ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଦିଆଯାଉଥିବା ଏଲ୍‌ପିଜି ଗ୍ୟାସର ବ୍ୟବହାର ଏବଂ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ମୋବାଇଲ ଏଲ୍‌ଇଡି ଭ୍ୟାନର ଶୁଭାରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ପେଟ୍ରାଲିୟମ୍ ଓ ନାଚୁରାଲ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଶୁଭାରମ୍ଭ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୫ଟି ମୋବାଇଲ ଏଲଇଡି ଭ୍ୟାନ ଆଜିଠାରୁ ଯାତ୍ରା ଆରମ୍ଭ କରିଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫ଟି ଭ୍ୟାନ ଶୁଭାରମ୍ଭ ହେବ। ଏହି ଭ୍ୟାନ୍ ରାଜ୍ୟର ସମସ୍ତ ଜିଲ୍ଲାକୁ ଯାଇ ଏଲ୍‌ପିଜି ଗ୍ୟାସ ବ୍ୟବହାର ସମ୍ପର୍କରେ ଲୋକଙ୍କୁ ସଚେତନ କରିବ।

ମେ’ ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଉଜ୍ଜଳା ଯୋଜନା ଶୁଭାରମ୍ଭ କରିଥିଲେ। ଦୁଇ ବର୍ଷ ଭିତରେ ୫ କୋଟି ପରିବାରକୁ ଉଜ୍ଜଳା ଯୋଜନାରେ ଗ୍ୟାସ ଯୋଗାଇ ଦିଆଯାଇଛି। ଓଡ଼ିଶାରେ ୩୩ ଲକ୍ଷ ପରିବାର ଏହି ଯୋଜନାରେ ଉପକୃତ ହୋଇଛନ୍ତି। ୧୭ ଲକ୍ଷ ଅନୂସୂଚିତ ଜାତି ଓ ଅନୁଜାତି ପରିବାରଙ୍କୁ ଏଥିରେ ସାମିଲ କରାଯାଇଛି। ମହିଳା ସଶକ୍ତିକରଣ କରିବା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ମୁଖ୍ୟ ଲକ୍ଷ ଥିଲା।

“ଏଲପିଜି ସଂଯୋଗ ସହ ଏହାର ସୁରକ୍ଷା, ସୁବିଧା ପାଇଁ ସଚେତନତା ଆବଶ୍ୟକ ରହିଛି। ସଚେତନତା ପାଇଁ ଏହି ମୋବାଇଲ ଭ୍ୟାନ ମାଧ୍ୟମରେ “ଚଲୋ ଜିତେ ହେଁ” ନାମକ ଚଳଚ୍ଚିତ୍ରକୁ ସବୁଆଡ଼ ଦେଖାଯିବ। ଏହା ଦ୍ୱାରା ଲୋକଙ୍କୁ ସଚେତନ କରାଯିବ”, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମହିଳାମାନଙ୍କୁ ସଶକ୍ତିକରଣ କରି ଓଡ଼ିଶାକୁ ଆଗକୁ ନେବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ଆଗାମୀ ଦିନରେ ୪୦ ଲକ୍ଷ ପରିବାର ଉଜ୍ଜଳା ଯୋଜନାର ଲାଭ ଉଠାଇପାରିବେ। ସେ ଏଥିପାଇଁ ଅଏଲ୍ ମାର୍କେଟିଙ୍ଗ୍ କମ୍ପାନିର ଅଧିକାରୀଙ୍କ ପ୍ରଚେଷ୍ଟାକୁ ଧନ୍ୟବାଦ ଦେଇଛନ୍ତି।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡର ପରିଚାଳକ ପ୍ରିତିଶ ଭାରତ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here