ଓଡ଼ିଶାଲାଇଭ୍ ବ୍ୟୁରୋ
ଅଗ୍ନିଶମ ବିଭାଗର ୫ ହଜାରରୁ ଅଧିକ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ରାଜ୍ୟରେ ଏବେ ସାଂଘାତିକ ଅବସ୍ଥା। ଅଗ୍ନିଶମ କର୍ମଚାରୀମାନେ ୬ ଦଫା ଦାବି ନେଇ ଆଜିଠୁ ଧାରଣାରେ ବସିଛନ୍ତି। କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବାରୁ ଏବେ ନାହିଁ ନଥିବା ସ୍ଥିତି ଉପୁଜିଛି। ଯଦି ଏମିତି ସମୟରେ କେଉଁଠି ନିଆଁ ଲାଗିଯାଏ ତାହାଲେ କିଏ ଲିଭାଇବ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠିଛି। ଏବେ ନିଆଁ ଲାଗିଲେ କେବଳ ଭଗବାନ ଭରସା।
୬ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଗ୍ନିଶମ କର୍ମଚାରୀ। ୫ ହଜାରରୁ ଅଧିକ କର୍ମଚାରୀ ଧାରଣାରେ ବସିଛନ୍ତି। ରାଜଧାନୀ ଭୁବନେଶ୍ୱର ସମେତ ଜିଲ୍ଲା ଏବଂ ସରମହକୁମାରେ ଥିବା ଦମକଳ କେନ୍ଦ୍ରରେ କର୍ମଚାରୀମାନେ ଧାରଣାରେ ବସିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି କମର୍ଚାରୀମାନେ।
ଓଡ଼ିଶା ପୋଲିସରେ ଯେଉଁଭଳି ନିୟମ ଲାଗୁ କରାଯାଇଛି ସେଭଳି ନିୟମ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଲାଗୁ କରିବା ପାଇଁ ରାଜ୍ୟ ଅଗ୍ନିଶମ କର୍ମଚାରୀ ସଂଘ ଦାବି କରିଛି।
ସମାନ ଦରମା, ଭତ୍ତା ପ୍ରଦାନ, ୮ ଘଣ୍ଟିଆ ଡ୍ୟୁଟି ପ୍ରଚଳନ, ନିଯୁକ୍ତି ଚାର୍ଟ ନିର୍ଘଣ୍ଟ କରିବା, ଖାଲି ପଦବୀ ପୂରଣ କରିବା, ଠିକା ନିଯୁକ୍ତି ଉଚ୍ଛେଦ କରିବାକୁ ଦାବି କରିଛି ସଂଘ।
ଏହାସହ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବାକୁ ସଂଘ ଦାବି କରିଛି।
ଓଡ଼ିଶା ଅଗ୍ନିଶମ କର୍ମଚାରୀ ସଂଘ ଆବାହକ ଅକ୍ଷୟ ପ୍ରଧାନ କହିଛନ୍ତି, “ଓଡ଼ିଶା ପୋଲିସର କର୍ମଚାରୀମାନଙ୍କୁ ଯେଉଁ ଦରମା ମିଳୁଛି ଅଗ୍ନିଶମ କର୍ମଚାରୀମାନଙ୍କ ପାଇଁ ସେହି ଦରମା ଲାଗୁ କରିବାକୁ ଦାବି କରିଛୁ। ଏହାସହ ଆହୁରି ବିଭିନ୍ନ ଦାବି ରହିଛି। ପୂର୍ବରୁ ମଧ୍ୟ ଦାବି ପୂରଣ କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲୁ। କିନ୍ତୁ ତାହା ପୂରଣ ହୋଇନାହିଁ। ଏଥର ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ।”