ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଭାରତରେ ଆରମ୍ଭ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନାର ଦ୍ଵିତୀୟ ପର୍ଯ୍ୟାୟ। ଏଥିରେ ୭୦ ବର୍ଷରୁ ଊର୍ଦ୍ଧ୍ଵ ସବୁ ଲୋକଙ୍କୁ ସାମିଲ କରାଯିବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାକୁ ଶୁଭାରମ୍ଭ କରିବେ। ଏନେଇ ସୋମବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।

“କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାର ଦ୍ଵିତୀୟ ପର୍ଯ୍ୟାୟରେ ୭୦ ବର୍ଷରୁ ଊର୍ଦ୍ଧ୍ଵ ସବୁ ଲୋକଙ୍କୁ ସାମିଲ କରାଯିବ। ଓଡ଼ିଶାରେ ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନଥିଲା। ତେଣୁ ଯୋଜନାର ମୋଡାଲିଟି ପ୍ରସ୍ତୁତ କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାକୁ ରାଜ୍ୟରେ ଲାଗୁ କରାଯିବ”, କହିଛନ୍ତି ଡକ୍ଟର ମୁକେଶ ମହାଲିଙ୍ଗ।

ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାରେ ସାଢ଼େ ୩ କୋଟିରୁ ଅଧିକ ହିତାଧିକାରୀ ସାମିଲ ହେବେ। ଗୋଟିଏ କାର୍ଡରେ ଆୟୁଷ୍ମାନ ଭାରତ ସହ ରାଜ୍ୟ ସରକାରଙ୍କର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସୁବିଧା ମିଳିବ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସବୁ ହିତାଧିକାରୀଙ୍କୁ ଏହି କାର୍ଡ ଯୋଗାଇବାକୁ ଆମେ ଲକ୍ଷ୍ୟ ରଖିଛୁ।”

ପୂର୍ବରୁ ବିଏସକେୱାଇ ଯୋଜନାରେ କେବଳ ୯୫୭ଟି ହସ୍ପିଟାଲରେ ସୁବିଧା ମିଳୁଥିଲାବେଳେ ଏବେ ଦେଶର ୨୭ ହଜାରରୁ ଅଧିକ ହସ୍ପିଟାଲରେ ଆୟୁଷ୍ମାନ ଭାରତ ଯୋଜନାର ସୁବିଧା ପାଇପାରିବେ ଓଡ଼ିଶାବାସୀ।

Tags: #AyushmanBharatYojana #HealthServices #Odisha

LEAVE A REPLY

Please enter your comment!
Please enter your name here