ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ଏବେ ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆହୁରି ୨୪ ଘଣ୍ଟା ଧରି ବର୍ଷା ଜାରି ରହିବ। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।
ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ବର୍ଷା ଜାରି ରହିବ। ତେବେ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର ଜିଲ୍ଲାରେ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି।
ଆସନ୍ତାକାଲି, ରବିବାରଠାରୁ ବର୍ଷାର ପରିମାଣ ବହୁତ କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରବିବାର ଦିନ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପାଗ ମେଘୁଆ ରହିବ ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
ଓଡ଼ିଶାରେ ଏବେ ୩ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଡିସେମ୍ବର ୨୩ ତାରିଖରେ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ଯାଏଁ କମି ଶୀତ ବଢ଼ିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପାଗ ମେଘୁଆ ରହିବ। କିଛି କିଛି ସ୍ଥାନରେ ବାଦଲ ଦେଖାଯିବ।
ଅନ୍ୟପଟେ ସକ୍ରିୟ ଅବପାତଟି ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି। ଏହା ଉତ୍ତର ପଶ୍ଚିମ ଦିଗରେ ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡ଼କୁ ୭ କିଲୋମିଟଣ ଗତି କରୁଛି। ଏହା ଗୋପାଳପୁରଠାରୁ ୬୦୦ କିଲୋ ମିଟର ଦୂର ଦକ୍ଷିଣ ପଶ୍ଚିମ ଦିଗରେ ରହିଛି।
ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର ୨୨ ତାରିଖ ଯାଏଁ ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଏହାସହ ଚାଷୀମାନଙ୍କୁ ଅମଳ କରିଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି।
Tags: #Weather #LowPressure #Rainfall #Winter #MCBBSR #Odisha