ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ଅମ୍ପନ କେନ୍ଦ୍ରାପଡ଼ା ଜିଲ୍ଲାରେ ଯେତେବେଳେ କମ୍ପନ କରୁଥିଲା ସେତେବେଳେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଭଲ କାମ କରି ପ୍ରଶଂସା ସାଉଁଟିଛନ୍ତି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ରାସ୍ତାରୁ ୨୨ଟି ଗଛ କାଟି ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ଉଦ୍ଧାର କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମହିଳା ଜଣକ ଡାକ୍ତରଖାନା ଯାଉଥିବା ବେଳେ ଦମକଳ ଗାଡ଼ିରେ ହିଁ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଜହ୍ନରା ଗାଁରେ ଜାନକୀ ସେଠୀଙ୍କର ଆଜି ପ୍ରସବ ବେଦନା ହୋଇଥିଲା। ବାତ୍ୟା ଯୋଗୁଁ ରାସ୍ତାରେ ଗଛ ଉପଡ଼ି ପଡ଼ିଥିଲା। ଫଳରେ ଆମ୍ବୁଲାନ୍ସ ଆସିପାରି ନଥିଲା। ଏହି ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଜହ୍ନରା ଗାଁକୁ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ। ହେଲେ ରାସ୍ତାରେ ଗଛ ପଡ଼ି ରହିଥିବାରୁ ବାଧା ସୃଷ୍ଟି ହୋଇଥିଲା।

ଏହାକୁ ଭୃକ୍ଷେପ କରି ନଥିଲେ ଅଗ୍ନିଶମ କର୍ମଚାରୀ। ହାତରେ କଟର ଧରି ରାସ୍ତାରେ ପଡ଼ିଥିବା ଗଛକୁ କାଟି ସଫା କରିଥଲେ। ପାଖାପାଖି ୨୨ଟି ଗଛ କାଟିବା ପରେ ଅଗ୍ନିଶମ କର୍ମଚାରୀମାନେ ଜାହ୍ନବୀଙ୍କୁ ଉଦ୍ଧାର କରିଥିଲେ।

ଦମକଳ ଗାଡ଼ିରେ ଜାହ୍ନବୀଙ୍କୁ ନେଇ ଡାକ୍ତରଖାନା ଆସୁଥିଲେ। ହେଲେ ଅଧା ବାଟରେ ଜାହ୍ନବୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଉଭୟ ମା’ ଏବଂ ଶିଶୁ ସୁସ୍ଥ ଥିବା ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

Comment