ଆଶିଷ କୁମାର ରାୟ
ଭାରତୀୟ କ୍ରୀଡ଼ା ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସିଙ୍ଗାପୁରରେ ଲିପିବଦ୍ଧ ହୋଇଛି। ସ୍ଥାନୀୟ ୱାର୍ଲଡ ସେଣ୍ଟୋସା ରିସୋର୍ଟରେ ଚାଲିଥିବା ୨୦୨୪ ବିଶ୍ୱ ଚେସ୍ ଚାମ୍ପିୟନଶିପରେ ବିଜୟୀ ହୋଇଛନ୍ତି ଭାରତର ୧୮ ବର୍ଷୀୟ ଚେସ୍ ତାରକା ଡୋମ୍ମାରାଜୁ ଗୁକେଶ। ଏପ୍ରିଲ ୨୦୨୩ରୁ କ୍ଲାସିକାଲ ଫର୍ମାଟରେ ବିଶ୍ୱ ଚେସ୍ ଚାମ୍ପିୟନ୍ ବୋଲାଇ ଆସୁଥିବା ଚୀନର ଡିଙ୍ଗ୍ ଲିରେନଙ୍କୁ ପରାସ୍ତ କରି ଗୁକେଶ ତାଙ୍କଠାରୁ ଚାମ୍ପିଆନଶିପର ମୁକୁଟ ଛଡ଼ାଇ ନେଇଛନ୍ତି।
୧୪ଟି ଗେମ୍ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଗୁକେଶ ୩ଟି ଗେମରେ ବିଜୟୀ ହୋଇଥିବାବେଳେ ଡିଙ୍ଗ୍ ଲିରେନ ୨ଟି ଗେମରେ ବିଜୟୀ ହୋଇଥିଲେ। ବାକି ୯ଟି ଗେମ୍ ଅମୀମାଂସିତ ରହିଥିଲା। ଫଳରେ ଗୁକେଶ ତାଙ୍କ ପ୍ରତିଦ୍ୱନ୍ଦୀଙ୍କଠାରୁ ଗୋଟିଏ ପଏଣ୍ଟ ଅଧିକ ପାଇ ମୋଟ ୭.୫ ପଏଣ୍ଟ ଲାଭ କରି ବିଶ୍ୱ ଚେସ୍ ଚାମ୍ପିଆନ ବନି ଯାଇଛନ୍ତି।
ଗତ ସେପ୍ଟେମ୍ବର ୨୨ ତାରିଖ ଦିନ ମଧ୍ୟ ଭାରତୀୟ ଦଳ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟଠାରେ ସମ୍ପନ୍ନ ହୋଇଥିବା ଚେସ୍ ଅଲିମ୍ପିଆଡରେ ସ୍ୱର୍ଣ୍ଣପଦକ ହାସଲ କରିଥିଲା। ଡି. ଗୁକେଶ ଥିଲେ ଏହି ଦଳର ପ୍ରମୁଖ ସଦସ୍ୟ। ଆଉ ଏବେ ଗୁକେଶ ବ୍ୟକ୍ତିଗତ ଭାବେ ଚେସ୍ ଚାମ୍ପିଆନଶିପର ଟାଇଟଲ୍ ହାସଲ କରିନେଇଛନ୍ତି। ଏହି ଦୁଇଟିଯାକ ସଫଳତା ଯେଭଳି ଅଭୂତପୂର୍ବ ସେହିଭଳି ଅବିଶ୍ୱସନୀୟ, ଯାହା ଫଳରେ କି ଭାରତ ଏବେ ଚେସ୍ ଜଗତର ଶୀର୍ଷରେ ଅବସ୍ଥାପିତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ।
ବିଶ୍ୱ ଚାମ୍ପିୟନଶିପର ପୂର୍ବ ସ୍ଥିତି
