ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଶୁଭାରମ୍ଭ ହୋଇଛି। ସୋମବାର ଭୁବନେଶ୍ଵର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ରାଜ୍ୟର ଶ୍ରେଷ୍ଠ ଦୁର୍ନୀତି ନିବାରଣ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ରାଜ୍ୟ ସରକାର ଦୁର୍ନୀତିକୁ ବରଦାସ୍ତ କରିବେ ନାହିଁ ବୋଲି କହିଥିଲେ।
“ଓଡ଼ିଶାରେ ଦୁର୍ନୀତିଖୋରଙ୍କ ପାଇଁ ସ୍ଥାନ ନାହିଁ। ରାଜ୍ୟ ସରକାର ଦୁର୍ନୀତିକୁ ଆଉ ଘଣ୍ଟ ଘୋଡ଼ାଇବେ ନାହିଁ। ଆମେ ଦୁର୍ନୀତି ମୁକ୍ତ ଓଡ଼ିଶା ଗଠନ କରିବା ପାଇଁ ଲକ୍ଷ୍ୟ ରଖିଛୁ। ଦୁର୍ନୀତିକୁ ନେଇ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରୁଛୁ। ଦୁର୍ନୀତିଖୋରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେ ଆହୁରି ମଧ୍ୟ କହିଥିଲେ, “ରାଜ୍ୟରେ ନୂଆ ସରକାର ଆସିବା ପରେ ୬ ଜଣ ମୁଖ୍ୟ ଯନ୍ତ୍ରୀଙ୍କୁ ବାନ୍ଧିଛି ଭିଜିଲାନ୍ସ। ସେମାନଙ୍କଠାରୁ ୬ କେଜି ସୁନା ଗହଣା ସମେତ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ଏସବୁ ସାଧାରଣ ଲୋକଙ୍କ ଟଙ୍କା, ଯାହା ଏମାନଙ୍କ ପାଖରେ ଥିଲା।”
ପୂର୍ବ ସରକାରରେ ରାଜ୍ୟରେ ବ୍ୟପକ ଦୁର୍ନୀତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ। ସେ ସବୁର ହିସାବ ନିଆଯିବ ବୋଲି ସେ କହିଥିଲେ।
ଏହି ଅବସରରେ କୋରାପୁଟର ଭିଜିଲାନ୍ସ ଏସପି ପି.କେ ଦ୍ୱିବେଦୀଙ୍କୁ ୨୦୨୩ ବର୍ଷ ପାଇଁ ଶ୍ରେଷ୍ଠ ଦୁର୍ନୀତି ନିବାରଣ ଅଧିକାରୀ ଭାବେ ସମ୍ମାନିତ କରାଯାଇଛି। ସେହିପରି ବଲାଙ୍ଗିର ଭିଜିଲାନ୍ସ ୟୁନିଟକୁ ସର୍ବଶ୍ରେଷ୍ଠ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି।
ତେବେ ରାଜ୍ୟରେ ଭିଜିଲାନ୍ସ ଫରେନସିକ୍ ବିଜ୍ଞାନ ଅନୁଷ୍ଠାନ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ଭିଜିଲାନ୍ସ ବିଭାଗରେ ୮ ଜଣ ଏସପି, ୮ ଜଣ ଅତିରିକ୍ତ ଏସପି, ୨୪ ଜଣ ଡିଏସପି ଓ ୧୬ ଜଣ ଏସଆଇ ନିୟୋଜିତ ହେବେ। ଏହାସହ ତଦନ୍ତରେ ସହଯୋଗ ଲାଗି ୨୪ ଜଣ ସାଇବର ଏକ୍ସପର୍ଟ, ଚାଟାର୍ଡ ଅକାଉଣ୍ଟାଣ୍ଟ ଓ ବ୍ୟାଙ୍କ ଏକ୍ସପର୍ଟ ରହିବେ। ସେମାନଙ୍କୁ ସବୁ ସୁବିଧା ଯୋଗାଇ ଦିଆଯିବ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ କୁମାର ଜେଠୱା ପ୍ରମୁଖ ଯୋଗ ଦେଇଥିଲେ।
Tags: #VigilanceAwarenessWeek #CMMohanCharanMajhi #OdishaGovt #CorruptionFreeOdisha