ଓଡ଼ିଶାଲାଇଭ୍ ବ୍ୟୁରୋ

ନିଜ ଠିକଣାରେ ପହଞ୍ଚିବା ପାଇଁ ହେଉ କି ଦିଗ ନିର୍ଦ୍ଧାରଣ ପାଇଁ ଆପଣ ଗୁଗୁଲ୍ ମ୍ୟାପ୍ସର ବ୍ୟବହାର କରିଥାନ୍ତି। କିନ୍ତୁ, ଏହାକୁ ଛାଡ଼ି ଏହି ଆପର ଆହୁରି ଅନେକ ବୈଶିଷ୍ଟ୍ୟ ରହିଛି। ଏହାର ଯଦି ସଠିକ୍ ଭାବରେ ବ୍ୟବହାର କରାଯାଏ, ତେବେ ଏହା ଆପଣଙ୍କର ଯାତ୍ରା ଏବଂ ଦୈନନ୍ଦିନ ଜୀବନକୁ ଆହୁରି ସହଜ କରିପାରିବ।
ସାରା ବିଶ୍ୱରେ ୧୦ ବିଲିୟନରୁ ଅଧିକ ଲୋକ ଏହାର ବ୍ୟବହାର କରୁଛନ୍ତି। କିନ୍ତୁ, ବହୁତ କମ୍ ଲୋକ ଏହାର ପ୍ରକୃତ ବ୍ୟବହାର ଜାଣିଛନ୍ତି। ଯଦି ଆପଣ କେବଳ ଦିଗ ନିର୍ଦ୍ଧାରଣ ପାଇଁ ଗୁଗୁଲ ମ୍ୟାପ୍ସର ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଏହାର ଏହି ୧୨ଟି ଆଶ୍ଚର୍ଯ୍ୟଜନକ ବୈଶିଷ୍ଟ୍ୟ ବିଷୟରେ ନିହାତି ଜାଣିବା ଜରୁରୀ।
୧. ଅଫଲାଇନରେ ଗୁଗୁଲ ମ୍ୟାପ୍ସର ବ୍ୟବହାର
କେବଳ ଅନଲାଇନ ନୁହେଁ ଅଫଲାଇନରେ ମଧ୍ୟ ଆପଣ ଗୁଗୁଲ ମ୍ୟାପ୍ସର ବ୍ୟବହାର କରିପାରିବେ। ଇଣ୍ଟରନେଟ୍ ସଂଯୋଗ ବିନା ମଧ୍ୟ ସ୍ଥାନ ଏବଂ ଦିଗ ନିର୍ଦ୍ଧାରଣ କରିପାରିବେ।
ଏଥି ପାଇଁ ପ୍ରଥମେ ଗୁଗୁଲ୍ ମ୍ୟାପ୍ସ ଆପ ଖୋଲନ୍ତୁ ଏବଂ ଯେଉଁ ଅଞ୍ଚଳର ମ୍ୟାପ୍ ଚାହୁଁଛନ୍ତି ତାହା ସର୍ଚ୍ଚ ବାରରେ ଟାଇପ୍ କରି ସର୍ଚ୍ଚ କରନ୍ତୁ। ଏହାପରେ ସ୍କ୍ରିନର ତଳ ଭାଗରେ ‘ଡାଉନଲୋଡ୍ ଅଫ୍ଲାଇନ୍ ମ୍ୟାପ୍’ ବିକଳ୍ପ ମିଳିଯିବ, ଏହା ଉପରେ କ୍ଲିକ୍ କରନ୍ତୁ। ଡାଉନଲୋଡ୍ ସମ୍ପୂର୍ଣ୍ଣ ହେବା ପରେ, ଆପଣ ଇଣ୍ଟରନେଟ୍ ବିନା ମଧ୍ୟ ଏହି ମ୍ୟାପ୍ ଦେଖିପାରିବେ।
୨. ହିଷ୍ଟ୍ରିପିନ୍: ଇତିହାସ ସହିତ ଯୋଡ଼ି ହୁଅନ୍ତୁ ଅବା ଯୋଡ଼ନ୍ତୁ
ହିଷ୍ଟ୍ରିପିନ୍ ଆପଣଙ୍କୁ ଯେକୌଣସି ନିର୍ଦ୍ଦିଷ୍ଟ ସ୍ଥାନର ଫଟୋ ଏବଂ ସେହି ସ୍ଥାନର ଐତିହାସିକ ପୃଷ୍ଠଭୂମି ଯୋଡ଼ିବାକୁ ଅନୁମତି ଦେଇଥାଏ। ଫଳରେ ଅନ୍ୟକେହି ସେହି ସ୍ଥାନ ବିଷୟରେ ଜାଣିବା ସହ ତା’ର ଫଟୋ ମଧ୍ୟ ଦେଖିପାରିବେ।
