ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
୨୦୧୮ର ବହୁ ପ୍ରତୀକ୍ଷିତ ସିନେମା ‘ସଞ୍ଜୁ’ ରିଲିଜ୍ ହେଉଛି ଜୁନ୍ ୨୯ ତାରିଖରେ। ଆସନ୍ତୁ ଜାଣିବା ଏହାର କିଛି ମଜାଦାର ତଥ୍ୟ…
ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ହିନ୍ଦୀ ସିନେମା ହେଲା ‘ସଞ୍ଜୁ’। ଏହା ଜୁନ୍ ୨୯ ତାରିଖରେ ରିଲିଜ୍ ହେଉଛି।
‘ସଞ୍ଜୁ’ର ନିର୍ଦ୍ଦେଶକ ହେଲେ ରାଜକୁମାର ହିରାନୀ। ଆଗରୁ ସେ ‘ମୁନ୍ନାଭାଇ ଏମ୍ ବି ବିଏସ୍’, ‘ଲଗେ ରହୋ ମୁନ୍ନାଭାଇ’, ‘ଥ୍ରି ଇଡିଅଟ୍ସ’ ଓ ‘ପିକେ’ ଭଳି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ଏହାର ପ୍ରଯୋଜନା କରିଛନ୍ତି ବିଧୂ ବିନୋଦ ଚୋପ୍ରା ଓ ରାଜକୁମାର ହିରାନୀ।
ଜାଣନ୍ତୁ କିଏ କେଉଁ ଭୂମିକାରେ
‘ସଞ୍ଜୁ’ରେ ସଞ୍ଜୟ ଦତ୍ତଙ୍କ ଭୂମିକାରେ ନଜର ଆସିବେ ରଣବୀର କପୁର। ଏତଦ୍ ବ୍ୟତୀତ ଏଥିରେ ସଞ୍ଜୟ ଦତ୍ତଙ୍କ ପିତା ସୁନୀଲ ଦତ୍ତଙ୍କ ଭୂମିକାରେ ଅଭିନୟ କରିଛନ୍ତି ପ୍ରଖ୍ୟାତ ଅଭିନେତା ପରେଶ ରାୱଲ୍।
‘ସଞ୍ଜୁ’ ସଞ୍ଜୟ ଦତ୍ତଙ୍କ ମା’ ନରଗିସ୍ଙ୍କ ଭୂମିକା ନିଭାଇଛନ୍ତି ମନିଷା କୋଇରାଲା। ଅପରପକ୍ଷରେ ଏଥିରେ ସଞ୍ଜୟ ଦତ୍ତଙ୍କ ଗର୍ଲଫ୍ରେଣ୍ଡ୍ ଟିନା ମୁନିମଙ୍କ ଭୂମିକାରେ ନଜର ଆସିବେ ସୋନମ୍ କପୁର। ଏହି ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତାଙ୍କ ଭୂମିକାରେ ଦେଖାଦେବେ ଜଣାଶୁଣା ନାୟିକା ଦୀୟା ମିର୍ଜା। ଏହି ସିନେମାରେ କରିସ୍ମା ତନ୍ନା ମାଧୁରୀ ଦୀକ୍ଷିତଙ୍କ ଭୂମିକାରେ ନଜର ଆସିବେ।
ଆଉ ଜଣେ ବଲିଉଡ ନାୟିକା ହେଲେ ଅନୁଷ୍କା ଶର୍ମା, ଯିଏ କି ‘ସଞ୍ଜୁ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏଥିରେ ତାଙ୍କୁ ଜଣେ ସାମ୍ବାଦିକ ଭୂମିକାରେ ଦେଖା ଦେବେ ବୋଲି ଜଣାଯାଇଛି। ଠିକ୍ ସେହିପରି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅନ୍ଦିତି ସେୟାଙ୍କୁ ‘ସଞ୍ଜୁ’ରେ ସଞ୍ଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତଙ୍କ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।
ପ୍ରଥମେ ହେଲା ଟାଇଟଲ୍ ‘ଦତ୍ତ’
‘ସଞ୍ଜୁ’ର ପ୍ରଥମେ ଟାଇଟଲ୍ ରଖାଯାଇଥିଲା ‘ଦତ୍ତ’। କିନ୍ତୁ ପରେ ଏହାର ନାଆଁ ରଖାଗଲା ‘ସଞ୍ଜୁ’। ଏହା ମାର୍ଚ୍ଚ ୩୦ ତାରିଖରେ ରିଲିଜ୍ ହେବାର ଥିଲା ପ୍ରଥମେ।
