ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହରେ ହେବ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ। ଏଥିପାଇଁ ଅଙ୍କ କଷୁଛନ୍ତି ବିଜେପି ଏବଂ କଂଗ୍ରେସ।

ରାଜ୍ୟସଭା ଉପାଧ୍ୟକ୍ଷ ପିଜେ କୁରିଆନ ଅବସର ଗ୍ରହଣ କରିବା ପରେ ସଂସଦର ଆଗାମୀ ବର୍ଷାକାଳୀନ ଅଧିବେଶନରେ ଏକ ବଡ଼ ଧରଣର ରାଜନୈତିକ ଯୁଦ୍ଧ ହେବାକୁ ଯାଉଛି। କୁରିଆନଙ୍କ ପରେ କିଏ ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ ହେବେ ସେନେଇ ଏବେଠାରୁ ଅଙ୍କ କଷା ଆରମ୍ଭ ହୋଇଯାଇଛି।

ଏହି ପଦ ପାଇଁ ଜଣେ ଗ୍ରହଣୀୟ ପ୍ରାର୍ଥୀ ପାଇବା, ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଲକୁ ଗୃହୀତ କରାଇବା ଏବଂ କିଛି ଅଧ୍ୟାଦେଶକୁ ପାସ୍ କରାଇବା ଖାସକରି ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି। ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେଶନ ଚଳିତ ୧୮ ତାରିଖରୁ ଆରମ୍ଭ ହେବ। ଅଧିବେଶନର ଦ୍ୱିତୀୟ ସପ୍ତାହରେ ହିଁ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ।

ଏହି ଅଧିବେଶନରେ ଏନଡିଏ ସରକାରର ପ୍ରାଧାନ୍ୟ ହେଉଛି ୧୦୮ଟି ବିଲ ପାସ କରାଇବା। ଏଥିରୁ ୬୮ଟି ଲୋକସଭାରେ ଓ ୪୦ଟି ରାଜ୍ୟସଭାରେ ପଡ଼ିରହିଛି। ସେହିଭଳି ୬ଟି ଅଧ୍ୟାଦେଶକୁ ମଧ୍ୟ ଆଇନରେ ପରିଣତ କରିବା ପାଇଁ ହେବ।

ମୁସଲିମ ବିବାହ ବିଲ୍‌, ମୋଟରଯାନ ବିଲ୍‌ ତଥା ଓବିସି କମିଶନ ଗଠନ ସଂକ୍ରାନ୍ତ ବିଲକୁ ଗୃହୀତ କରାଇନେବା ପାଇଁ ମୋଦି ସରକାର ଚାହୁଁଛନ୍ତି। ମଜା କଥା ହେଉଛି ଏବେଠାରୁ ହିଁ ପ୍ରାୟ ସବୁ ରାଜନୈତିକ ଦଳ ୨୦୧୯ ସାଧାରଣ ନିର୍ବାଚନମୁହାଁ ହୋଇସାରିଲେଣି। ସଂସଦରେ ଏହି ପ୍ରତିଯୋଗିତାର ଆଭାସ ବି ମିଳିସାରିଲାଣି।

ରାଜ୍ୟସଭାରେ ଯଦି ଏହି ରାଜନୈତିକ ପ୍ରତିଯୋଗିତା ତୀବ୍ରତର ହେବାରେ ଲାଗିଛି ତାର କାରଣ ଏଠି କୌଣସି ଦଳର ସଂଖ୍ୟାଗରିଷ୍ଠତା ନାହିଁ। ଲୋକସଭା ଭଳି ରାଜ୍ୟସଭାରେ ଶାସକ ବିଜେପି ଓ ତାର ସହଯୋଗୀ ଦଳ ପଛରେ ଆବଶ୍ୟକ ସଂଖ୍ୟକ ସ୍ଥାନ ନାହିଁ। ଅବଶ୍ୟ ବିଗତ ଚାରି ବର୍ଷ ଭିତରେ ମୋଦି ସରକାର ରାଜ୍ୟସଭାରେ ତାର ଶକ୍ତି ବଢ଼ାଇ ଚାଲିଛି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ କଥା ଉଠିଲା ବେଳକୁ ଦଳକୁ ବାରମ୍ବାର ଝୁଣ୍ଟିବାକୁ ପଡୁଛି।

ଅତୀତରେ ଦେଖାଯାଇଛି ଯେତେବେଳେ ବିରୋଧୀ ଦଳ ଏକାଠି ହୁଅନ୍ତି ବିଲଗୁଡ଼ିକ ପାସ କରାଇନେବା କଷ୍ଟସାଧ୍ୟ ହୁଏ। ଏହି ପୃଷ୍ଠଭୂମିରେ ମହଜୁଦ ରାଜନୈତିକ ସ୍ଥିତିକୁ ଦେଖିଲେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି – ଉଭୟ ଶାସକ ଦଳ ଓ ବିରୋଧୀ ଦଳ ପାଇଁ।

