ଓଡ଼ିଶାଲାଇଭ୍ ବ୍ୟୁରୋ
- ମାଓବାଦୀ ଅଲିକ ଚକ୍ରବର୍ତ୍ତୀ
- ପଶ୍ଚିମବଙ୍ଗ ପୋଲିସ ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ
- ପୋଲିସକୁ ଚକ୍ମା ଦେଇ ବୁଲୁଥିଲା ଅଲିକ
- ଭୁବନେଶ୍ୱର ଘରୋଇ ହସ୍ପିଟାଲରୁ ଗିରଫ
ରାଜଧାନୀ ଭୁବନେଶ୍ୱରରୁ ଗିରଫ ହୋଇଛି ମୋଷ୍ଟ ୱାଣ୍ଟେଡ ମାଓବାଦୀ ଅଲିକ ଚକ୍ରବର୍ତ୍ତୀ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମାଓବାଦୀକୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପୋଲିସ ମିଳିତ ଭାବେ ଚଢ଼ାଉ କରି ଗିରଫ କରିଛନ୍ତି।
ଗିରଫ ମାଓବାଦୀ ଅଲିକ ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗ ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥିଲା। ମାଓବାଦୀ ଅଲିକ ନାମରେ ଅପରାଧିକ ମାମଲା ରହିଥିଲା। ତାକୁ ଗିରଫ କରିବା ପାଇଁ ପୋଲିସ ଚାରିଆଡ଼େ ଜାଲ ବିଛାଇଥିଲା। କିନ୍ତୁ ସେ ପୋଲିସ ସହ ଲୁଚକାଳି ଖେଳୁଥିଲେ।
ସଂପୃକ୍ତ ମାଓବାଦୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗ ପୋଲିସକୁ ଖବର ମିଳିଥିଲା। ପଶ୍ଚିମବଙ୍ଗ ପୋଲିସ ଓଡ଼ିଶା ପୋଲିସର ସହାୟତା ଲୋଡ଼ିଥିଲା। ୪ ଦିନ ପୋଲିସ ଭୁବନେଶ୍ୱରର ଚାରିଆଡ଼େ ଖୋଜାଖୋଜି କରିବା ପରେ ମାଓବାଦୀର ସନ୍ଧାନ ମିଳିଥିଲା। ତାକୁ ଆଜି ଗିରଫ କରାଯାଇଛି।
ସେ କହିଁକି ଏବଂ କିପରି ଓଡ଼ିଶା ଆସିଲା ସେନେଇ ପୋଲିସ ଖୋଳତାଡ଼ କରୁଛି। ଗିରଫ ମାଓବାଦୀକୁ ପୋଲିସ ପଚରା ଉଚୁରା କରିବା ପରେ ଅଧିକ ତଥ୍ୟ ଜଣାପଡ଼ିବ।
ଗିରଫ ଅଲିକ୍ ଚକ୍ରବର୍ତ୍ତୀଙ୍କୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପୋଲିସ ମାଓବାଦୀ କହୁଥିବା ବେଳେ ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ସୋସିଆଲ ମିଡିଆରେ ଏହି ସଙ୍ଗଠନ ପକ୍ଷରୁ ଜାରି କରାଯାଇଥିବା ବାର୍ତ୍ତାରେ କୁହାଯାଇଛି ଯେ ଅଲିକ ଚକ୍ରବର୍ତ୍ତୀ ହେଉଛନ୍ତି ଭାଙ୍ଗର ପାୱାର ପ୍ଲାଣ୍ଟ ଆନ୍ଦୋଳନର ନେତା ଓ ସିପିଆଇ(ଏମ୍ଏଲ) କେନ୍ଦ୍ରୀୟ କମିଟିର ପଲିଟିବ୍ୟୁରୋ ସଦସ୍ୟ। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପୋଲିସ ତାଙ୍କୁ ମାଓବାଦୀ ଆଖ୍ୟା ଦେଇ ଗିରଫ କରିଛି। ଏହି ଗିରଫଦାରୀକୁ ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ଦୃଢ଼ ନିନ୍ଦା କରିଛି।