ସୁନୀଲ ଦତ୍ତ ହେବାକୁ ମନା କରିଥିଲେ ଅମୀର ଖାନ୍
ବଲିଉଡର ମିଷ୍ଟର ଫରଫ୍ଲେକ୍ସନିଷ୍ଟ ଅମୀର ଖାନଙ୍କୁ ବାୟୋପିକ୍ ସିନେମା ‘ସଞ୍ଜୁ’ରେ ସଞ୍ଜୟ ଦତ୍ତ ପିତା ସୁନୀଲ ଦତ୍ତ ଭୂମିକା ନିଭାଇବାକୁ ପ୍ରଥମେ ଅଫର୍ ଦିଆଯାଇଥିଲା ହେଲେ ଅମୀର ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।
ସେତେବେଳେ ଅମୀର ଖାନ୍ କହିଥିଲେ ଯେ ସେ ‘ଦଙ୍ଗଲ’ରେ ଟିନ୍ ଏଜର ପିଲାଙ୍କ ବାପା ଭୂମିକା ନିଭାଇ ସାରିଛନ୍ତି। ଆଉ ସେଭଳି ଭୂମିକା କରିବାକୁ ଚାହାଁନ୍ତି ନାହିଁ।
ବର୍ଷେ କାଳ ଲାଗିଥିଲା ସୁଟିଂ
‘ସଞ୍ଜୁ’ର ସୁଟିଂ ଆରମ୍ଭ ହୋଇଥିଲା ୨୦୧୭ ଜାନୁଆରୀ ୧୨ ତାରିଖରେ। ପ୍ରଥମେ ଏଥିରେ ରଣବୀର କପୁର, ପରେଶ ରାୱଲ୍ ଓ ଦୀୟା ମିର୍ଜା ଅଂଶଗ୍ରହଣ କରିଥିଲେ। ଏହାର ସୁଟିଂ ସରିଥିଲା ୨୦୧୮ ଜାନୁଆରୀ ୨୧ ତାରିଖରେ।
ବିବାଦରେ ‘ସଞ୍ଜୁ’
‘ସଞ୍ଜୁ’ ଫିଲ୍ମରେ ଥିବା ଏକ ଟଏଲେଟ୍ ସିନ୍ ଲିକ୍ ହେବା ପରେ ଏହାକୁ ନେଇ ବିବାଦ ଉପୁଜିଥିଲା। ଏହି ସିନ୍କୁ ଫିଲ୍ମରୁ ବାଦ୍ ଦେବା ଲାଗି ଜଣେ ସାମାଜିକ କର୍ମୀ ଅଭିଯୋଗ କରିଥିଲେ। ଏହି ଦୃଶ୍ୟଟି ଭାରତରେ ଥିବା ଜେଲ୍ ଓ ଜେଲ୍ କର୍ତ୍ତୃପକ୍ଷଙ୍କ ସମ୍ପର୍କରେ ଖରାପ ଧାରଣା ସୃଷ୍ଟି କରିବ ବୋଲି ଉକ୍ତ ସାମାଜିକ କର୍ମୀ ଦର୍ଶାଇଥିଲେ।
‘ସଞ୍ଜୁ’ର ସଙ୍ଗୀତ
ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ‘ସଞ୍ଜୁ’ରେ ଜଣେ ନୁହଁନ୍ତି, ବରଂ ଏକାଧିକ ସଙ୍ଗୀତକାରଙ୍କ ସଙ୍ଗୀତ ରହିଛି। ଏଥିମଧ୍ୟରୁ ଜଣେ ହେଲେ ମ୍ୟୁଜିକ୍ ମେଷ୍ଟ୍ରୋ ଏ.ଆର. ରହମାନ୍। ସେ ଫିଲ୍ମ ପାଇଁ ଦୁଇଟି ଗୀତ କମ୍ପୋଜ୍ କରିଛନ୍ତି। ଏହି ଦୁଇ ଗୀତର ଗୀତିକାର ହେଲେ ଇରସାଦ୍ କାମିଲ୍।
‘ସଞ୍ଜୁ’ରେ ଥିବା ଫୁଟ୍ ଟ୍ୟାପିଙ୍ଗ୍ ଗୀତ ‘ମେଁ ବଢିୟା ତୁ ଭି ବଢିୟା’ର ଗୀତିକାର ହେଲେ ପୁନୀତ ଶର୍ମା ଓ ସଙ୍ଗୀତକାର ହେଲେ ରୋହନ୍-ରୋହନ୍। ଏଥିରେ ସୋନୁ ନିଗମ୍ ଓ ସୁନିଧି ଚୌହ୍ୱାନ କଣ୍ଠଦାନ କରିଛନ୍ତି। ଠିକ୍ ସେହିପରି ‘କର ହର ମୈଦାନ୍ ଫତେହ…’ ଗୀତକୁ ଲେଖିଛନ୍ତି ଶେଖର ଅସ୍ତିତ୍ୱ। ଏଥିରେ ସଙ୍ଗୀତ ଦେଇଛନ୍ତି ବିକ୍ରମ ମୋଣ୍ଟ୍ରୋଜ୍। ସିଖୱିନ୍ଦର ସିଂହ ଓ ଶ୍ରେୟା ଘୋଷାଲ୍ ଏହି ଗୀତଟିକୁ ଗାଇଛନ୍ତି।