ମଧୁସୂଦନଙ୍କୁ। ତାଙ୍କୁ ଦେଖିଲେ ବୋଉଙ୍କ କଥା ମନେପଡ଼ିଯାଏ ମଧୁବାବୁଙ୍କର।

ଏମଏ ପାସ କରିବା ପରେ ମିର୍ଜାପୁର ଷ୍ଟ୍ରିଟରେ ଥିବା ଏକ ମିସନାରୀ ସ୍କୁଲରେ ପ୍ରଧାନଶିକ୍ଷକ ଭାବେ କାମ କରୁଥିଲେ ମଧୁସୂଦନ ଦାସ। ୧୮୭୩ ମସିହାର କଥା। ମଧୁସୂଦନଙ୍କ ବୟସ ସେତେବେଳକୁ ମାତ୍ର ୨୫ ବର୍ଷ। ହଠାତ ଏକ ନିଷ୍ପତ୍ତି ନେଲେ। ସେ ନିଷ୍ପତ୍ତି ବିଷୟରେ କେହି ବି ଜାଣିନଥିଲେ। ସ୍କୁଲ ଛୁଟି ହେବା ପରେ ଚପରାଶିକୁ କହିଲେ ଘୋଡ଼ାଗାଡ଼ି ଡାକିବା ପାଇଁ। ଗାଡ଼ି ଆସିବା ପରେ ସିଧା ପହଞ୍ଚିଲେ ଯଦୁନାଥ ଚାଟାର୍ଜୀଙ୍କ ଘରେ। ସୌଦାମିନୀ.. ସୌଦାମିନୀ… ଡାକି ଘର ଭିତରକୁ ପଶିଗଲେ।

ମଧୁସୂଦନଙ୍କର ଏପରି ଡାକ ଶୁଣି ସୌଦାମିନୀ ବି ଆଶ୍ଚର୍ଯ୍ୟ। ଏମିତି କେବେ ତ ଡାକନ୍ତିନି ମଧୁବାକୁ। ମଧୁସୂଦନ ସୌଦାମିନୀଙ୍କ ପାଖରେ ପହଞ୍ଚି ତାଙ୍କ ହାତ ଧରିନେଲେ। କହିଲେ, “ଶୀଘ୍ର ଆସ, ବିଳମ୍ବ ହୋଇଯାଉଛି।”

କିଛି ବୁଝି ପାରି ନଥିଲେ ସୌଦାମିନୀ। ଭାବିଲେ, ଗତକାଲି ନାସନାଲ ଥିଏଟରରେ ଚାଲୁଥିବା ‘ଭାରତ ମାତା’ ନାଟକ କଥା ତ କହୁଥିଲେ। ବୋଧହୁଏ ତାକୁ ଦେଖିବା ପାଇଁ ଡାକୁଛନ୍ତି। ହେଲେ ଆଗରୁ ତ କେବେ ଏମିତି ନାଟକ ଦେଖାଇ ନେଇ ନାହାନ୍ତି ବୋଲି ମନେ ମନେ ଭାବିଥିଲେ ସୌଦାମିନୀ।

ତଥାପି ସୌଦାମିନୀ ଶାଢ଼ି ବଦଳି ଆସିବାକୁ ବାହାରୁଥିଲେ। ହେଲେ ସମୟ ନାହିଁ କହି ସୌଦାମିନୀଙ୍କୁ ଧରି ତର ତର ହୋଇ ଘୋଡ଼ାଗାଡ଼ିରେ ବସି ପଡ଼ିଲେ ମଧୁବାବୁ।

ଗାଡ଼ିରେ ବସିବା ପରେ ସୌଦାମିନୀ ଦେଖିଲେ ଥୁଆ ହୋଇଛି ଦୁଇଟି ଫୁଲତୋଡ଼ା। ବୋଧହୁଏ ଅଭିନେତା, ଅଭିନେତ୍ରୀଙ୍କୁ ଦେବା ପାଇଁ ଆଣିଥିବେ ଭାବି ଚୁପ ରହିଲେ ସୌଦାମିନୀ। ହେଲେ ଘୋଡ଼ାଗାଡ଼ି ଯେତେବେଳେ ନାସନାଲ ଥିଏଟର ଆଡ଼େ ନଯାଇ ଭବାନୀପୁର ଚର୍ଚ୍ଚ ପାଖରେ ପହଞ୍ଚିଲା ସୌଦାମିନୀ ଆଶ୍ଚର୍ଯ୍ୟ ହୋଇଗଲେ। ଭାବିଲେ, ପ୍ରାର୍ଥନା କରିବା ପାଇଁ ଏତେ ତରବର କାହିଁକି ହେଉଥିଲେ?