୨୦୨୩ ଏପ୍ରିଲ ମାସରେ ଯେତେବେଳେ ଡିଙ୍ଗ୍ ଲିରେନ ବିଶ୍ୱ ଚେସ୍ ଚାମ୍ପିୟନ ହୋଇଥିଲେ ସେତେବେଳେ ସେ ଥିଲେ ବିଶ୍ୱର ତିନି ନମ୍ବର ଖେଳାଳି ଥିଲେ। ସେ ପରାସ୍ତ କରିଥିଲେ ବିଶ୍ଵ ଦୁଇ ନମ୍ବର ରାଙ୍କର ଖେଳାଳି ରୁଷର ଇଆନ୍ ନେପୋମ୍ନିଆଚ୍ଚିଙ୍କୁ। ଏଠାରେ କହି ରଖିବା ଆବଶ୍ୟକ ଯେ ବିଶ୍ୱର ଏକ ନମ୍ବର ଚେସ୍ ତରକା ନରୱେର ମ୍ୟାଗନସ୍ କାର୍ଲସନ୍ ବିଶ୍ୱ ଚାମ୍ପିଆନଶିପରୁ ଓହରି ଯିବାରୁ ଏ ଦୁହିଁଙ୍କ ମଧ୍ୟରେ ମୁକାବିଲା ହୋଇଥିଲା।
ତେବେ ବିଶ୍ୱ ଚାମ୍ପିୟନ ହେବା ପରଠାରୁ ଡିଙ୍ଗ୍ଙ୍କ ଖେଳ ନିମ୍ନଗାମୀ ହେବାକୁ ଲାଗିଲା। ବିଶେଷ କରି ଏହିବର୍ଷ ସେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରି ଫିଡେ ମାନ୍ୟତା ତାଲିକାରେ ୨୩ ନମ୍ବରକୁ ଖସି ଆସିଥିଲେ। ଅନ୍ୟ ଦିଗରେ ଡୋମ୍ମାରାଜୁ ଗୁକେଶ ଗତ ଦୁଇବର୍ଷ ମଧ୍ୟରେ ନିଜ ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ଆଣି ବିଶ୍ୱର ୫ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳିରେ ପରିଣତ ହୋଇ ଯାଇଥିଲେ।
ଗୁକେଶ ମଧ୍ୟ ଚଳିତ ବର୍ଷ ଏପ୍ରିଲ ମାସରେ କାନାଡ଼ାର ଟରୋଣ୍ଟୋଠାରେ ଅନୁଷ୍ଠିତ କ୍ୟାଣ୍ଡିଡେଟ୍ସ ପ୍ରତିଯୋଗିତାରେ ବିଜୟୀ ହୋଇ ବିଶ୍ୱ ଚାମ୍ପିଆନଶିପରେ ଡିଙ୍ଗ୍ ଲିରେନଙ୍କ ଚାଲେଞ୍ଜର ଭାବେ ସାମ୍ନାକୁ ଆସିଥିଲେ।
ଏହି କ୍ୟାଣ୍ଡିଡେଟ୍ସ ପ୍ରତିଯୋଗିତାରେ ଗୁକେଶ ଯୁକ୍ତରାଷ୍ଟ୍ର ଆମେରିକାର ହିକାରୁ ନାକାମୁରା, ଫାବିୟାନୋ କାରୁଆନା ଏବଂ ରୁଷର ଇଆନ୍ ନେପୋମ୍ନିଆଚ୍ଚିଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ପଛରେ ପକାଇ ବିଜୟୀ ହେବା ଥିଲା ଉଲ୍ଲେଖନୀୟ ଘଟଣା। ସୁତରାଂ ବର୍ତ୍ତମାନର ସ୍ଥିତି ଦୃଷ୍ଟିରୁ ଡିଙ୍ଗ୍ଙ୍କ ତୁଳନାରେ ଗୁକେଶ ଥିଲେ ଟାଇଟେଲର ମୁଖ୍ୟ ଦାବିଦାର। ତାଙ୍କର ବିଶ୍ୱ ଚାମ୍ପିୟନ ହେବାର ସମ୍ଭାବନା ଥିଲା ନିଶ୍ଚିତ ଭାବେ ଅଧିକ।
ସମାନ ସମାନ ମୁକାବିଲା
ତେବେ ବିଶ୍ୱ ଚେସ୍ ଚାମ୍ପିୟନଶିପର ପ୍ରଥମ ଗେମରେ ଗୁକେଶଙ୍କ ପାଇଁ ଓଲଟା ଫଳ ଦେଖିବାକୁ ମିଳିଲା। ପ୍ରଥମ ଗେମରେ ଗୁକେଶ ଧଳା ଗୋଟି ନେଇ ଖେଳୁଥିଲେ ହେଁ ଅପ୍ରତ୍ୟାଶିତ ଭାବେ ପରାଜିତ ହୋଇଗଲେ। ଗତ ବିଜେତା ଚୀନର ଡିଙ୍ଗ୍ ଲିରେନ କଳା ଗୋଟିରେ ଚମତ୍କାର ପ୍ରଦର୍ଶନ କରିବା ସହିତ ଗୁକେଶଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ।