ଏହାକୁ ବ୍ୟବହାର କରିବା ପାଇଁ ହିଷ୍ଟ୍ରିପିନ୍ ୱେବସାଇଟ୍ କିମ୍ବା ଆପକୁ ଯାଆନ୍ତୁ। ଏହାପରେ ନିଜ ଗୁଗୁଲ୍ ଆକାଉଣ୍ଟରେ ଏହାକୁ ଲଗଇନ୍ କରନ୍ତୁ। ‘ଆଡ ଏ ପିନ’ ଉପରେ କ୍ଲିକ୍ କରିବା ପରେ ଏହା ଆପଣଙ୍କୁ ଫଟୋ ଏବଂ ଆପଣ ଯୋଡ଼ିଥିବା ଫଟୋର କାହାଣୀ ବିଷୟରେ ଲେଖିବାର ବିକଳ୍ପ ଦେଇଥାଏ। ଏହା ପରେ ଫଟୋଟି ଯେଉଁ ସ୍ଥାନର ସେହି ସ୍ଥାନକୁ ଚୟନ କରନ୍ତୁ। ଆବଶ୍ୟକ ବିବରଣୀ ଯୋଡ଼ି ଏହାକୁ ପ୍ରକାଶ କରିପାରିବେ।
୩. ଇଲେକ୍ଟ୍ରିକ୍ ଗାଡ଼ି ଚାର୍ଜିଂ ଷ୍ଟେସନ
ଯଦି ଆପଣଙ୍କର ଏକ ଇଲେକ୍ଟ୍ରିକ୍ ଗାଡ଼ି ରହିଛି, ତେବେ ଆପଣ ଗୁଗୁଲ ମ୍ୟାପ୍ସର ବ୍ୟବହାର କରି ନିକଟସ୍ଥ ଚାର୍ଜିଂ ଷ୍ଟେସନ୍ କେଉଁଠି ଅଛି ତାହା ଜାଣିପାରିବେ।
ଏଥିପାଇଁ ଗୁଗୁଲ ମ୍ୟାପ୍ସ ଆପକୁ ଯାଆନ୍ତୁ। ସର୍ଚ୍ଚ ବାରରେ ‘ଇଭି ଚାର୍ଜିଂ ଷ୍ଟେସନ’ କିମ୍ବା ‘ଇଲେକ୍ଟ୍ରିକ୍ ଚାର୍ଜିଂ ଷ୍ଟେସନ’ ଟାଇପ୍ କରନ୍ତୁ। ଆପଣଙ୍କୁ ନିକଟସ୍ଥ ଚାର୍ଜିଂ ଷ୍ଟେସନଗୁଡ଼ିକର ଏକ ତାଲିକା ମିଳିଯିବ। ଯେକୌଣସି ଚାର୍ଜିଂ ଷ୍ଟେସନ ଉପରେ କ୍ଲିକ୍ କରି, ଆପଣ ଏହାର ରେଟିଂ, ଉପଲବ୍ଧ ସ୍ଲଟ୍ ଏବଂ ଚାର୍ଜିଂ ପଏଣ୍ଟ ବିଷୟରେ ସୂଚନା ପାଇପାରିବେ।
୪. ଦୂରତା ଏବଂ କ୍ଷେତ୍ରଫଳ ମାପନ୍ତୁ
ଯଦି ଆପଣ ଦୁଇଟି ସ୍ଥାନ ମଧ୍ୟରେ ସଠିକ୍ ଦୂରତା କିମ୍ବା କୌଣସି ସ୍ଥାନର କ୍ଷେତ୍ରଫଳ ଜାଣିବାକୁ ଚାହାଁନ୍ତି, ତେବେ ଏହି ବୈଶିଷ୍ଟ୍ୟ ବିଷୟରେ ନିହାତି ଜାଣିରଖନ୍ତୁ।
ଏଥିପାଇଁ ପ୍ରଥମେ ଗୁଗୁଲ ମ୍ୟାପ୍ସ ଖୋଲନ୍ତୁ। ଯେଉଁଠାରୁ ଆପଣ ଦୂରତା ମାପିବାକୁ ଚାହୁଁଛନ୍ତି, ସେହି ସ୍ଥାନରେ ରାଇଟ କ୍ଲିକ୍ କରନ୍ତୁ ଏବଂ ‘ମେଜର ଡିସଟାଂସ’ ଅପସନ ଚୟନ କରନ୍ତୁ। ଏବେ ଦ୍ୱିତୀୟ ବିନ୍ଦୁକୁ ସେହି ସ୍ଥାନରେ ରଖନ୍ତୁ ଯେଉଁଠାରେ ଦୂରତା ଆବଶ୍ୟକ। ଏହାପରେ ସ୍କ୍ରିନରେ ଦୂରତା, ମିଟର କିମ୍ବା କିଲୋମିଟରରେ ଦର୍ଶାଇବ।
