ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁଗୁଳ ଜିଲ୍ଲା ତାଳଚେରରେ ଉଦଘାଟିତ ହୋଇଛି ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା। ଶୁକ୍ରବାର ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା, ଖଣି ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅତିଥି ଭାବେ ଯୋଡ଼ି ହୋଇଥିଲେ।

“ଓଡ଼ିଶା ସରକାର ସ୍ୱାସ୍ଥ୍ୟ ସେବାକୁ ସବୁବେଳେ ଗୁରୁତ୍ଵ ଦେଇ ଆସିଛନ୍ତି। ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ଅନେକ ନୂଆ ହସ୍ପିଟାଲ ତଥା ମେଡିକାଲ୍‌ କଲେଜ ସହ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସଂଖ୍ୟା ବଢ଼ିଛି। ଏହାସହ ରାଜ୍ୟର ସରକାରୀ ଡାକ୍ତରଖାନରେ ବହୁ ଅତ୍ୟାଧୁନିକ ଚିକିତ୍ସା ସେବା ମଧ୍ୟ ମିଳୁଛି। ସେହିଭଳି ଆଜି ଉଦଘାଟିତ ହୋଇଥିବା ଏହି ସରକାରୀ ମେଡିକାଲ ଅଞ୍ଚଳବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବ ବୋଲି ମୋର ବିଶ୍ଵାସ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଗକୁ ଏହି ହସ୍ପିଟାଲକୁ ମେଡିକାଲ୍ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ଆଗାମୀ ୫ ବର୍ଷ ଲାଗି ଏହି ହସ୍ପିଟାଲର ପରିଚାଳନା ପାଇଁ ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ୍) ୬୨୮ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ।

ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲକୁ କେନ୍ଦ୍ର ସରକାରଙ୍କ କୋଇଲା ମନ୍ତ୍ରାଳୟ ଅଧିନସ୍ଥ ମହାନଦୀ କୋଲ ଫିଲ୍ଡସର ସହଯୋଗରେ ନିର୍ମାଣ କରାଯାଇଛି। ଏଥିରେ ୩୩୦ ଶଯ୍ୟା ସହ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ ହେବ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପଣ୍ଡିଆନ, ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ପ୍ରମୁଖ ଯୋଗ ଦେଇଥିଲେ।

Tags: #PabitraMohanPradhanGovtHospital #Talcher #HealthServices #Angul #Odisha

LEAVE A REPLY

Please enter your comment!
Please enter your name here