ଏହାପରେ ଗୁକେଶ ନିଜକୁ ସମ୍ଭାଳି ସାବଧାନତାର ସହିତ ଖେଳିବାକୁ ଆରମ୍ଭ କଲେ। ଦ୍ୱିତୀୟ ଗେମ୍ ଅମୀମାଂସିତ ରହିବା ପରେ ତୃତୀୟ ଗେମରେ ଗୁକେଶ ଧଳା ଗୋଟି ନେଇ ବିଜୟୀ ହେଲେ ଏବଂ ମୁକାବିଲା ସମାନ ସ୍ଥିତିକୁ ଚାଲିଆସିଲା। ଏହାପରେ କ୍ରମାଗତ ଭାବେ ସାତଟି ଗେମ୍ ଅମୀମାଂସିତ ରହିଲା।
ଏଥିମଧ୍ୟରୁ କମସେ କମ ତିନିଟି ଗେମରେ ଗୁକେଶଙ୍କ ପାଇଁ ବିଜୟ ସମ୍ଭାବନା ସୃଷ୍ଟି ହୋଇଥିଲେ ହେଁ ତାହା ହାତଛଡ଼ା ହୋଇଯାଇଥିଲା। ବିଶେଷ କରି ଡିଙ୍ଗ୍ ଲିରେନଙ୍କ ରକ୍ଷାତ୍ମକ କୌଶଳ ହିଁ ତାଙ୍କୁ ପରାଜୟରୁ ରକ୍ଷା କରିଥିଲା କହିଲେ କିଛି ଭୁଲ୍ ହେବନାହିଁ।
ଦଶମ ଗେମ୍ ଶେଷ ସୁଦ୍ଧା ଉଭୟେ ୫ ପଏଣ୍ଟ ଲେଖାଏଁ ପାଇ ସମାନ ସ୍ଥିତିରେ ଥିଲେ। ଏକାଦଶତମ ଗେମରେ ଚୀନ ପ୍ରତିଦ୍ୱନ୍ଦୀଙ୍କ ଗୋଟିଏ ଭୁଲ୍ ଗୋଟି ଚାଳନାର ଫାଇଦା ଉଠାଇ ଗୁକେଶ ବିଜୟ ହାସଲ କଲେ। ଧଳା ଗୋଟିରେ ଏହା ଥିଲା ଗୁକେଶଙ୍କ ଦ୍ୱିତୀୟ ବିଜୟ। ପରବର୍ତ୍ତୀ ଗେମରେ କିନ୍ତୁ ଡିଙ୍ଗ୍ ଗୁକେଶଙ୍କ ତ୍ରୁଟିରୁ ଫାଇଦା ଉଠାଇ ବିଜୟୀ ହେଲେ। ମୁକାବିଲା ପୁନର୍ବାର ସମାନ ସ୍ଥିତିକୁ ଚାଲିଆସିଲା। ଏହାପରେ ତ୍ରୟୋଦଶ ଗେମରେ ଗୁକେଶ ବହୁତ ଚେଷ୍ଟା କରି ସୁଦ୍ଧା ବିଜୟୀ ହୋଇପାରିଲେ ନାହିଁ।
ଅନ୍ତିମ ଗେମରେ ଚମତ୍କାର ବିଜୟ
୧୩ ଟି ଗେମ୍ ପରେ ଉଭୟ ପ୍ରତିଦ୍ଵନ୍ଦ୍ଵୀ ସମାନ ସମାନ ୬.୫ ପଏଣ୍ଟରେ ରହିଥିଲେ। ସୁତରାଂ ସବୁକିଛି ନିର୍ଭର କରୁଥିଲା ୧୪ତମ ତଥା ଅନ୍ତିମ ଗେମର ପରିଣାମ ଉପରେ। ଗୁକେଶ ଶେଷ ପର୍ଯ୍ୟନ୍ତ ଆଶା ରଖି ମ୍ୟାଚକୁ ଆଗକୁ ବଢ଼ାଇଲେ। ମାତ୍ର ଡିଙ୍ଗ୍ଙ୍କ ଏକ ଭୁଲ ଚାଲ୍ ଗୁକେଶଙ୍କୁ ବଳ ଯୋଗାଇଥିଲା। ପରେ ୫୮ତମ ଚାଲ୍ ପରେ ଡିଙ୍ଗ୍ ପରାଜୟ ସ୍ୱୀକର କରିନେଲେ। ଏଥିସହିତ ମାତ୍ର ୧୮ ବର୍ଷ ବୟସରେ ଡୋମ୍ମାରାଜୁ ଗୁକେଶ ହେଲେ ଚେସ୍ ଜଗତର ୧୮ତମ ବିଶ୍ୱ ଚାମ୍ପିଆନ୍