ରାଜ୍ୟସଭାର ଅଧ୍ୟକ୍ଷ ପଦରେ ନିଜ ଦଳର ଜଣେ ତୁଙ୍ଗ ନେତାଙ୍କୁ ଅବସ୍ଥାପିତ କରିବା ପରେ ବିଜେପି ସରକାର ପାଇଁ ଏକ ବଡ଼ ଆଶ୍ୱାସନା ହେବ ଯଦି ନିଜ ଦଳର ବା ସମର୍ଥକ ଦଳର କେହି ଜଣେ ଉପାଧ୍ୟକ୍ଷ ହେବେ। ଏହା ଏନଡିଏ ସରକାର ପାଇଁ ଏକ ବଡ଼ ରାଜନୈତିକ ଫାଇଦା ହେବ।

ବିଜେପିକୁ ଉପାଧ୍ୟକ୍ଷ ପଦ ନ ମିଳିଲେ ବି ଯଦି ଅଂଶୀଦାର ଦଳରୁ କେହି ଜଣେ ପ୍ରାର୍ଥୀ ହେଉଛନ୍ତି ଓ ଭୋଟରେ ଜିତୁଛନ୍ତି ସେଥିରେ ଦଳ ଖୁସି ହେବ। ବିଜେପି ଆଦୌ ଚାହୁଁନାହିଁ କଂଗ୍ରେସ ଭଳି ଶତ୍ରୁ ଦଳର କେହି ଉପାଧ୍ୟକ୍ଷ ହୁଅନ୍ତୁ। ଯେତେଦୂର କଂଗ୍ରେସ ଦଳ କଥା ଉଠୁଛି, କୁରିଆନଙ୍କ ଅବସର ଗ୍ରହଣ ଓ ରାଜ୍ୟସଭାରେ ଦଳର ସ୍ଥିତି ଯାହା ସେଥିରେ ଲାଗୁନାହିଁ କଂଗ୍ରେସର କେହି ଜଣେ ପୁଣିଥରେ ରାଜ୍ୟସଭା ଉପାଧ୍ୟକ୍ଷ ହୋଇପାରିବେ।

ବିଜୁ ଜନତା ଦଳ କହିସାରିଲେଣି ଯେ ସେମାନେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନାହିଁ। କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହେଉଛି ବିଜେପିର କେହି ଯେମିତି ଉପାଧ୍ୟକ୍ଷ ନ ହୁଅନ୍ତୁ। କଂଗ୍ରେସ ଚାହୁଁଛି ଅନ୍ୟ କାହାକୁ ସମର୍ଥନ ଦେବ କିନ୍ତୁ ଏନଡିଏର ପ୍ରାର୍ଥୀଙ୍କୁ ଆଦୌ ନୁହେଁ।

ତୃଣମୂଳ କଂଗ୍ରେସ ଚାହୁଁଛି ତାର କେହି ସାଂସଦ ଉପାଧ୍ୟକ୍ଷ ହୁଅନ୍ତୁ। କିନ୍ତୁ କଂଗ୍ରେସ ସ୍ପଷ୍ଟ ସଂକେତ ଦେଇଛି ଯେ ତୃଣମୂଳ କଂଗ୍ରେସକୁ ସମର୍ଥନ ଦେବ ନାହିଁ। ଏହି ପରିସ୍ଥିତିରେ ବିଜେଡିକୁ ଫାଇଦା ହୋଇପାରେ ବୋଲି ଅନୁମାନ କରାଯାଉଛି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବର୍ତ୍ତମାନର ଦେଶର ବାସ୍ତବ ରାଜନୀତିକ ଚିତ୍ରକୁ ସାମ୍ନାକୁ ଆଣିଛି। ବିଜେପି ଜାତୀୟ ସ୍ତରରେ ସବୁଠାରୁ ବଡ଼ ଦଳ ହୋଇପାରେ। କିନ୍ତୁ ରାଜ୍ୟସଭାରେ ଏହାର ହାତ ବନ୍ଧା।

ତେଣେ ବିରୋଧୀ ଦଳ ପାଖରେ ସଂଖ୍ୟା ଥାଇପାରେ। କିନ୍ତୁ ସେମାନଙ୍କ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ଓ କଳହ ଯୋଗୁଁ ଉପାଧ୍ୟକ୍ଷ ପଦ ପାଇଁ ଜଣେ ସର୍ବସମ୍ମତ ପ୍ରାର୍ଥୀ ମିଳିବା କଷ୍ଟକର ବ୍ୟାପାର। ମୋଟାମୋଟି ଭାବେ କହିଲେ, ମୌସୁମୀ ଅଧିବେଶନରୁ ହିଁ ଜଣାପଡ଼ିବ ୨୦୧୯ ମହାସମରରେ ବିରୋଧୀ ଓ ଶାସକ ଦଳ ଭିତରୁ କାହାର କେତେ ଦମ୍।

LEAVE A REPLY

Please enter your comment!
Please enter your name here