ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି। ଏନଡିଏ ସରକାର ଆସ୍ଥା ଭୋଟରେ ଜିତିଛନ୍ତି। ହେଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ କଡ଼ା ଜବାବ ଦେବାକୁ ପଛାଇ ନାହାନ୍ତି।

ସଂସଦର ମୌସୁମୀ ଅଧିବେଶନର ତୃତୀୟ ଦିନରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଦିନ ସାରା ଆଲୋଚନା ହୋଇଛି। ଏହି ଆଲୋଚନା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ବିରୋଧୀ କଂଗ୍ରେସ ଏବଂ ଟିଡିପିର ନେତାମାନେ ବକ୍ତବ୍ୟ ଦେବା ବେଳେ ମୋଦି ସରକାର ଉପରେ ହମ୍‌ଲା କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ମୋଦିଙ୍କୁ ଟାର୍ଗେଟ କରିଥିଲେ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଜବାବ ଦେଇଛନ୍ତି।

ଶୁକ୍ରବାର ରାତି ୯ଟା୧୭ରେ ମୋଦି ନିଜର ବକ୍ତବ୍ୟ ରଖିଥିଲେ ଲୋକସଭାରେ। ବିରୋଧୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ।

ରାହୁଲଙ୍କ ଆଲିଙ୍ଗନ ଓ ଆଖି ମିଟିକାକୁ ସମାଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବକ୍ତବ୍ୟ ଆରମ୍ଭ କରୁ କରୁ ରାହୁଲ ଗାନ୍ଧିଙ୍କୁ ନିଶାନା କରିଥିଲେ। କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ଯେ ଗୃହରେ ବହୁମତ ନାହିଁ, ତଥାପି ଅବିଶ୍ୱାସ ପ୍ରସ୍ତାବ ଆଗତ କରୁଛି କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷଙ୍କ ନଜର ଏବେ ପ୍ରଧାନମନ୍ତ୍ରୀ ଚୌକି ଉପରେ ପଡ଼ିଛି। ଫଳରେ ସେ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା କରିବା ବେଳେ ମତେ ଆଲିଙ୍ଗନ କରିଥିଲେ। କିନ୍ତୁ ଏହା ସମ୍ଭବ ହେବ ନାହିଁ। କାରଣ ଆମ ଉପରେ ୧୦୦ କୋଟି ଦେଶବାସୀଙ୍କ ଆଶୀର୍ବାଦ ରହିଛି। ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଆଣି କଂଗ୍ରେସ ଦେଶବାସୀଙ୍କୁ ଅପମାନିତ ନକରୁ।

ମୋଦି କହିଥିଲେ ଯେ ଆଜି ପୂରା ଦେଶ ଆଖିର ଖେଳକୁ ଦେଖିପାରିଛି। ଆଖିରେ କ’ଣ ଇସାରା ଦିଆଯାଉଥିଲା ତାହା ସମସ୍ତେ ଜାଣିଛନ୍ତି। ‘ମୁଁ ହେଉଛି ଗରିବ। ଆଖିରେ ଆଖି ମିଶାଇବାର ସାହସ ଆମର ନାହିଁ। ଯେଉଁ ଲୋକମାନେ ଆପଣଙ୍କ ସହ ଆଖି ମିଶାଇବାକୁ ଉଦ୍ୟମ କରିଥିଲେ ସେମାନଙ୍କ ଅବସ୍ଥା କ’ଣ ହୋଇଛି ତାହା ସମସ୍ତେ ଜାଣନ୍ତି।