ଏହି ଗେମଟି ଯଦି ଅମୀମାଂସିତ ରହିଥିଲେ ମୁକାବିଲା ଯାଇଥାନ୍ତା ଟାଇ ବ୍ରେକରକୁ। ଏହି ଟାଇବ୍ରେକର ଗେମଗୁଡ଼ିକ କ୍ଲାସିକାଲ ଫର୍ମାଟରେ ନୁହେଁ ବରଂ ଖେଳା ଯଇଥାନ୍ତା ରାପିଡ୍ ଫର୍ମାଟରେ। ଅର୍ଥାତ୍ ଦ୍ରୁତ ଗତିରେ ଉଭୟଙ୍କୁ ଚାଲ ଦେବାକୁ ପଡ଼ିଥାନ୍ତା, ଯେଉଁଠି ଭୁଲ୍ ହେବାର ସମ୍ଭାବନା ଅଧିକ ରହିଥାନ୍ତା।
ଏଠାରେ ଉଲ୍ଲେଖେଯାଗ୍ୟ ଯେ ରାପିଡ୍ ଚେସରେ ଡିଙ୍ଗ୍ ବିଶ୍ୱର ୨ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ହୋଇଥିବାବେଳେ ଗୁକେଶ ରହିଛନ୍ତି ଯାଇ ୪୭ ନମ୍ବରରେ। ସେହି ଦୃଷ୍ଟିରୁ ଡିଙ୍ଗ୍ ଖେଳକୁ ଟାଇବ୍ରେକରକୁ ନେଇଯିବା ପାଇଁ ଇଚ୍ଛୁକ ଥିଲେ ଏବଂ ଏହା ହୋଇଥିଲେ ତାଙ୍କର ବିଜୟ ସମ୍ଭାବନା ବଢ଼ି ଯାଇଥାନ୍ତା। ଗୁକେଶ କିନ୍ତୁ ତାହା ହେବାକୁ ଦେଲେନାହିଁ।
ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ
ଭାରତର ମହାନ ଚେସ୍ ତାରକା ବିଶ୍ୱନାଥନ ଆନନ୍ଦ ୫ ଥର ବିଶ୍ୱ ଚେସ୍ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। କ୍ଲାସିକାଲ ଚେସରେ ସେ ୨୦୦୦, ୨୦୦୭, ୨୦୦୮, ୨୦୧୦ ଓ ୨୦୧୨ରେ ବିଶ୍ୱବିଜେତା ହୋଇଥିଲେ। ଏତଦବ୍ୟତୀତ ରାପିଡ୍ ଚେସରେ ମଧ୍ୟ ବିଶ୍ୱ ଚମ୍ପିୟନ ହେବା ଆନନ୍ଦଙ୍କର ଅନ୍ୟତମ ସଫଳତା।
୨୦୧୩ରେ ଚେନ୍ନାଇଠାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପରେ ବିଶ୍ୱନାଥନ ଆନନ୍ଦ ନରୱେର ମ୍ୟାଗନସ୍ କାର୍ଲସନଙ୍କଠାରୁ ପରାଜିତ ହୋଇଯାଇଥିଲେ। ଏବେ ଚେନ୍ନାଇରେ ଜନ୍ମିତ ଡୋମ୍ମାରାଜୁ ଗୁକେଶ ବିଶ୍ୱ ଚାମ୍ପିଆନ ହେବା ଫଳରେ ଭାରତ ଏହାର ହୃତ ଗୌରବ ଫେରିପାଇଛି। ଏଥିସହିତ ଗୁକେଶ ଏବେ ଆନନ୍ଦଙ୍କ ପଛକୁ ଦ୍ୱିତୀୟ ଭାରତୀୟ ଭାବେ ଚେସ୍ ଜଗତର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି।
କମ୍ ବୟସରୁ ସଫଳତା