ସେହିପରି ଯଦି ଆପଣ କୌଣସି କ୍ଷେତ୍ରର ଆକାର ମାପିବାକୁ ଚାହାଁନ୍ତି ତେବେ ଏକ ବନ୍ଦ ଆକୃତି ଗଠନ କରିବା ପାଇଁ ଅତି କମରେ ଚାରୋଟି ବିନ୍ଦୁକୁ ସଂଯୋଗ କରନ୍ତୁ। ଗୁଗୁଲ୍ ମ୍ୟାପ୍ସ ଆପଣଙ୍କୁ ସେହି ଅଞ୍ଚଳର ମୋଟ ଆକାରକୁ ବର୍ଗମିଟର କିମ୍ବା ବର୍ଗ କିଲୋମିଟରରେ ଦର୍ଶାଇଥାଏ।
୫. ବ୍ୟବସାୟ ସମ୍ବନ୍ଧୀୟ ସୂଚନା
ଯଦି ଆପଣ କୌଣସି ଦୋକାନ, ହୋଟେଲ କିମ୍ବା ଅଫିସ୍ ପରିଦର୍ଶନ କରିବା ପୂର୍ବରୁ ତାହା ବିଷୟରେ ଅଧିକ ସୂଚନା ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଗୁଗୁଲ ମ୍ୟାପ୍ସର ବ୍ୟବହାର କରିପାରିବେ।
ଏଥିପାଇଁ ଗୁଗୁଲ ମ୍ୟାପ୍ସରେ ପ୍ରଥମେ ସେହି ସ୍ଥାନର ନାମ ସର୍ଚ୍ଚ କରନ୍ତୁ। ଏହା ପରେ ‘ମୋର ଇନଫୋ’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ଫଳରେ ଆପଣ ବ୍ୟବସାୟ ଖୋଲିବା ଏବଂ ବନ୍ଦ ହେବାର ସମୟ, ଗ୍ରାହକ ସୁବିଧା, ପେମେଣ୍ଟ ବିକଳ୍ପ ଇତ୍ୟାଦି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ।
୬. ଲାଇଭ୍ ଟ୍ରାଫିକ୍ ଅପଡେଟ୍
ଗୁଗୁଲ ମ୍ୟାପ୍ସ ଆପଣଙ୍କୁ ରିଅଲ୍-ଟାଇମ୍ ଟ୍ରାଫିକ୍ ଅପଡେଟ୍ ପ୍ରଦାନ କରିଥାଏ। ଫଳରେ କେଉଁ ରାସ୍ତାରେ କେତେ ମାତ୍ରାରେ ଭିଡ଼ ରହିଛି ତାହା ଆପଣ ଜାଣିପାରିବେ।
ଏଥିପାଇଁ ଆପଣ ଗୁଗୁଲ ମ୍ୟାପ୍ସର ଡାହାଣ ପାର୍ଶ୍ୱରେ ଥିବା ଲେୟର୍ସ ଆଇକନ୍ ଉପରେ କ୍ଲିକ୍ କରନ୍ତୁ। ସେଠାରେ ‘ଟ୍ରାଫିକ୍’ ବିକଳ୍ପ ଚୟନ କରନ୍ତୁ। ଏହା ପରେ ଆପଣ ଜାଣିପାରିବେ କେଉଁ ରାସ୍ତାରେ କେତେ ଜାମ ରହିଛି। ରାସ୍ତା ଲାଲ ରଙ୍ଗରେ ଚିହ୍ନିତ ହୋଇଥିଲେ, ଟ୍ରାଫିକ୍ ଜାମ ରହିଛି ବୋଲି ଜାଣିପାରିବେ। ସେହିପରି କମଳା ରଙ୍ଗରେ ଚିହ୍ନିତ ହୋଇଥିଲେ, ତାହା ସାଧାରଣ ଟ୍ରାଫିକ୍ ଏବଂ ସବୁଜ ରଙ୍ଗର ହୋଇଥିଲେ ରାସ୍ତା ଫାଙ୍କା ରହିଛି ବୋଲି ଜଣାପଡ଼ିବ।