କଂଗ୍ରେସ ନିଜ ଉପରେ ଅବିଶ୍ୱାସ କରୁଛି

ମୋଦି କହିଥିଲେ ଯେ କଂଗ୍ରେସ ଏବେ ନିଜ ଉପରେ ଅବିଶ୍ୱାସ କରୁଛି। ଯେଉଁଥିପାଇଁ ଏହି ଦଳ ଇଭିଏମ୍‌, ନିର୍ବାଚନ କମିଶନ, ନ୍ୟାୟାଳୟ, ଆରବିଆଇ ଭଳି ସଂସ୍ଥାକୁ ଅବିଶ୍ୱାସ କରୁଛି। ସରକାରଙ୍କ ସଫଳତାକୁ ସହିପାରୁନି କଂଗ୍ରେସ। ମୋଦି ରାହୁଲଙ୍କ ନାଁ ନନେଇ ଆହୁରି କହିଲେ ଯେ ଆଜିକାଲି ଲୋକଙ୍କର ଶିବଭକ୍ତି ଉପରେ ବିଶ୍ୱାସ ବଢ଼ିଛି। ଏଣୁ ୨୦୧୪ରେ ପୁଣି ଅବିଶ୍ୱାସ ପ୍ରସ୍ତାବ ଆଣିବା ପାଇଁ ଭଗବାନ କଂଗ୍ରେସକୁ ଆହୁରି ଶକ୍ତି ଦିଅନ୍ତୁ।

୫୦ ଲକ୍ଷ ଲୋକଙ୍କୁ ରୋଜଗାର ମିଳିଛି

କଂଗ୍ରେସକୁ ଜବାବ ଦେବା ଅବସରରେ ମୋଦି କହିଥିଲେ ଯେ ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ କରିଛୁ। ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାରକ୍ଷମ କରିଛୁ। ଗତବର୍ଷ ୨ ଲକ୍ଷ ୫୫ ହଜାର ଅଟୋ ବିକ୍ରି ହୋଇଥିଲା। ଏହି ଅଟୋ ଚଳାଇ ୩ ଲକ୍ଷ ୪୦ ହଜାର ଲୋକ ରୋଜଗାର ପାଇଛନ୍ତି। ମହିଳାଙ୍କୁ ଆଗକୁ ନେବା ପାଇଁ ଆମ ସରକାର ବହୁତ କାମ କରିଛନ୍ତି। ତିନି ତଲାକ୍ ବିଲ୍ ପାସ୍ କରି ମୁସଲିମ୍ ମହିଳାଙ୍କୁ ସହାୟତା କରିଛୁ। ବେଟି ପଢ଼ାଓ, ବେଟି ବଚାଓ ଅଭିଯାନ ମଧ୍ୟ ସାରା ଦେଶରେ ଜାରି ରହିଛି।

ମୋଦି ଆହୁରି କହିଥିଲେ ଯେ ବ୍ୟାଙ୍କ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଆମ ସରକାର ବହୁତ କିଛି ପଦକ୍ଷେପ ନେଇଛନ୍ତି। ୨୦୦୯ରୁ ୨୦୧୪ ଭିତରେ ବ୍ୟାଙ୍କକୁ ଲୁଟା ଯାଉଥିଲା। ଦେଶ ସ୍ବାଧୀନ ହେବା ପରେ ବ୍ୟାଙ୍କରୁ ୧୮ ଲକ୍ଷ କୋଟି ଟଙ୍କା ଋଣ ଦିଆଯାଇଥିଲା। କିନ୍ତୁ ୨୦୦୮ରୁ ୨୦୧୪ ଭିତରେ ଋଣଭାର ୫୨ ଲକ୍ଷ କୋଟି ଟଙ୍କା ହୋଇଯାଇଥିଲା। ଋଣ ପରିଶୋଧ ପାଇଁ ବ୍ୟବସ୍ଥା କରାଯାଇ ନଥିଲା। କଂଗ୍ରେସ ଅମଳରେ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଥିଲା। ଯଦି ୨୦୧୪ରେ ଏଡ଼ଡିଏ କ୍ଷମତାକୁ ଆସି ନଥାନ୍ତା ତାହାଲେ ଦେଶ ଆଜି ବଡ଼ ସଙ୍କଟ ଦେଇ ଗତି କରୁଥାନ୍ତା।

LEAVE A REPLY

Please enter your comment!
Please enter your name here