ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଘଟିଛି ଏକ ନୃଶଂସ ଘଟଣା। ରବିବାର ରାତିରେ ତଳସିଠା ଗାଁରେ ବାବୁଆ ମହାନ୍ତି ନାମକ ଜଣେ ଯୁବକ ଏବଂ ତାଙ୍କର କିଛି ସହଯୋଗୀ ମା’କୁ ଶିଳପୁଆରେ ଛେଚି ହତ୍ୟା କରିବା ସହ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଭଦ୍ରକ ଏସ୍‌ପି ବାତୁଲା ଗଙ୍ଗାଧର ଏହାକୁ ସ୍ୱୀକାର କରିଛନ୍ତି।

ରବିବାର ଘଟିଥିଲା ଏହି ଅଭାବନୀୟ ଘଟଣା। ତଳସିଠା ଗାଁର ବାବୁଆ ମହାନ୍ତି ସେହି ଗାଁର ଭକ୍ତିଲତା ବେହୁରିଆଙ୍କ ସ୍ୱାମୀ ରବି ବେହେରାଙ୍କୁ ସାଙ୍ଗରେ ନେଇ ଗାଁ ବାହାରକୁ ଯାଇଥିଲେ। ହେଲେ ରବି ଘରକୁ ଫେରି ନଥିଲେ। ରବିବାର ରାତିରେ ରବିଙ୍କ ଫୋନ୍‌ ପାଇ ଭକ୍ତିଲତା ଘରର କବାଟ ଖୋଲିଥିଲେ। ହେଲେ ରବି ଆସି ନଥିଲେ। ବାବୁଆ ମହାନ୍ତି ଘର ଭିତରୁ ଧସେଇ ପଶି ଭକ୍ତିଲତାଙ୍କୁ ଶିଳପୁଆରେ ଛେଚିଥିଲା। ଭକ୍ତିଲତାଙ୍କ ପାଟି ଶୁଣି ଘର ଭିତରୁ ତାଙ୍କ ଝିଅ ଦୌଡ଼ି ଆସିଥିଲେ। ହେଲେ ବାବୁଆ ଭକ୍ତିଲତାକୁ ହତ୍ୟା କରିବା ସହ ଝିଅର ଗୋଡ଼ହାତି ବାନ୍ଧି ଫେରାର ହୋଇ ଯାଇଥିଲା।

ଝିଅର ପାଟି ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। ଏ ସମ୍ପର୍କରେ ଧାମନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭଦ୍ରକ ଏସ୍‌ପି ମଧ୍ୟ ଘଟଣାସ୍ଥଳକୁ ଆସିଥିଲେ।

ପ୍ରାଥମିକ ତଦନ୍ତ କରିବା ପରେ ଏସ୍‌ପି କହିଛନ୍ତି, “ବେଡ୍‌ ଓ ସଂପୃକ୍ତ ରୁମ୍‌ରୁ ବାୟୋଲୋଜିକାଲ ନମୁନା ମିଳିଛି। ନମୁନା ପରୀକ୍ଷା ପାଇଁ ଫରନେସିକ୍ ଲ୍ୟାବକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ସ୍ପଷ୍ଟ ହେବ। ନିଖୋଜ ହୋଇଥିବା ମୃତ ଭକ୍ତିଲତାଙ୍କ ସ୍ୱାମୀ ରବିଙ୍କୁ ଖୋଜା ଚାଲିଛି।”

LEAVE A REPLY

Please enter your comment!
Please enter your name here