୭. ‘୩ଡି’ ଭ୍ୟୁରେ କୌଣସି ସ୍ଥାନ ଦେଖନ୍ତୁ
ଏବେ ଆପଣ କେବଳ ମାନଚିତ୍ର ନୁହେଁ, ବରଂ ୩ଡି ଭ୍ୟୁରେ ସମସ୍ତ ସ୍ଥାନକୁ ଦେଖିପାରିବେ।
ଏଥିପାଇଁ ଆପଣ ଗୁଗୁଲ ମ୍ୟାପର ଲେୟର୍ସ ଆଇକନରେ କ୍ଲିକ କରି ସାଟେଲାଇଟ୍ ମୋଡ୍ ଅନ୍ କରନ୍ତୁ। ଏହା ପରେ ୩ଡି ଅପସନରେ କ୍ଲିକ କରିବା ଦ୍ବାରା ସେହି ସ୍ଥାନକୁ ସ୍ପଷ୍ଟଭାବେ ଦେଖିପାରିବେ।
୮. ଷ୍ଟ୍ରିଟ୍ ଭ୍ୟୁ ବ୍ୟବହାର କରି କୌଣସି ସ୍ଥାନକୁ ଭର୍ଚୁଆଲରେ ପରିଦର୍ଶନ କରନ୍ତୁ
ଯଦି ଆପଣ କୌଣସି ନୂଆ ସ୍ଥାନକୁ ପରିଦର୍ଶନ କରିବା ପୂର୍ବରୁ ତାହା ଏକ୍ସପ୍ଲୋର କରିବାକୁ ଚାହାଁନ୍ତି, ତେବେ ଆପଣ ଏହା ଗୁଗୁଲ ମ୍ୟାପ୍ସ ମାଧ୍ୟମରେ କରିପାରିବେ।
ଏଥିପାଇଁ ଗୁଗୁଲ ମ୍ୟାପ୍ସର ପେଗମ୍ୟାନ(ହଳଦିଆ ରଙ୍ଗର ମଣିଷ ଆକୃତି ଥିବା ଆଇକନ୍)କୁ ମ୍ୟାପ୍ ଉପରେ ଡ୍ରପ୍ କରନ୍ତୁ। ଏହା ପରେ ଷ୍ଟ୍ରିଟ ଭ୍ୟୁ ମୋଡ୍ରେ ସେହି ଅଞ୍ଚଳକୁ ଏକ ଭର୍ଚୁଆଲ୍ ଟୁର୍ କରନ୍ତୁ। ଏଥିସହ ଏହା ଚାରିପାଖରେ କ’ଣ ରହିଛି ତାହା ଜାଣିବା ପାଇଁ ମଧ୍ୟ ଆପଣ ଏହାକୁ ୩୬୦ ଡିଗ୍ରୀ ଘୂରାଇ ଦେଖିପାରିବେ।
୯. ମ୍ୟାପରେ ଲେନ୍ସ
ଗୁଗୁଲ୍ ମ୍ୟାପରେ ଲେନ୍ସ ବୈଶିଷ୍ଟ୍ୟ ଆପଣଙ୍କୁ କୌଣସି ସ୍ଥାନଗୁଡ଼ିକ ବିଷୟରେ ତୁରନ୍ତ ବିସ୍ତୃତ ସୂଚନା ପ୍ରଦାନ କରିଥାଏ।
ଏଥିପାଇଁ ଗୁଗୁଲ୍ ମ୍ୟାପ୍ସ ଓପନ କରି ଯେକୌଣସି ସ୍ଥାନ ସର୍ଚ୍ଚ କରନ୍ତୁ। ଏହା ପରେ କ୍ୟାମେରା ଆଇକନ୍ ଉପରେ କ୍ଲିକ କରି ଲେନ୍ସ ବୈଶିଷ୍ଟ୍ୟ ଚାଲୁ କରନ୍ତୁ। ଫଳରେ ଆପଣଙ୍କ ଚାରିପାଖରେ ଥିବା କୋଠା, ସାଇନ୍ ବୋର୍ଡ ଏବଂ ଦୋକାନର ଲାଇଭ୍ ସୂଚନା ପାଇପାରିବେ।
୧୦. ଲାଇଭ ଭ୍ୟୁ: ବାସ୍ତବ ସମୟ ସୂଚନା