ଚର୍ଚ୍ଚରେ ଥିଲେ ସୌଦାମିନୀଙ୍କ ବାପା ଯଦୁନାଥ ଚାଟାର୍ଜୀ।। ଦୁଇଜଣଙ୍କୁ ଏମିତି ଦେଖି ସେ ବି ଆଶ୍ଚର୍ଯ୍ୟ ହୋଇଗଲେ। ମଧୁସୂଦନ ସିଧା ଯଦୁନାଥଙ୍କ ପାଖକୁ ଗଲେ। କୌଣସି ଉପକ୍ରମ ନାହିଁ କି ସମ୍ଭାଷଣ ନାହିଁ। ସିଧାସିଧା କହିଲେ, “ମୁଁ ସୌଦାମିନୀଙ୍କର ପାଣି ଗ୍ରହଣ କରିବାକୁ ଚାହେଁ। ଆପଣ ଆମ ଦୁହିଁଙ୍କୁ ଆଶୀର୍ବାଦ କରନ୍ତୁ।”

ଯଦୁନାଥ ଖୁସିରେ ଗଦଗଦ ହୋଇ ଯାଇଥିଲେ। କିନ୍ତୁ ସୌଦାମିନୀ କିଛି ଭାବି ପାରୁନ ଥିଲେ କ’ଣ ସବୁ ହୋଇଯାଉଛି। ସେଇ ସାଦାପୋଷାକରେ ବିବାହ ହେଲା। ବରକନ୍ୟା ଘରକୁ ଫେରିଲେ।

ବିବାହର ୫ ବର୍ଷ ପରେ ସୌଦାମିନୀଙ୍କ ଅକାଳ ବିୟୋଗରେ ଖୁବ ଭାଙ୍ଗି ପଡ଼ିଥିଲେ ମଧୁବାବୁ। ଜୀବନରେ ୭ଟି କବିତା ଲେଖିଥିଲେ ମଧୁବାବୁ। ସେ ମଧ୍ୟରୁ ଗୋଟିଏ ଥିଲା ସୌଦାମିନୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରେମ କବିତା। 

ପତ୍ନୀଙ୍କ ବିୟୋଗ ବେଳକୁ ମଧୁସୂଦନଙ୍କ ବୟସ ମାତ୍ର ୩୦ ବର୍ଷ। ଅନେକ ଲୋକ ଏପରିକି ସୌଦାମିନୀଙ୍କ ବାପା ତାଙ୍କୁ ଦ୍ଵିତୀୟ ବିବାହ କରିବାକୁ ପରାମର୍ଶ ଦେଇଥିଲେ। ହେଲେ ମଧୁବାବୁ ନିଷ୍ପତ୍ତି ନେଇଥିଲେ ସୌଦାମିନୀଙ୍କ ଜାଗା ସେ କାହାକୁ ଦେବେନି।

କଲିକତା ଛାଡ଼ିବା ବେଳକୁ ମଧୁବାବୁଙ୍କ ପାଖରେ ସୌଦାମିନୀଙ୍କର ସ୍ମୃତି ଭାବେ ଫଟୋଟିଏ ବି ନଥିଲା। ତାଙ୍କ ମୃତ୍ୟୁ ପରେ ସେ ଏକ ସମାଧି ତିଆରି କରିଥିଲେ ଯେଉଁଥିରେ ଲେଖାଥିଲା ‘ମରି ନାହଁ, ତମେ ଯାଇଛ ମାତ୍ର’। ସେହି ସମାଧିର ଫଟୋକୁ ସୌଦାମିନୀଙ୍କ ସ୍ମୃତି ଭାବେ ସାଇତି ନିଜ ଶୋଇବା ଘରେ ଝୁଲେଇ ଥିଲେ। ଆଉ ତାକୁ ଦେଖି ସାରା ଜୀବନ କଟେଇ ଦେଇଥିଲେ ମଧୁବାବୁ।

Tags: #MadhuBabu #MadhusudanDas #UtkalaGourabaMadhusudanDas #SoudaminiDevi #MarriedLife

LEAVE A REPLY

Please enter your comment!
Please enter your name here