୨୦୦୬ ମେ’ ୨୯ ତାରିଖରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିବା ଗୁକେଶ ଯେତେବେଳେ ମାତ୍ର ୧୨ବର୍ଷ ୭ ମାସ ଓ ୧୭ ଦିନର ହୋଇଥିଲେ ତାଙ୍କୁ ମିଳିଥିଲା ଗ୍ରାଣ୍ଡମାଷ୍ଟର ଟାଇଟେଲ୍। ଏହି ଟାଇଟେଲ୍ ହାସଲ କରିବା ସମୟରେ ସେ ଥିଲେ ବିଶ୍ୱର ଦ୍ୱିତୀୟ ସର୍ବ କନିଷ୍ଠ ଖେଳାଳି। କମ ବୟସରୁ ବିଭିନ୍ନ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବାର ସଫଳତା ମଧ୍ୟ ତାଙ୍କୁ ମିଳିଥିଲା।
୨୦୨୨ରେ ଚେନ୍ନାଇଠାରେ ଅନୁଷ୍ଠିତ ୪୪ତମ ଚେସ୍ ଅଲିମ୍ପିଆଡ଼ରେ ଗୁକେଶ ଚମତ୍କାର ପ୍ରଦର୍ଶନ କରି ଭାରତକୁ ବ୍ରୋଞ୍ଜପଦକ ବିଜୟୀ କରାଇବା ସହିତ ନିଜେ ବ୍ୟକ୍ତିଗତ ଭାବେ ଟପ୍ ବୋର୍ଡର ସ୍ୱର୍ଣ୍ଣ ପଦକ ଜିତିଥିଲେ। ଚଳିତ ବର୍ଷ ବୁଦାପେଷ୍ଟରେ ଅନୁଷ୍ଠିତ ୪୫ତମ ଚେସ୍ ଅଲିମ୍ପିଆଡରେ ମଧ୍ୟ ତାଙ୍କୁ ଟପ୍ ବୋର୍ଡର ସ୍ୱର୍ଣ୍ଣ ମିଳିଛି ଏବଂ ସେ ଭାରତୀୟ ଦଳକୁ ସ୍ୱର୍ଣ୍ଣ ବିଜୟୀ କରାଇବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
୨୭୯୪ ଏଲୋ ରେଟିଂ ପ୍ରାପ୍ତ ବିଶ୍ୱର ୫ ନମ୍ବର ଖେଳାଳି ଡୋମ୍ମାରାଜୁ ଗୁକେଶ ଏବେ ସିଙ୍ଗାପୁରଠାରେ ବିଶ୍ୱ ଚାମ୍ପିୟନ ହୋଇ ଖୁବ୍ କମ ବୟସରେ ଏକ ଅନନ୍ୟ ସଫଳତାର ଅଧିକାରୀ ହୋଇପାରିଛନ୍ତି । ୧୮ ବର୍ଷ ୬ ମାସ ଓ ୧୫ଦିନରେ ସେ ଚେସ୍ ଜଗତର ସର୍ବକନିଷ୍ଠ ବିଜେତା ହେବା ନିଶ୍ଚିତ ଭାବେ ଅବିସ୍ମରଣୀୟ।
୧୯୮୫ରେ ମହାନ ଚେସ୍ ତାରକା ରୁଷର ଗ୍ୟାରୀ କାସ୍ପାରୋଭ ଯେତେବେଳେ ବିଶ୍ଵ ଚେସ୍ ଚାମ୍ପିୟନ ହୋଇଥିଲେ ସେତେବେଳେ ତାଙ୍କୁ ହୋଇଥିଲା ୨୨ ବର୍ଷ। ଏହାପରେ ଜାନୁଆରି ୨୦୦୨ରେ ୟୁକ୍ରେନର ରୁସଲାନ୍ ପୋନୋମାରିଓଭ୍ ୧୮ ବର୍ଷ ୩ ମାସ ଓ ୧୨ଦିନର ହୋଇଥିବା ସମୟରେ ଫିଡେ ବିଶ୍ୱ ଚାମ୍ପିୟନ ହୋଇଥିଲେ। ତେବେ ସେ ସମୟରେ ଚେସ୍ ଜଗତ ଥିଲା ଦୁଇ ଭାଗରେ ବିଭକ୍ତ। ଏବେ କିନ୍ତୁ ଗୁକେଶ ନିର୍ବିବାଦୀୟ ଭାବେ ସବୁଠାରୁ କମ ବୟସରେ ଚେସ୍ ଜଗତରେ ଚାମ୍ପିୟନ ଆସନ ଅଳଙ୍କୃତ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।
Tags: #WorldChessChampionship #DGukesh #DingLiren #Chess #FIDE #Singapore