ଗୁଗୁଲ୍ ମ୍ୟାପ୍ସର ଏହି ଫିଚର୍ ଆପଣଙ୍କ ଆଖପାଖର ସ୍ଥାନଗୁଡ଼ିକ ବିଷୟରେ ବାସ୍ତବ ସମୟ ସୂଚନା ପ୍ରଦାନ କରେ। ଏଥିପାଇଁ ଆପଣ ଗୁଗୁଲ ମ୍ୟାପକୁ ଯାଇ ‘ଲାଇଭ୍ ଭ୍ୟୁ’ ଆଇକନରେ କ୍ଲିକ କରନ୍ତୁ।
ଏହାପରେ କ୍ୟାମେରା ଚାଲୁ କରି ଆପଣ ଆଖପାଖରେ ଥିବା ଏଟିଏମ, ରେଷ୍ଟୁରାଣ୍ଟକୁ ଲାଇଭ ଦେଖିପାରିବେ। ଏଥିରେ ଆପଣ ସେମାନଙ୍କର ରେଟିଂ, ଖୋଲିବା ଏବଂ ବନ୍ଦ ହେବା ସମୟ ଏବଂ ଅନ୍ୟାନ୍ୟ ଉପଯୋଗୀ ସୂଚନା ପାଇବେ।
୧୧. ବିମାନ ଭଡ଼ା ଏବଂ ସମୟ ସୂଚୀ ଯାଞ୍ଚ କରନ୍ତୁ
ଏବେ ଆପଣଙ୍କୁ ବିଭିନ୍ନ ୱେବସାଇଟରେ ବିମାନ ମୂଲ୍ୟ ଯାଞ୍ଚ କରିବାକୁ ପଡିବ ନାହିଁ। କାରଣ ଗୁଗୁଲ୍ ମ୍ୟାପ୍ସରେ, ଆପଣ ଯେକୌଣସି ଗନ୍ତବ୍ୟସ୍ଥଳ ପାଇଁ ବିମାନ ଭଡ଼ା, ଉଡ଼ାଣ ଓ ଅବତରଣ ସମୟ ସଂପର୍କରେ ସୂଚନା ପାଇପାରିବେ।
ତେବେ ଏଥିପାଇଁ ଆପଣ ଗୁଗୁଲ ମ୍ୟାପ ଓପନ କରି ଗନ୍ତବ୍ୟସ୍ଥଳର ନାମ ସର୍ଚ୍ଚ କରନ୍ତୁ। ଏହାପରେ ‘ଫ୍ଲାଇଟ’ ଟ୍ୟାବରେ କ୍ଲିକ୍ କରନ୍ତୁ। ଫଳରେ ଉକ୍ତ ସ୍ଥାନକୁ ଯାଉଥିବା ସମସ୍ତ ଏୟାରଲାଇନ୍ସର ଟିକେଟ୍ ମୂଲ୍ୟ, ସମୟ ଏବଂ ଉଡ଼ାଣ ରୁଟ୍ ଆପଣ ଦେଖିପାରିବେ।
୧୨. ଏଆଇ ଆଧାରିତ ସୂଚନା
ଯାତ୍ରା ସମୟରେ ପାଗ ପରିବର୍ତ୍ତନ ନେଇ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ଯାତ୍ରାକୁ ସୁବିଧାଜନକ କରାଇବା ପାଇଁ ଗୁଗୁଲ ମ୍ୟାପ ଆପଣଙ୍କୁ ଏଆଇ ଆଧାରିତ ସୂଚନା ପ୍ରଦାନ କରିଥାଏ। ଯଦି ପାଗ କିମ୍ବା ଟ୍ରାଫିକ୍ ପରିବର୍ତ୍ତନ ହୁଏ, ତେବେ ଗୁଗୁଲ ମ୍ୟାପ ସ୍ୱୟଂଚାଳିତ ଭାବରେ ଆପଣଙ୍କୁ ବିକଳ୍ପ ରାସ୍ତା କିମ୍ବା କାର୍ଯ୍ୟକଳାପ ପରାମର୍ଶ ଦେଇଥାଏ। କେବଳ ଏଥିପାଇଁ ଆପଣ ‘ସଜେଷ୍ଟେଡ ଆକ୍ଟିଭିଟିଜ’ ଉପରେ କ୍ଲିକ୍ କରନ୍ତୁ।
ଗୁଗୁଲ୍ ମ୍ୟାପ୍ସର ଏହି ସମସ୍ତ ବୈଶିଷ୍ଟ୍ୟଗୁଡ଼ିକ ଆପଣଙ୍କ ଯାତ୍ରାକୁ ସହଜ, ନିରାପଦ ଏବଂ ସ୍ମାର୍ଟ କରିପାରିବ।
Tags: #GoogleMaps #Travel #Features #TravelTips #TechnologyNews